ନର୍ଲାରୋଡରେ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ରହିଥିବା ନର୍ଲାରୋଡର ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଯୋଗୁଁ ସବୁ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଗତ ୨୦୧୩ ମସିହାରେ ସିକେରକୁପାରୁ ନର୍ଲା ଚାରିଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା । ସେ ସମୟରେ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାକୁ ଜବର ଦଖଲ କରିଥିବାରୁ ରାସ୍ତା ମପାଯୁପା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା । ହେଲେ ଲୋକେ ଏହାକୁ ବେଖାତିର କଲେ । ସେମିତିରେ ସଂକୀର୍ଣ୍ଣ ଭାବରେ ଠିକାଦାର କଂକ୍ରୀଟ ରାସ୍ତା ନିର୍ମାଣ କରିବା ସହ ପୁଣି ଘୋଡଣୀ ବିହିନ ଡ୍ରେନ ନିର୍ମାଣ କରାଗଲା । ଫଳ ସ୍ୱରୁପ ଦୁଇ କଡେ ଡ୍ରେନ ଓ ରାସ୍ତା ଜବର ଦଖଲ ଦୋକାନ ବଜାର ଯୋଗୁଁ ରାସ୍ତା ବହୁତ ସଂକୀର୍ଣ୍ଣ ହୋଇ ପଡିଛି । ଫଳ ସ୍ୱରୁପ ଦୁଇଗୋଟି ଚାରି ଚକିଆ ଛୋଟ ଗାଡି ଯିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ରାସ୍ତା ନାହିଁ । ଫଳରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ନର୍ଲାର ପ୍ରବେଶ ଦ୍ୱାର କୁହା ଯାଉଥିବା ନର୍ଲାରୋଡ ଷ୍ଟେସନ ରାସ୍ତା ତ ଯାହା ହେଇଛି ସେ କଥା ନ କହିବା ଭଲ । ଚମ୍ବଲ ଉପତ୍ୟକା ଭଳି ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ବର୍ଷା ଦିନେ ଯମ ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଏହାବାଦ ଗତ ତିନି ବର୍ଷ ହେଲା ବିଭିନ୍ନ ସ୍ଥାନରେ ରାସ୍ତା କାମ ଓ ରେଳବାଇ ଟ୍ରାକ ନିର୍ମାଣ କାମ ଯୋଗୁଁ ବଡ ବଡ ହାଇୱା ଚାଲିବା ଭଳ ଟ୍ରାଫିକ ସମସ୍ୟା ଭୟଙ୍କର ହୋଇ ପଡିଥିବା ଦେଖିବାକୁ ମିଳୁଛି । ଏହାର ତୁରନ୍ତ ସମାଧାନ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.