ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରେ H3N2 ଭାଇରସ ସଂକ୍ରଣ ବଢିବାରେ ଲାଗିଛି। ଏନେଇ ଲୋକଙ୍କୁ ସଚେନତ କରିଛନ୍ତି କେନ୍ଦ୍ର ସରକାର। ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ଲୋକଙ୍କୁ ଚେତାଛନ୍ତି। ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। H3N2 ହେଉଛି ଏକ ପ୍ରକାର ଋତୁକାଳୀନ ଏନ୍ଫ୍ଲୁଏଞ୍ଜା ଭାଇରସ। ତେଣୁ ଋତୁକାଳୀନ ସଂକ୍ରମଣ ହୋଇଥାଏ। ଜାନୁଆରୀରୁ ମାର୍ଚ୍ଚ ବିଶେଷ କରି ବର୍ଷା ଋତୁ ପରେ ସଂକ୍ରମଣ ହୋଇଥାଏ। ତେଣୁ ଆଗକୁ ସଂକ୍ରମଣ ଅଧିକ ହେବ ବୋଲି କେନ୍ଦ୍ର ସରକାର ଚେତାବାନୀ ଦେଇଛନ୍ତି। ସୂଚନା ଥାଉକି H3N2 ଭୂତାଣୁ ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ ବେସରକାରୀ ଭାବେ ୬ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କେନ୍ଦ୍ର ସରକାର ଦେଇଥିବା ସୂଚନା ଅନୁସାରେ ମାର୍ଚ୍ଚ ୯ ତାରିଖ ସୁଧା ଦେଶରେ ମୋଟ ୩୦୩୮ ଲାବୋରୋଟରୀରେ ପଜିଟିଭ୍ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ବର୍ଷା ଋୁତୁ ପରେ କିମ୍ବା ପୂର୍ବରୁ ସଂକ୍ରମଣ ଅଧିକ ହୋଇଥାଏ। ସଂକ୍ରମଣ ହେଲେ ସଂକ୍ରମିତ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ରୋଗୀ ଠାରେ ଜ୍ୱର ହେବା ସହ କାଶ, ତଣ୍ଟି ଦରଜ, ଛିଙ୍କ, ଥଣ୍ଡା, ନାକରୁ ପାଣି ବାହାରିବା, ଶରୀର ବଥା ହୋଇଥାଏ।ଏଥିସହିତ ରୋଗୀଙ୍କୁ ବେଳେବେଳେ ଝାଡା, ବାନ୍ତି ଓ ଅଣନିଶ୍ୱାସୀ ମଧ୍ୟ ଲାଗିଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର ୩ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ସଂକ୍ରମିତ ବ୍ୟକ୍ତି ନିଜକୁ ସଂଗରୋଧରେ ରଖିଲେ ସଂକ୍ରମଣ ରୋକିହେବ। ଜନଗହଳିସ୍ଥାନରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଏକାଠି ନ ଖାଇ ଅଲଗା ଖାଇବା, ସାମାଜିକ ଦୂରତା ରକ୍ଷା କରିବା, ଆଖି ଓ ନାକକୁ ବାରମ୍ବାର ନ ଛୁଇଁବାକୁ ପରାମର୍ଶ ଦିଆଯାଇଛି।