କଳ୍ପନାର ରାଜପୁତ୍ର ଭୁବନେଶ୍ୱର ବେହେରା

(ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ)

ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ । ସାଧନାରେ ନିମଗ୍ନ ରହିଲେ ସଫଳତା ମିଲିଥାଏ । ଏକଥାକୁ ପ୍ରମାଣିତ କରିଛନ୍ତି ପ୍ରଫେସର ଭୁବନେଶ୍ୱର ବେହେରା । ବୃତ୍ତିରେ ଇଞ୍ଜିନିୟର କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅନନ୍ୟ ଆକର୍ଷଣ କୋଉଠି ନା କୋଉଠି ଲୁଚି ରହିଥିଲା । ସେଥିପାଇଁତ ୫୫ ବର୍ଷରେ ମଧ୍ୟ ସାହିତ୍ୟ ମନସ୍କ ହୋଇ ଉଚ୍ଚାଙ୍ଗ ଗଦ୍ୟ ସାହିତ୍ୟ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଥିଲେ ।

ପ୍ରଫେସର ଭୁବନେଶ୍ୱର ବେହେରା କଳାହାଣ୍ଡି ଜିଲ୍ଲାର କାଶିବାହାଲ ଠାରେ ତା-୦୧/୦୧/୧୯୧୬ ମସିହାରେ  ଜନ୍ମ ଗ୍ରହଣ କରିଥିଲେ । ଏହି ଜନ୍ମ ତାରିଖ ତାଙ୍କ ସାର୍ଟିଫିକେଟ ଅନୁସାରେ । ପ୍ରକୃତରେ ସେ ୧୯୧୭ ମସିହାରେ କଳାହାଣ୍ଡି ଜିଲ୍ଲାର ଖୁରସାଲିଗୁଡା ଠାରେ ଜନ୍ମ ଗ୍ରହଣ କରିଥିବା କଥା କିଛି ଗବେଷକ କହନ୍ତି । ପରବର୍ତ୍ତୀ ସମୟରେ ଖୁରସାଲିଗୁଡା ଠାରୁ କାଶିବାହାଲକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ଚାଠଶାଳୀରେ ତୃତୀୟ ଶ୍ରେଣୀ ପଢିସାରି ଭବାନୀପାଟଣାକୁ ଯାଇଥିଲେ । ମାଟ୍ରିକ ପର୍ଯ୍ୟନ୍ତ ବ୍ରଜମୋହନ ହାଇସ୍କୁରେ ପଢି  ପାସ କଲାପରେ ରେଭେନ୍ସା କଲେଜ କଟକରେ ଅଧ୍ୟୟନ କରି ୧୯୩୯ ମସିହାରେ ପଦାର୍ଥ ବିଜ୍ଞାନ ସମ୍ମାନରେ କୃତକାର୍ଯ୍ୟ ହୋଇଥିଲେ । ଇଞ୍ଜିନିୟରିଂ କଲେଜ ପାଟନାରୁ ସିଭିଲ ଇଞ୍ଜିନିୟରିଂ ପଢି ୧୯୪୩ ମସିହାରେ ପାସ କରିଥିଲେ ।୧୯୪୫ମସିହାରେ ସହାୟକ ଇଞ୍ଜିନିୟର ଭାବେ ଯୋଙ୍କ ହାଇଡ୍ରୋ ପ୍ରୋଜେକ୍ଟରେ ଯୋଗଦେଲେ । ପରବର୍ତ୍ତୀ ସମୟରେ ହିରାକୁଦ ଡ୍ୟାମରେ ମଧ୍ୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଏକସଜୁକେଟିଭ ଇଞ୍ଜିନିୟର ଭାବେ୧୯୫୬ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ବୁର୍ଲା ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଭାବେ ଯୋଗଦେଇ ୧୯୬୧ମସିହାରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ । ୧୯୬୨ମସିହାରେ ରେଜିଓନାଲ ଇଞ୍ଜିନିୟରିଂ କଲେଜ ରାଉରକେଲାର ଅଧ୍ୟକ୍ଷ ଭାବେ ଯୋଗ ଦେଇ ୧୯୭୧ପର୍ଯ୍ୟନ୍ତ କାର୍ଯ୍ୟ ସଂପାଦନ କରିଥିଲେ । ୧୯୬୧ ମସିହାରୁ ୧୯୭୫ ମସିହା ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବରେ ରହି ବିଶ୍ବବିଦ୍ୟାଳୟର ଅନେକ ସଂସ୍କାରମୂଳକ କାର୍ଯ୍ୟ ସଂପାଦିତ କରି ସୁନାମ ଅର୍ଜନ କରିଥିଲେ । ଏହାବ୍ୟତୀତ ଓଡିଶା ସରକାରଙ୍କ କମିଶନ ଯେଉଁ କମିଶନ କଲେଜ ସ୍ଥାପନ ଉପରେ ନିଷ୍ପତ୍ତି ନିଅନ୍ତୁ ତାହାର ସଦସ୍ୟ ରହିଥିଲେ । ସେ ଆଫ୍ରିକା ଲାଇବେରିଆ ଗଣରାଜ୍ୟର ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବେ ମଧ୍ୟ  ସଫଳତା ସହ କାର୍ଯ୍ୟ କରିଥିଲେ । ସେ ୟୁପିଏସସିର ସଦସ୍ୟ ମଧ୍ୟ ରହିଥିଲେ । ତତ୍କାଳୀନ କଳାହାଣ୍ଡି ମହାରାଜାଙ୍କୁ ଇନ୍ଦ୍ରାବତୀ ନଦୀ ଜଳକୁ କୃତ୍ରିମ ଜଳପ୍ରାପାତରେ ପରିବର୍ତ୍ତନ କରି ଜଳବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯାଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କ ସ୍ୱପ୍ନ ବାସ୍ତବରେ ପରିଣତ ମଧ୍ୟ ହୋଇଥିଲା ।

ରେଭେନ୍ସାରେ ପଢୁଥିବା ସମୟରେ ସେ ବିଭିନ୍ନ ପତ୍ର ପତ୍ରିକାରେ ଲେଖାମାନ ଦେଇଥିଲେ କିନ୍ତୁ କୌଣସି ପତ୍ରିକା ପ୍ରକାଶ କରିନଥିଲେ । ତାଙ୍କ ମନରେ ଏକ କ୍ଷୋଭ ରହିଯାଇଥିଲା ।ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି  ଥିବା ସମୟରେ ସପ୍ତର୍ଷି ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶିତ କରି ତାର  ସଂପାଦନା କାମ ମଧ୍ୟ କରିଥିଲେ । ଏହି ପତ୍ରିକାରେ    ଅନେକ ଯୁବ ପ୍ରତିଭାମାନଙ୍କ ଲେଖା ପ୍ରକାଶିତ କରି ସାହିତ୍ୟ ମନସ୍କ ହେବାର ସୁଯୋଗ ପ୍ରଦାନ କରିଥିଲେ ।

ସାରସ୍ୱତ ସାଧକ ଭୁବନେଶ୍ୱର ବେହେରା ବୃତ୍ତିରେ ଇଞ୍ଜିନିୟର ଥାଇ ମଧ୍ୟ ଉତୀର୍ଣ୍ଣ ବୟସରେ ସାହିତ୍ୟ ସାଧନାରେ ନିଜକୁ ନିମଗ୍ନ କରିଥିଲେ । ତାଙ୍କ ରଚନାରେ ନିଚ୍ଛକ ଜୀବନ ଓ ମାଟିର କଥା ମହକି ଯାଇଥାଏ । ଏକ ସାଧାରଣ କଥାକୁ  ମଧ୍ୟ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିବାର ଦକ୍ଷତା ଥିଲା । କିୟଂଦଶ ସମୟରେ ସାହିତ୍ୟ ମନସ୍କ ହୋଇ ମଧ୍ୟ ଯେଉଁ ସବୁ ସାହିତ୍ୟ ସୃଷ୍ଟି କରିଗଲେ ତାହା ଓଡିଶାରେ ଅନେକ ବିଶ୍ବବିଦ୍ୟାଳୟ ଓ ବିଦ୍ୟାଳୟ ମାନଙ୍କର ସିଲାବସରେ ଅନ୍ତର୍ଭୁକ୍ତ ହୋଇଛି । ତାଙ୍କର ଅଗଣନ ଶ୍ରଦ୍ଧାଶୀଳ ପାଠକ ଅଛନ୍ତି ।

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ କୃତି ମଧ୍ୟରେ ଗଳ୍ପ ସଂକଳନ ଗୁଡିକ ହେଲା ୧୯୭୫ ମସିହାରେ ପ୍ରକାଶିତ ଅନସାରୀ ଚାଚା ଓ ଅନ୍ୟାନ୍ୟ ଗଳ୍ପ, ୧୯୭୮ର  କଥା ଓ ଲେଖା, ୧୯୭୯ର ଫରଫର ଉଡେ, ୧୯୮୧ର କହ ମନ୍ତ୍ରୀବର। ସେହିପରି ୧୯୭୯ରେ ପ୍ରକାଶିତ ଏକ ଜନାଦୃତ ରମ୍ୟରଚନା ହେଲା ଶୁଣ ପରୀକ୍ଷ। ୧୯୭୯ରେ ପ୍ରକାଶିତ ଲଲିତ ନିବନ୍ଧ ସହାବସ୍ଥାନ, ଭ୍ରମଣ କାହାଣୀ ପଶ୍ଚିମ ଆଫ୍ରିକାରେ ଓଡିଆ ଢିଙ୍କି ୧୯୭୯ରେ ପ୍ରକାଶିତ ହୋଇଥିଲା। ଏହାବ୍ୟତୀତ ତାଙ୍କର ଆତ୍ମ ଜୀବନୀ ମୂଳକ ଏକ ଉପନ୍ୟାସ ହେଉଛି ଗାଁର ଡାକ ଯାହା ୧୯୯୩ମସିହାରେ ପ୍ରକାଶିତ ହୋଇଥିଲା ।
        

ବୃତ୍ତିଗତ ପୁରସ୍କାର ଭାବେ ଇଞ୍ଜିନିୟରିଂରେ ଦୁଇଗୋଟି ପୁରସ୍କାର ଲାଭ କରିଥିବାବେଳେ ସାହିତ୍ୟ ସାଧନା ପାଇଁ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଶୁଣ ପରୀକ୍ଷ ପାଇଁ ୧୯୮୦ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଗାଁର ଡାକ ପାଇଁ ୧୯୯୪ ମସିହାରେ ସାରଳା ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତିର ପ୍ରବନ୍ଧ ପୁରସ୍କାର, ନନ୍ଦିଘୋଷ ପୁରସ୍କାର, ଶାରଳା ସମ୍ମାନ, ପାଠକ ସଂସଦ କଟକରୁ ୧୯୮୪ ମସିହାରେ ସାହିତ୍ୟ ସୁଧାକର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ତରଫରୁ ୧୯୯୪ମସିହାରେ ଉତ୍କଳ ରତ୍ନ ସମ୍ମାନ ପାଇଥିଲେ ।

ବହୁ ପ୍ରତିଭାର ଅଧିକାରୀ ପ୍ରଫେସର ଭୁବନେଶ୍ୱର ବେହେରା ବୃତ୍ତିଗତ କ୍ଷେତ୍ରରେ ଯେତେ ଆଦୃତ ଲାଭ କରିଥିଲେ ତାହା ଠାରୁ ଅଧିକ ସାରସ୍ୱତ ସାହିତ୍ୟ ସାଧନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ । ଚାକିରୀ ଜୀବନରୁ ଅବସର ନେଲାପରେ କଳାହାଣ୍ଡିର ମୁଣ୍ଡରାଗୁଡା ଠାରେ ଅବସ୍ଥାନ କରନ୍ତି । ସେ ଗାଁରେ ରହି ଗାଁ ମାଟି, ପାଣି, ପବନର ସହ ଭାବ ବିନିମୟ କରି ପ୍ରାଣସ୍ପର୍ଶୀ ସାହିତ୍ୟ ସର୍ଜନା କରନ୍ତି । ସାହିତ୍ୟ ରଚନା କ୍ଷେତ୍ରରେ ଏହିପରି ଏକ ମହାନାୟକ ତାଙ୍କ କୃତି ପାଇଁ ଅମର ହୋଇ ରହିବେ । ଇଞ୍ଜିନିୟରିଂ ନିର୍ମାଣ କି ସାହିତ୍ୟର ସର୍ଜନ ଉଭୟ କ୍ଷେତ୍ରରେ ସେ ଥିଲେ ଜଣେ ସିଦ୍ଧହସ୍ତ ବାସ୍ତବରେ ତାଙ୍କ କୁହାଯାଇ ପାରେ କଳ୍ପନାର ରାଜପୁତ୍ର । ତାଙ୍କ ପରି ରାଜ କରିଥିବା ରାଜା ସିନା ନାହାନ୍ତି କିନ୍ତୁ କିର୍ତ୍ତୀ କଳାପ ଅମର ହେଇ ଯାଇଛି । ତାଙ୍କ ନଶ୍ବର ଶରୀର ୨୦୦୧ ମସିହା ଅପ୍ରେଲ ୧୬ରେ ବ୍ରହ୍ମଳୀନ ହୋଇଥିଲା । ତଥାପି କିଛି ଗବେଷକ କହନ୍ତି କହନ୍ତି : ପ୍ରଫେସର ଭୁବନେଶ୍ୱର ବେହେରା ୧୭. ୪. ୨୦୦୧ ମସିହାରେ ଇହଧାମ ତ୍ୟାଗ କରିଥିଲେ ।

ମୋହନ ଚରଣ ବିଷି
ଗଡରାମାଲ, କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.