ଜିଲ୍ଲା ଯୁବ କୁଲତା ସଂଗଠନର ସଭାପତି ହେଲେ ପ୍ରଦୀପ କୁମାର ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା କୁଲତା ଯୁବ ସଂଗଠନର ସଭାପତି ଭାବେ ମନୋନୀତ ହୋଇଛନ୍ତି ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ପ୍ରଦୀପ କୁମାର ନାଏକ । ଗତ ୧୫ ବର୍ଷ ହେଲା ରାଜନୀତି ସାଙ୍ଗକୁ କୁଲତା ସଂଗଠନ ପାଇଁ ନିଷ୍ଠାର ସହ କାମ କରି ଆସୁଛନ୍ତି ଶ୍ରୀ ନାଏକ । ଗତ ୨୦୧୭ ମସିହାରେ ଭାରତୀୟ ଜନତାପାଟି ତରଫରୁ ପ୍ରାର୍ଥୀ ହୋଇ ନର୍ଲା ୩ ନମ୍ବର ଜୋନରୁ ରେକର୍ଡ ସଂଖ୍ୟକ ଭୋଟ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଶ୍ରୀ ନାଏକ । ବର୍ତ୍ତମାନ ସେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ବେଳେ ଭାରତୀୟ ଜନତା ପାର୍ଟିର ପଛୁଆ ବର୍ଗ ଜିଲ୍ଲା ସଭାପତି ମଧ୍ୟ ରହିଛନ୍ତି । ଆଜି ସେ କୁଲତା ସମାଜ ଜିଲ୍ଲା ସଂଗଠନର ସଭାପତି ଭାବରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ଏଥିରୁ ଜଣେ ଯୁବ ନେତୃତ୍ୱ ଭାବରେ ତାଙ୍କର ଜନପ୍ରିୟତା ବେଶ ପ୍ରମାଣିତ ହୁଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ରବିବାର କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ବ୍ଲକ ଦାଦପୁର ଗ୍ରାମ ପଞ୍ଚାୟତର ଜମୁନାବାହଲ ଠାରେ ଶ୍ରୀ ଶ୍ରୀ ରଣେଶ୍ବରୀ ରାମଚଣ୍ଡୀଙ୍କ ପୀଠରେ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ କୁଲତା ସମାଜର ଏକ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସମ୍ପାଦକ ବିଜୟ ଭୋଇ, କୋର କମିଟି ଅଧ୍ୟକ୍ଷ ଅନିରୁଦ୍ଧ ପଧାନ, ବଂଶ ସୁରକ୍ଷା କମିଟି ଅଧ୍ୟକ୍ଷ କେଶବ ଚନ୍ଦ୍ର ବିଶ୍ୱାଳ, ସଂସ୍କାର କମିଟି ଅଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, ମହିଳା କମିଟି ସଭାନେତ୍ରୀ ପ୍ରମିଳା ପଧାନ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ଇଷ୍ଟ ଦେବୀ ଶ୍ରୀ ଶ୍ରୀ ରଣେଶ୍ବରୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭାପତି ଶ୍ରୀ ଭୋଇ ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ ।ଏହି ସମ୍ମିଳନୀରେ ଜିଲ୍ଲାର କୋଣ ଅନୁକୋଣରୁ ୨୫୦ରୁ ଉର୍ଦ୍ଧ୍ବ କୋଲତା ସମାଜର କର୍ମକତ୍ତା ଓ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଜିଲ୍ଲା କୁଲତା ଯୁବ ସଂଗଠନ ଉପରେ ବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲାର ୨୫ ଗୋଟି ଆଞ୍ଚଳିକ କମିଟି ମଧ୍ୟରୁ ପ୍ରତ୍ୟେକ କମିଟିରୁ ୫ ଜଣଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା । ଏବଂ ଜଣେ ଲେଖାଏଁଙ୍କୁ ଜିଲ୍ଲା ସଭ୍ୟ ଭାବରେ ନିଆ ଯାଇଥିଲା ।

Udyog Nursery
Udyogi Nursery

ଏହାପରେ କୁଲତା ଜିଲ୍ଲା ଯୁବ ସଂଗଠନ ଗଠିତ ହୋଇଥିଲା । ସଭାପତି ଭାବରେ ପ୍ରଦୀପ କୁମାର ନାଏକ (ସର୍ଗିଗୁଡା,ନର୍ଲା), ଉପସଭାପତି ଭାବରେ ମୋହନ ଶଙ୍କର ପଧାନ (ଶ୍ରୀପୁର), ଯତୀନ କୁମାର ନାଏକ (ତୁଳାପଡା), ଲଳିତ ଭୋଇ (କଶ୍ରୁପଡ଼ା), ସମ୍ପାଦକ ଭାବରେ ଭାରତ ଭୂଷଣ ବୁଦ୍ଧିଆ (କନକପୁର), ସଂଗଠନ ସମ୍ପାଦକ ଭାବରେ ବୁବୁନ ବିଶ୍ୱାଳ (ଯାଜଲ୍ୟଦେଇପୁର), ସହ ସମ୍ପାଦକ ଭାବରେ ରଞ୍ଜନ କୁମାର ସା (ଶାନ୍ତପୁର), ତ୍ରୀଲୋଚନ ପଧାନ (ଭାଲୁପିଆ), ରାଜେନ୍ଦ୍ର ବାରିକ (ଦିଗଶିରା) ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବରେ ୮ ଜଣଙ୍କୁ ମନୋନୀତ କରାଯାଇଥିଲା । ନବ ଗଠିତ ଯୁବ ସଂଗଠନର ସଦସ୍ୟ ମାନଙ୍କୁ ଜିଲ୍ଲା ସଭାପତି ଶ୍ରୀ ଭୋଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଜିଲ୍ଲା କୁଲତା ଯୁବ ସଙ୍ଗଠନର ସଦସ୍ୟଙ୍କୁ ଏକ ସୂତ୍ରରେ ବାନ୍ଧି ସଙ୍ଗଠନର ଅଭିବୃଦ୍ଧି ପାଇଁ କାମ କରିବି । ଜିଲ୍ଲା କୁଲତା ସମାଜର ଆସ୍ଥା ଓ ବିଶ୍ୱାସକୁ ଅକ୍ଷୁର୍ଣ୍ଣ ରଖିବି ବୋଲି କୋଲତା ଯୁବ ସଙ୍ଗଠନର ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ । କୁଲତା ସମାଜ ଜିଲ୍ଳା ଯୁବ ସଙ୍ଗଠନର ସଭାପତି ଭାବରେ ଶ୍ରୀ ନାଏକ ନିର୍ବାଚିତ ହୋଇଥିବାରୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.