ମା’ ଦୁନିଆର ସବୁଠୁ ମଧୁର ଶବ୍ଦ, ପୁଣି ସବୁଠାରୁ ସୁନ୍ଦର।ସ୍ନେହ,ମମତାରେ ଭରପୂର ମା’ର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ।ମା’ କୋଳ ଠାରୁ ଆରାମଦାୟକ,ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ।ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ,ସହିଷ୍ଣୁତା,ଭଲପାଇବା,ସେହି ହିଁ ମା,ଜନନୀ,ଜନ୍ମଦାତ୍ରୀ। ମା’ ର କଥା ଅମୃତ,ମା’ ର ରନ୍ଧା ଅମୃତ,ମା’ ର କାମ ଅମୃତ, ମା’ ର ଗୀତ ଅମୃତ। ମା’ ତ ପିଲାଟିର ପ୍ରଥମ ଗୁରୁ, ଅନ୍ତରଙ୍ଗ ବନ୍ଧୁ,ଦାର୍ଶନିକ,ଅଭିଭାବକ। ପିଲା ପାଇଁ ମା’ ହେଉଛି ସର୍ବଶ୍ରେଷ୍ଠ। ମା’ ପିଲାଟିର ପ୍ରାଣ,ଜୀବନ,ନିଃଶ୍ବାସ,ପ୍ରଶ୍ବାସ,ସିଏ ହିଁ ସାକ୍ଷାତ ଈଶ୍ବରୀ। ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ । ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି “ମା” ପାଇଁ ସଜ୍ଞା ତିଆରି କରିବା କଷ୍ଟକର । “ମା”ର ପରିପୂରକ ବାପା।ମା’ ଶିଶୁର ପ୍ରଥମ ଗୁରୁ ଓ ଶିକ୍ଷକ।ମା’ ଶିଶୁକୁ ଚରିତ୍ରବାନ ବନାଇଥାଏ । ମା’ ଶିଶୁକୁ ଶକ୍ତିଶାଳୀ ବନାଇ ଥାଏ।ମା’ ନିଜ ଶିଶୁକୁ ସବୁ ବିପଦ ରୁ ରକ୍ଷା କରିଥାଏ।ଶିଶୁ ପାଇଁ ସେ ମମତା ଓ ପ୍ରେମର ମୂର୍ତ୍ତି ହୁଏ। ଦୁନିଆରେ ଅନେକ ପ୍ରକାରର ଭଲ ପାଇବା ଅଛି,କିନ୍ତୁ ମା’ ପୁଅ/ଝିଅ ର ଭଲପାଇବା ଅନନ୍ୟ।ସବୁ ଭଲପାଇବା ମଧୁର କିନ୍ତୁ ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲପାଇବାକୁ ସଂସାରରେ ସର୍ବଶ୍ରେଷ୍ଠ କୁହାଯାଏ। ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲ ପାଇବାରେ ଟିକିଏ ହେଲେ ବି ସ୍ବାର୍ଥ ନଥାଏ।ମା ନିଜେ ନଖାଇ ଆମ ପାଇଁ ସାଇତି ରଖିଥାଏ ଖାଇବାକୁ, ମା’ ନିଜେ ଉପାସରେ ଶୋଇପଡ଼େ ହେଲେ କିନ୍ତୁ ତା’ ସନ୍ତାନ କୁ ଉପାସରେ ଶୋଇବାକୁ ଦିଏନି।ମା ନିଜର ଖୁସିକୁ ପଛରେ ପକାଇ ଆମ ଖୁସିରେ ସାଉଁଟିଥାଏ ଅଜସ୍ର ଖୁସି। ଆମ ଆଖିରେ ଭରିଥାଏ ସେ ସ୍ବପ୍ନ ଓ ମନରେ ବୁଣିଦିଏ ମାନବୀୟ ରଙ୍ଗ।ଆମ ଭିତରେ ଦୁଃଖ ର ସ୍ରୋତ କୁ ଦେଖିପାରୁଥିବା ବ୍ୟକ୍ତିତ୍ବ ଟି ହେଉଛି କେବଳ ମା’। ମା’ ର ମନ ପବିତ୍ର ଗଙ୍ଗା ମା’ ଏହା ଏଭଳି ଏକ ଶବ୍ଦ ଯାହାର ବିକଳ୍ପ ନାହିଁ । ମା’ର ମମତା ନିକଟରେ ସବୁକିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏହି ମହୀୟସୀ ମହିଳା ପିଲାଟିକୁ ଗର୍ଭରେ ଧାରଣ କରେ । ଜନ୍ମ ଦିଏ । ଆଉ ତାହାର ଲଲାନପାଳନ କରେ । ତେଣୁ ତା’ର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି । ଆଧୁନିକ ମାତୃ ଦିବସର ଜନ୍ମଦାତ୍ରୀ ଭାବରେ ଆମେରିକାର ଆନ୍ନା ଜାର୍ଭିସଙ୍କୁ ଗ୍ରହଣ କରାଯାଏ । ଆମେରିକାର ପଶ୍ଚିମ ଭର୍ଜିନିୟାସ୍ଥିତ ସେଣ୍ଟ ଆଣ୍ଟ୍ର୍ୟୁସ ମେଥୋଡିଷ୍ଟ ଚର୍ଚ୍ଚରେ ସେ ୧୯୦୮ରେ ନିଜ ମା’ଙ୍କ ସ୍ମରଣରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ‘ଜଣକ ଜୀବନରେ ମା’ର ଭୂମିକା’ ସମ୍ପର୍କରେ ସ୍ମୃତିଚାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ଵରେ ବିସ୍ତାର କରିବା ପାଇଁ ଜାର୍ଭିସଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ । ୧୯୦୮ରୁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି । ଯିଏ ପର ଆପଣା କେବେ ଜାଣି ନାହିଁ ସେ ହିଁ ଆମ ମାଆ।ସମସ୍ତଙ୍କୁ ଯିଏ ନିଜର ବୋଲି ଭାବେ ସେ ହିଁ ଆମ ମାଆ। ଆଜି ମାତୃ ଦିବସ ଅବସରରେ ସମସ୍ତ ମାତୃଶକ୍ତି କୁ ପ୍ରଣାମ କରୁଛି।