କେସିଙ୍ଗା ପୁଲିସ ଉପଖଣ୍ଡରେ ନୂଆ ଏସଡିପିଓ ଭାବେ ଯୋଗଦେଲେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉପଖଣ୍ଡର ନୂଆ ଏସଡିପିଓ ଭାବେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ୨୦୧୯ ବ୍ୟାଚର ରୋହିତ ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିପିଓ ଭାବେ କାର୍ଯ୍ୟ କରି ସାରିଛନ୍ତି । ସେ କେସିଙ୍ଗାସ୍ଥିତ ଏସଡିପିଓ କାର୍ଯ୍ୟାଳୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସବୁଠୁ ଗୁରୁତ୍ବପୂର୍ଣ୍ଣ ପୁଲିସ ଉପଖଣ୍ଡ ଭାବେ ପରିଚିତ କେସିଙ୍ଗା ପୁଲିସ ଉପଖଣ୍ଡ ଅଧୀନରେ ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା, ମ. ରାମପୁର, ନର୍ଲା, ଲାଞ୍ଜିଗଡ଼ ଭଳି ପାଞ୍ଚଟି ବ୍ଲକ ଓ ୮ଟି ଥାନା ଓ ଛଅରୁ ଅଧିକ ପୁଲିସ ଫାଣ୍ଡି ଓ ଆଉଟ୍ ପୋଷ୍ଟ, ବିଟ୍ ହାଉସ ରହିଛି । ସେହିପରି ଏଇ ପାଞ୍ଚଟି ବ୍ଲକ ମଧ୍ୟରୁ ମ. ରାମପୁର, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳ ମାଓପ୍ରବଣ ହୋଇଥିବାବେଳେ ପୁଲିସ ଉପଖଣ୍ଡ ଅଧିକାରୀ ଭାବେ ତାଙ୍କର ଗୁରୁଦାୟିତ୍ବ ରହିଛି । ଏପରିକି ପାଞ୍ଚଟି ବ୍ଲକ ସିଧାସଳଖ ଅନ୍ୟ ଜିଲ୍ଲା ଓ ରାଜ୍ୟ ସହିତ ସଂଯୋଗ ଥିବାରୁ ବିଭିନ୍ନ ଅପରାଧିକ ଓ ବେଆଇନ କାରବାର ରୋକିବା ସହିତ ଉପଖଣ୍ଡ ଅଧୀନସ୍ତ ଥାନା ଓ ଫାଣ୍ଡି ଗୁଡ଼ିକରେ ରାଜ୍ୟ ସରକାରଙ୍କ ଫାଇଭ୍-ଟି ବ୍ୟବସ୍ଥା ଠିକ୍ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ପୁଲିସ ପ୍ରତି ଆସ୍ଥାଭାଜନ କରାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.