ଓଡିଆ ବାର୍ତ୍ତା/ କେସିଙ୍ଗା (ମଧୁସୁଦନ ଠାକୁର): ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଘନଘନ ବିଦ୍ୟୁତ କାଟ ଜନଜୀବନକୁ ଅତିଷ୍ଠ କରିଦେଉଛି । ଏହାକୁ ନେଇ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଆଜି କେସିଙ୍ଗା ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଗତ ଦୁଇ ଦିନ ତଳେ କେସିଙ୍ଗାକୁ ହାତୀ ଆସିଛି ବୋଲି କହି ରାତି ଯାକ ଲାଇନ୍ କଟାଯାଇ ଥିଲା । ଗତକାଲି ମଧ୍ୟ ଅପରାହ୍ନ ୫ ଟା ରୁ କେସିଙ୍ଗା ଆଖ ପାଖ ଗାଁ ଗୁଡିକରେ ଲାଇନ୍ ଯାଇ ତା ପରଦିନ ଦିନ ୧୦ ରେ ଲାଇନ୍ ଆସିଲା ବୋଲି ନିଜେ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ଅଭିଯୋଗ କରିଛନ୍ତି । ଆଜି ବ୍ଲକର ଅନେକ ସରପଞ୍ଚ, ସମିତି ସଭ୍ୟ ତଥା ଅଞ୍ଚଳର ବୁଦ୍ଧିଜୀବୀମାନେ କେସିଙ୍ଗା ଉପ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଆସିଥିବା ବେଳେ କାର୍ଯ୍ୟାଳୟରେ କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ ଫୋନ ଯୋଗେ ଯୋଗାଯୋଗ କରି ସମସ୍ୟା ବିଷୟରେ ଅବଗତ କରାଯାଇ ଥିଲା । ଏସଡିଓ (ଇଲେକ୍ଟ୍ରି) ଦୀକ୍ଷିତ ବାବୁ ଆସନ୍ତା ମଙ୍ଗବାର ଦିନ ସମସ୍ତ ଜେଇ ମାନଙ୍କୁ ଡାକି ସମସ୍ୟା ବୁଝି ସମସ୍ୟାର ସମାଧାନ କରିବା ପାଇଁ କହି ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ ଆଶ୍ଵାସନା ଦେଇ ଫେରାଇ ଦେଇଥିଲେ । ପରେ ନେତୃତ୍ୱ ନେଇଥିବା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ମଙ୍ଗବାର ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଉପୋଭୋକ୍ତା ମାନେ ଆସି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ମହାନନ୍ଦ, ଦୟା ସୁନାନୀ, ସୂର୍ଯ୍ୟ ଦାସ, ଯୁବ ସଂଗଠକ ସୁରେଶ ରାଓ, ଅଞ୍ଜୁ କୁମାର, ଅଶୋକ ପୋଡ଼, ଲଳିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।