ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପାଖର ଥିବା ଅଶୋକ ବଗର୍ତ୍ତିଙ୍କ ନବ ନିର୍ମିତ ଘର ଉପର ଦେଇ ୧୧ କେଭି କେବୁଲ ବିଦ୍ୟୁତ୍ ତାର ଟଣାଯାଇଛି ଯାହାଫଳରେ ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଅଛନ୍ତି । ଅଶୋକ ବଗର୍ତ୍ତି ତାର ସ୍ଥାନାନ୍ତର କରିବା ପାଇଁ ଖାରୀ ଗ୍ରିଡର ଜେଇଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ । କିଛି ବର୍ଷ ପୂର୍ବରୁ ଅଶୋକ ବଗର୍ତ୍ତି ତାଙ୍କ ନିଜସ୍ବ ପୈତୃକ ଜମିରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗର ମନମାନି ଯୋଗୁଁ ଘର ନିର୍ମାଣ ପାଇଁ ନିଅ ଖୋଳିଥିବା ଜମି ଉପର ଦେଇ ବିଦ୍ୟୁତ୍ ତାରକୁ ନେଇଥିଲେ । ବର୍ତ୍ତମାନ ଘର ଉପରେ ବିଦ୍ୟୁତ୍ ତାର ଯାଇଥିବାରୁ ଘର ନିର୍ମାଣରେ ବାଧା ସୃଷ୍ଟି ହେଉଛି । ଏହି ବିଦ୍ୟୁତ୍ ତାର ପାଇଁ କାଳେ କୌଣସି ଦୁର୍ଘଟଣା ଘଟିଯିବ ବୋଲି ପରିବାରବର୍ଗ ଘର ନିର୍ମାଣକୁ ଅଧାରେ ରଖି ଦେଇଛନ୍ତି । ଏ ସମ୍ପର୍କରେ ଖାରୀ ବିଦ୍ୟୁତ୍ ବିଭାଗ ସହଯୋଗ କରିବା ଦିଗରେ ଆଦୌ ତପ୍ତର ନଥିବା ଅଭିଯାଗ ହେଉଛି । ଏପରିକି ନିଜସ୍ବ ଖର୍ଚ୍ଚରେ ତାର ସ୍ଥାନାନ୍ତର କରିବାକୁ ଉପଭୋକ୍ତାଙ୍କୁ ତାଗିତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଫଳରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଉକ୍ତ ପରିବାର ସ୍ୱାଭାବିକ ଭାବରେ ଜୀବନ ଅତିବାହିତ କରିପାରିବେ ବୋଲି ଅଞ୍ଚଳର ବୃଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।