ରାୟଗଡାରେ ପହଞ୍ଚିଲା ଓପିଏସ ରଥ : ପୁରୁଣା ପେନସନ ନୀତି ଲାଗୁ କରିବା ହେଲା ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେସନ ନୂଆଦିଲ୍ଲୀ ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଖାରବେଳ ନଗର ଭୁବନେଶ୍ୱର ଆନୁକୂଲ୍ୟରେ ସମସ୍ତ ଶିକ୍ଷକ ତଥା କର୍ମଚାରୀଙ୍କୁ ପୁରୁଣା ପେନସନ ଲାଗୁ କରିବା ପାଇଁ ଓପିଏସ ରଥ ସାରା ଭାରତ ଭ୍ରମଣ କରୁଛି | ଆଜି ଏହି ରଥଟି ରାୟଗଡାର କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ପହଂଚି ଥିଲା | ଉକ୍ତ ରଥକୁ ଜିଲ୍ଲାର ସମସ୍ତ ନୂଆ ପେନସନ ଭୁକ୍ତ ଶିକ୍ଷକ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ସ୍ବାଗତ କରିଥିଲେ | ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା | ଓପିଏସ ରଥରେ ନୂଆଦିଲ୍ଲୀରୁ ଆସିଥିବା ଏଆଇପିଟିଏଫ ‘ର ଉପ ସଭାପତି ରାମ ଅବତାର ପଣ୍ଡା ଏବଂ ଏଆଇପିଟିଏଫ କାର୍ଯ୍ୟାଳୟ ସମ୍ପାଦକ ଲକ୍ଷ୍ମଣ ବେହେରା ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ /କର୍ମଚାରୀଙ୍କୁ ନୂଆ ଓ ପୁରୁଣା ପେନସନ ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଅବଗତ କରାଇଥିଲେ | ସେହିପରି ପୁରୁଣା ପେନସନ ନୀତିକୁ ପୁନଃ ସାରା ଦେଶର ଶିକ୍ଷକ /କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ଦାବି କରି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା କରିବା ନେଇ ଆଲୋଚନା କରିଥିଲେ ଏବଂ ଉକ୍ତ ଅଭିଯାନରେ ସମସ୍ତ ନୂତନ ପେନସନଭୁକ୍ତ କର୍ମଚାରୀ ସାମିଲ ହୁଅନ୍ତୁ ବୋଲି ମତ ବ୍ୟକ୍ତ କରିଥିଲେ | ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଣ ଗେଜେଟ କର୍ମଚାରୀ ସଙ୍ଘ ରାୟଗଡା ଜିଲ୍ଲା ଶାଖା ସଭାପତି ନିରଞ୍ଜନ ନାୟକ, ଅମଲା ସଙ୍ଘର ମନୋଜ ରଥ, କୋଲନରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ନାରାୟଣ ବିଡ଼ିକା, ଉପ ସଭାପତି ବି. ନାଗରାଜୁ, ସମ୍ପାଦକ ଦୀପକ କୁମାର ସାହୁ, ସମ୍ପାଦକ ପ୍ରଦୀପ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ | ଶେଷରେ ରଥଟି କୋରାପୁଟ ଜିଲ୍ଲା ଅଭିମୁଖେ ବାହାରିଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.