ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ୨୪ ଗୋଟି ଗ୍ରାମ ପଞ୍ଚାୟତରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଗୁଡିକ ଅନୁଷ୍ଠିତ ହୋଇ ଅନେକ ଗୁଡିଏ ଯୋଜନା ହାତକୁ ନିଆଯାଇଥିବା ଜଣାପଡିଛି। ଏହି କ୍ରମରେ ନର୍ଲା ବ୍ଲକ ର ପ୍ରମୁଖ ଗ୍ରାମ ପଞ୍ଚାୟତ ଭାନପୁର ଠାରେ ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ଗ୍ରାମ ସଭା ମାଧ୍ୟମରେ ଲୋକଙ୍କ ମତାମତ ନେଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଗୁଡିକ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା। ଭାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାରେ ସ୍ୱତନ୍ତ୍ର ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚାସୀନ ଅଧିକାରୀ ମାନଙ୍କ ମଧ୍ୟରେ କୃଷି ବିଭାଗ ତରଫରୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଏଡିଇଓ ଝାନସୀରାଣୀ ପଧାନ ଓ ପର୍ଯ୍ୟବେକ୍ଷକ ଭାବରେ ନର୍ଲା ବ୍ଲକ ତରଫରୁ ବିପିସି ଭୋଳାନାଥ ଦାସ ମଞ୍ଚାସୀନ ରହିଥିଲେ। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଦୀପ ଦେଇ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା। ଅତିଥି ବୃନ୍ଦ ଗାନ୍ଧୀଜୀଙ୍କ ସମାଜ ପ୍ରତି ଅବଦାନ ଓ ଦେଶ ପାଇଁ ଅମର ବଳିଦାନର ଗାଥା ସ୍ମୃତି ଚାରଣ କରିଥିଲେ। ଏହାପରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ରହିଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଗ୍ରାମ ପଞ୍ଚାୟତ ତରଫରୁ ସରକାରଙ୍କ ଆବାସ ଯୋଜନା, ଅନ୍ତୋଦୟ ଯୋଜନା, ଭିଭିଜୀରାମଜୀ ଯୋଜନା ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଧିନସ୍ଥ ଆଶା, ଅଙ୍ଗନୱାଡି କର୍ମି, ସିଆରପି, ଏମବିକେ ଓ ଅଞ୍ଚଳବାସୀ ଜନସାଧାରଣ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ କର୍ମଚାରୀ ମୀନ ହାତୀ, ରଘୁନାଥ ଭୋଇ, ଏମବିକେ ସସ୍ମୀତା ଖାଡଙ୍ଗା ଓ ଅଙ୍ଗନୱାଡି କର୍ମି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





