ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପୁରା ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ସେ ବିଲାତରେ ଆଇନ ଶିକ୍ଷା ସମାପ୍ତି କରିଥିଲେ। ଦକ୍ଷିଣ ଆଫ୍ରିକାରେ ରହୁଥିବା ବେଳେ ଗାନ୍ଧୀଜୀ ଅନୁଭବ କରିଥିଲେ କଳା ଲୋକଙ୍କ ପ୍ରତି ଗୋରା ଲୋକମାନଙ୍କର ଅତ୍ୟାଚାର। ୧୯୧୫ରେ ଭାରତ ଫେରି ଆସି ୧୯୧୭ ରେ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ। ୧୯୨୦ ରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ। ଏହାପରେ ଲବଣ ସତ୍ୟାଗ୍ରହ, କୁଟି ଖାଅ କାଟି ପିନ୍ଧର ସ୍ଲୋଗାନରେ ଶହ ଶହ ସ୍ୱାଧୀନତା ପ୍ରେମୀ ଗାନ୍ଧିଜୀଙ୍କ ସହ ହାତ ବଢାଇଥିଲେ। ୧୯୪୨ ମସିହାରେ ତାଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ। ଗାନ୍ଧିଜୀଙ୍କ ସତ୍ୟ ଏବଂ ଅହିଂସା ଅସ୍ତ୍ରରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ଜଣେ ନିର୍ଭିକ ତଥା ନୀତିବାନ ମଣିଷ ହିସାବରେ ବାପୁଜୀ କେବଳ ଆମ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପରିଚିତ ଥିଲେ। ଆଜି ବି ସେ ସତ୍ୟ ଓ ଅହିଂସାର ପୂଜାରୀ ଭାବରେ ଆମ ସମସ୍ତଙ୍କର ହୃଦୟରେ ଜୀବିତ ଅଛନ୍ତି।





