୬୫ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଗୋଟିଏ କ୍ଲାସ୍‌ରୁମ୍‌; ଭିତ୍ତିଭୂମି ଅଭାବରେ ଶିକ୍ଷାଦାନ ବାଧାପ୍ରାପ୍ତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତ ଅନ୍ତର୍ଗତ କାଠଫେର ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ଶ୍ରେଣୀଗୃହ।

ଏକ ଶ୍ରେଣୀଗୃହରେ ଏତେ ସଂଖ୍ୟକ ପିଲାଙ୍କ ପାଠପଢ଼ା କିପରି ଚାଲୁଛି, ତାହା ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶ୍ରେଣୀଗୃହ ନଥିବାରୁ ପାଠପଢ଼ାରେ ଏକାଗ୍ରତା, ଶିକ୍ଷାଦାନର ଗୁଣବତ୍ତା ଓ ପିଲାଙ୍କ ଶିକ୍ଷା ପରିବେଶ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।

ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ପରିବେଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ କାଠଫେର ଗାଁର ଏହି ବିଦ୍ୟାଳୟର ଚିତ୍ର ଚିନ୍ତାଜନକ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରାଯାଇ ନଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନିର୍ମାଣ କରନ୍ତୁ। ଯାହାଦ୍ୱାରା କାଠଫେର ଗାଁର ୬୫ ଜଣ ଛାତ୍ରଛାତ୍ରୀ ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ନିୟମିତ ଭାବେ ପାଠପଢ଼ିବାର ସୁଯୋଗ ପାଇପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.