ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡ଼ା ଗ୍ରାମ ପଞ୍ଚାୟତରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ତାପସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗ୍ରାମସଭାରେ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ସରପଞ୍ଚ ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ପଞ୍ଚାୟତ ଅଞ୍ଚଳରୁ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ସହ ସମସ୍ତଙ୍କ ମିଳିତ ଉଦ୍ୟମରେ କୁରୁଡ଼ା ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ କହିଥିଲେ। ଏହି ଅବସରରେ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ଶିଶୁ ଶ୍ରମ ମୁକ୍ତ ଅଭିଯାନର ଜିଲ୍ଲା ଆବାହକ ଉବାଚକ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି ଓ ମନ୍ଦାକିନୀ ନାୟକ ଶିଶୁ ଶ୍ରମିକ ପ୍ରଥାର କୁପରିଣାମ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ। ଗ୍ରାମସଭାରେ ଉପସ୍ଥିତ ସମସ୍ତେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଶପଥ ଗ୍ରହଣ କରିଥିଲେ। ଶେଷରେ କୁରୁଡ଼ା ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ନିମନ୍ତେ ଗ୍ରାମସଭାରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।





