ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣାସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆନନ୍ଦ, ଉତ୍ସାହ ଓ ଆତ୍ମୀୟତାର ସହ ପାଳିତ ହୋଇଯାଇଛି। ନୂଆଖାଇର ମହାନ ପରମ୍ପରା, ଭାଇଚାରା, ସୌହାର୍ଦ୍ଦ ଓ ସାମାଜିକ ଏକତାର ବାର୍ତ୍ତାକୁ ଉଜ୍ଜୀବିତ କରିବା ଏହି ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଞ୍ଜିନିୟର ଅଜୟ ପଣ୍ଡା, ଚେୟାରପର୍ସନ ସଂଗୀତା ପଣ୍ଡା ଏବଂ ପଶ୍ଚିମ ଓଡିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ସର୍ବେଶ୍ୱର ଭୋଇ ଓ କଳାହାଣ୍ଡି କଟପ୍ପା ଶ୍ରୀ ସୁନୀଲ ମହାନନ୍ଦ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଏହି ଅବସରରେ ସମ୍ପାଦକ ଇଞ୍ଜିନିୟର ଅଜୟ ପଣ୍ଡା ଅଭିଭାଷଣ ପ୍ରଦାନ କରି ନୂଆଖାଇ ପର୍ବର ଐତିହ୍ୟ, ପରମ୍ପରା ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ନୂଆଖାଇ ଆମ ସାମାଜିକ ଜୀବନରେ ଏକତା, ଭାଇଚାରା ଓ ଆତ୍ମୀୟତାର ଭାବନାକୁ ଦୃଢ଼ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଭେଟଘାଟରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ସଭାପତି ଲକ୍ଷ୍ମୀକାନ୍ତ ବେହେରା, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଗେଶ୍ୱର ବେମାଲ, କଲେଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର, ଅଧ୍ୟକ୍ଷା ଆରସିୟା ସାଏଲାଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ ପରିବେଷଣ। ଛାତ୍ରଛାତ୍ରୀଙ୍କ ସହିତ ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନୂଆଖାଇର ଉତ୍ସବୀୟ ପରିବେଶ ଆହୁରି ମୁଖରିତ ହୋଇଉଠିଥିଲା। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଏକାଠି ସାଂସ୍କୃତିକ ପରିବେଷଣ ଉପସ୍ଥିତ ସମସ୍ତଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସମୂହିକ ଭାବେ ମଞ୍ଚ ପରିଚାଳନା କରିଥିଲେ। ତାଙ୍କର ସୁନ୍ଦର ମଞ୍ଚ ପରିଚାଳନା କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ ଓ ସୁସଂଗଠିତ କରିଥିଲା। ନୂଆଖାଇ ଭେଟଘାଟ ଅବସରରେ ସମସ୍ତେ ପରସ୍ପରକୁ ନୂଆଖାଇ ଜୁହାର ଜଣାଇବା ସହ ନୂଆଖାଇ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆଣୁ ବୋଲି କାମନା କରିଥିଲେ। ଏହି ଭେଟଘାଟ ମାଧ୍ୟମରେ ନୂଆ ପିଢ଼ି ମଧ୍ୟରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବାର ଏକ ସୁନ୍ଦର ପ୍ରୟାସ କରାଯାଇଥିଲା। ଶେଷରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।





