ପାରିବାରିକ କଳହରୁ ବାପାର ବେକ କାଟିଲା ପୁଅ

ଗୁରୁତର ଆହତ ବାପା, ଥାନା ଅଧିକାରୀଙ୍କ ମାନବିକତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି.ପେଣ୍ଡିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ପାରିବାରିକ କଳହରୁ ଜଣେ ପୁଅ ନିଜ ଜନ୍ମକଲା ବାପାର ବେକକୁ ବ୍ଲେଡ୍ ସାହାଯ୍ୟରେ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨.୩୦ ସମୟରେ ବାପା ଘରେ ଶୋଇଥିବା ବେଳେ ପୁଅ ହଠାତ୍ ଏକ ବ୍ଲେଡ୍ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା । ଏହାପରେ ଆହତ ବ୍ୟକ୍ତିଙ୍କ ଜ୍ୱାଇଁ ଲବ ପାଲାକା ଏବଂ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଏକ ଆମ୍ବୁଲାନ୍ସ ଯୋଗେ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗୁଡାରି ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନିଜେ ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରୁ ଟେକି ନେଇ ଚିକିତ୍ସା କରାଇବାରେ ସାହାଯ୍ୟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଆହତଙ୍କ ଗଳାରେ ୭ଟି ସିଲେଇ କରାଯିବା ପରେ ରକ୍ତସ୍ରାବ ବନ୍ଦ ହୋଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏବଂ ସ୍ଥାନୀୟ ମେଡିକାଲରେ ଆନୁଷଙ୍ଗିକ ସୁବିଧା ନଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପରିବାର ଲୋକଙ୍କ ପାଖରେ ଆଦୌ ଟଙ୍କା ନଥିବା ଜାଣିବାକୁ ପାଇ ଥାନା ଅଧିକାରୀ ଶ୍ରୀମତୀ ବାଗ ନିଜ ପକେଟରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଅପରପକ୍ଷରେ ଘଟଣାର ଖବର ପାଇ ଗୁଡାରି ଥାନା ଏସଆଇ ଶ୍ୟାମସୁନ୍ଦର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଅଭିଯୁକ୍ତ ପୁଅକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗୁଣୁପୁର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବାଗ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.