ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ଏକ ଗରିବ ପରିବାର ପାଇଁ ଦୁର୍ଦ୍ଦିନରେ ୨ ଲକ୍ଷ ଟଙ୍କାର ଆର୍ଥିକ ଭରସା ପାଲଟିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଜଳକିରଡା ଗ୍ରାମରେ ଦେଖିବାକୁ ମିଳିଛି। ଜଳକିରଡା ଗ୍ରାମର ସୌଦାମିନୀ ନାଏକଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ୱାମୀ ଉଦ୍ଧବ ନାଏକଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି। ବେନଗାଁ ଷ୍ଟେଟ୍ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ହିତେଶ କୁମାର ବିଶ୍ୱାଳଙ୍କ ପକ୍ଷରୁ ଏହି ବୀମା ଦାବିର ପ୍ରକ୍ରିୟା ସମ୍ପନ୍ନ କରାଯାଇ ବୀମା ରାଶି ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ସୌଦାମିନୀ ନାଏକ ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। କିନ୍ତୁ ତାଙ୍କ ଅକାଳ ବିୟୋଗ ପରେ ସେହି ଅଳ୍ପ ପରିମାଣର ପ୍ରିମିୟମ ତାଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ମାଧ୍ୟମ ହୋଇଛି। ସ୍ତ୍ରୀଙ୍କୁ ହରାଇ ଦୁଃଖରେ ଥିବା ଉଦ୍ଧବ ନାଏକଙ୍କ ପରିବାର ପାଇଁ ଏହି ବୀମା ରାଶି ନିଶ୍ଚିତ ଭାବେ ଏକ ବଡ ଆର୍ଥିକ ସମ୍ବଳ ପାଲଟିଛି। ଗ୍ରାମାଞ୍ଚଳର ଗରିବ ଓ ନିମ୍ନ ଆୟକାରୀ ପରିବାର ପାଇଁ ଅଳ୍ପ ପ୍ରିମିୟମରେ ବୀମା ସୁରକ୍ଷା ଏଭଳି ଆପତ୍ତିକାଳୀନ ସମୟରେ କେତେ ଗୁରୁତ୍ୱପୂର୍ଣ୍ଣ ଏହି ଘଟଣା ତାହାର ଏକ ଉଦାହରଣ। ବୀମା ସମ୍ପର୍କରେ ଅଧିକରୁ ଅଧିକ ଲୋକ ସଚେତନ ହେଲେ ଆକସ୍ମିକ ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ସମୟରେ ପରିବାରକୁ ଆର୍ଥିକ ଭାବେ ସହାୟତା ମିଳିପାରିବ। ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ବଦଳରେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବା ଘଟଣା ଜଳକିରଡା ଗ୍ରାମ ସମେତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।





