ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସହାବସ୍ଥାନ ସଚେତନତା ନେଇ ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି। ଅକ୍ଟୋବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଶୁକ୍ରବାର ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ ବିଶ୍ଵନାଥପୁର ମେଡିକାଲ ଛକ ଠାରୁ ବାହାରି ରେଞ୍ଜରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହର ପରିକ୍ରମା କରିବା ସହ ବନ୍ୟପ୍ରାଣୀ ସୁରକ୍ଷା, ବନ ସୁରକ୍ଷା ଓ ପଲିଥିନ ବ୍ୟବହାର ବନ୍ଦ କରିବା ନେଇ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ। ପରେ ବିଶ୍ୱନାଥପୁର ବନାଞ୍ଚଳ ସଭାଗୃହରେ ଏସିଏଫ୍ ତଥା ଭାରପ୍ରାପ୍ତ ରେଞ୍ଜର ନରୋତ୍ତମ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପ୍ରଧାନ ସଂସ୍ଥା ଜିଲ୍ଲା ସଂଯୋଜକ ବ୍ରଜକିଶୋର ଦାସ, ବ୍ଲକ କୋଅର୍ଡିନେଟର ସୁରେନ୍ଦ୍ର ମାଝୀ, ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯିବ ଏବଂ ଜୈବ ବିବିଧତାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସଭାକୁ ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ ପରିଚାଳନା କରିଥିବା ବେଳେ ଫରେଷ୍ଟର ଚିନ୍ତାମଣି ମାଝୀ, ଧରଣୀଧର ପଣ୍ଡା, ସମରେନ୍ଦ୍ର ପଣ୍ଡା, ସୁନିଲ ଦୁର୍ଗା, ମହେଶ ମହାପାତ୍ର, ଲିଙ୍ଗରାଜ ମାଝୀ, ଶମ୍ଭୁ ଧରୁଆ, ମନୋରଞ୍ଜନ ମହାପାତ୍ର, ବନରକ୍ଷୀ ହେମନ୍ତ କୁମାର, ରତିକାନ୍ତ ପାଣି, ସରୋଜ କୁମାର କାଣ୍ଡାମାକା, ପ୍ରିୟବ୍ରତ ପାଳ, ସୁରେନ୍ଦ୍ର ଶବର ପ୍ରମୁଖଙ୍କ ସମେତ ବନ କର୍ମଚାରୀ, ଛାତ୍ରଛାତ୍ରୀ ଓ ବନ୍ୟା ପ୍ରେମୀ ମାନେ ଉପସ୍ଥିତ ଥିଲେ ଶେଷରେ ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।





