ବର୍ଷା ଆସୁଥିଲା
ନୂଆ ଯୌବନରେ ପାଦଥାପି ଥିବା
ଝିଅଟେ ପରି
ଅଙ୍କା ବଙ୍କା ଉତେଇ ପରି
ସଜଫୁଟା ଗୋଲାପ ସାଥେ
ସାଥି ହୋଇ
ନୀରବର ଛାଇନିଦରେ ସ୍ବପ୍ନ ରେ ..।
ବର୍ଷା ଆସୁଥିଲା
ମୋ କବିତା ଘରବାହାରେ ମେଘୁରା ଆଖିରେ
ଜୁଡୁବୁଡୁ ଓଦା ଦେହରେ
ଅସଜଡ଼ା ବେଣୀ ସହ
ଫୁଲ ର ପାଖୁଡାରେ
ନୀଳ ଆକାଶର
ସବୁଜ ମେଘରେ
ବର୍ଷା ଆସୁଥିଲା
ମୋ ନୀରବ ଛାଇର ନିଦ ।
ବର୍ଷା ଆସୁଥିଲା
ଜହ୍ନ ପାଖ ଦେଇ
ତାରଙ୍କ ଗହଣେ
ଧୋଇ ପାପ ଓ ପୁଣ୍ୟର ପରିଧି
ଥିରି ଥିରି ହୋଇ
ଶିମୁଳି ତଳେ
ଶୋଇ ରହିରହି
ବର୍ଷା ଆସୁଥିଲା
ଶୀତୁଆ ପବନେ ଦେହ ଓ ମନ ଛୁଇଁ
ଆଖିର ଗଭୀରତା ରେ
ନୀଳ ସବୁଜ ବନାନୀରେ
ବର୍ଷା ଆସୁଥିଲା
ଛାତିର ନିଚ୍ଛକ ଇଲାକାରେ ଛପି ଛପି
ଚଗଲି ଝିଅଟେ ପରି
ବର୍ଷା ଆସୁଥିଲା
ମୋ ନୀରବ ଛାଇ ନିଦରେ ….. ।