ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ସ୍ୱାତନ୍ତ୍ର୍ୟବୀର ସାବରକର ଅଡ଼ିଟରିୟମ, ଦାଦର, ମୁମ୍ବାଇ ଠାରେ ପଶ୍ଚିମ ଓଡିଶା ପରିବାର, ମୁମ୍ବାଇ ତରଫରୁ ନୂଆଖାଇ ଭେଟଘାଟ ୨୦୨୪ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ଇଡି ଏଲଆଇସି ରତ୍ନାକର ପଟ୍ଟନାୟକ, ଇଡି – ଆରବିଆଇ ଚାରୁଲତା କର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଡ. ସପନ ମିଶ୍ର ଏବଂ ଚମ୍ପକ ତ୍ରିପାଠୀଙ୍କ ଦ୍ୱାରା ଦେବୀ ମନ୍ତ୍ର ଜପ କରିବା ସହିତ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ଉପଦେଷ୍ଟା ସଦସ୍ୟ ତଥା କିମ୍ବଦନ୍ତୀ ଅଭିନେତା-ନିର୍ଦ୍ଦେଶକ ସ୍ବର୍ଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ସ୍ମୃତିରେ ସମସ୍ତ ସଦସ୍ୟ ୨ ମିନିଟ ନିରବତା ପାଳନ କରିଥିଲେ। ବରିଷ୍ଠ ସଦସ୍ୟ ଆୟକର ବିଭାଗର ଅବସରପ୍ରାପ୍ତ କମିଶନର ଅଧ୍ୟକ୍ଷ ଶ୍ରୀକାନ୍ତ ଚାଟାର୍ଜୀ ଅତିଥି ଓ ଦର୍ଶକମାନଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ତୃତୀୟ ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ଗୌରବ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ଶ୍ରୀ ଗୌନ୍ତିଆ ସଂଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ରଙ୍ଗବତୀ ଗୀତର ସୃଷ୍ଟି ବିଷୟରେ କହିଥିଲେ।
ସମ୍ବଲପୁରୀ ଭାଷା ଓ ସଂସ୍କୃତିର ଅବଦାନ ପାଇଁ ଡକ୍ଟର ସପନ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ନୂଆଖାଇ ଏକ ଧାନ ଅମଳର ପର୍ବ, ଏହା କେବଳ କୃଷକମାନଙ୍କର ନୁହେଁ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ରତ୍ନକର ପଟ୍ଟନାୟକ କୋରାପୁଟରୁ ଆସି ସମ୍ବଲପୁର ଏଲଆଇସି ଡିଭିଜନରେ କାର୍ଯ୍ୟରତ ହୋଇ ପଶ୍ଚିମ ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ କୋରାପୁଟର ଏକ ଲୋକପ୍ରିୟ ଲୋକଗୀତ “ପାନି ମାରିଗଲା ଝାଇଁରେ ଦାଦା” ସହିତ “ରଙ୍ଗବତୀ’ ଗୀତକୁ ତୁଳନା କରିଥିଲେ। ମହାମାରୀ କରୋନାର ପ୍ରଥମ ପର୍ଯ୍ୟାୟରେ ପ୍ରବାସୀମାନଙ୍କୁ ଓଡିଶା ଆଣିବାରେ, ଦ୍ଵିତୀୟ ପର୍ଯ୍ୟାୟରେ ମାସ୍କ ବଣ୍ଟନ , ଅକ୍ସିଜେନ ବ୍ୟାଙ୍କ ଏବଂ କୋଭିଡ ହସପିଟାଲ ସ୍ଥାପନ ସହିତ ଦୁର୍ଗମ ଅଞ୍ଚଳରେ ଭିଏସଏସ ଫେଲୋସିପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରୁଥିବା ଜୁହାର ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ।
ଏଭଳି ସାମାଜିକ କାର୍ଯ୍ୟ ଜାରି ରଖିବା ପାଇଁ ସେ ଅନୁରୋଧ କରିଥିଲେ। ସମ୍ବଲପୁରର ବୋହୂ ହୋଇଥିବା ଚାରୁଲତା ସମଲେଇ ମା’ଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ସମ୍ବଲପୁରୀ ହସ୍ତତନ୍ତ ଓ ସମ୍ବଲପୁରୀ ସଂସ୍କୃତି ପ୍ରତି ଭଲପାଇବା ବିଷୟରେ କହିଥିଲେ। ପରେପରେ ଗୁରୁ ଦୁର୍ଗା ଦାଶ ଏବଂ ଗୁରୁ ଅସୀମ ପ୍ରଧାନଙ୍କ ନେତୃତ୍ୱରେ “ରଙ୍ଗ ଫରୁଆ” ଗ୍ରୁପ ଦ୍ୱାରା ପରିବେଷିତ ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଏବଂ ପ୍ରାମାଣିକ ଓଡିଆ ଖାଦ୍ୟ ଉପଭୋଗ କରିଥିଲେ। ପାରମ୍ପାରିକ ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ପରିଧାନ କରିଥିବା ସଦସ୍ୟମାନଙ୍କୁ ନେଇ ଏକ ସମ୍ବଲପୁରୀ ଫେସନ ଶୋ’ର ଆୟୋଜନ କରାଯାଇଥିଲା। ଶେଷରେ ସମସ୍ତ ଅତିଥି ଏବଂ ସଦସ୍ୟମାନେ ଚିତ୍ତାକର୍ଷକ ସମ୍ବଲପୁରୀ ସଂଗୀତର ତାଳେ ତାଳେ ନୃତ୍ୟ କରିବା ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ କବିତା ସାହାଣୀ ସଂଯୋଜନା କରିଥିଲେ।