ଅପର୍ତ୍ତୀ-ଗୁରେଇ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ

ଚଳିତ ବର୍ଷ ବାଲେଶ୍ଵରରେ ଜଉକଣ୍ଢେଇ ବାହାଘର ପାଇଁ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ ହେଲା ବାମପଦାରେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିରେ ପବିତ୍ର ରାମନବମୀ ଅବସରରେ ବାଲେଶ୍ଵର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ତରଫରୁ ଅପର୍ତ୍ତୀ ଗୁରେଇ ଜଉକଣ୍ଢେଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇ ମାଟି ପୂଜା ସମ୍ପନ୍ନ ହୋଇଛି।

ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ ସଭାରେ କମିଟିର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ସରପଞ୍ଚ କୈଳାସ ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଉକଣ୍ଢେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।

ଓଡ଼ିଶା ସରକାରଙ୍କ କଳାକୃତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ପାରମ୍ପରିକ ରୀତିରେ ମାଟିକୁ ପୂଜା କରି କଣ୍ଢେଇ ନିର୍ମାଣ ଶୁଭାରମ୍ଭ କରିଥିଲେ।

ଅନ୍ୟତମ ଅତିଥି ଭାବେ କମିଟିର ସଦସ୍ୟ ନୀଳମଣି ମଣ୍ଡଳ, ବିପିଏମ ବସନ୍ତ କୁମାର ମଲ୍ଲିକ, ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରୋଜେକ୍ଟ ଫଲୋ ସଦାନନ୍ଦ ଦାସ, ଶିଳ୍ପୀ ଅଙ୍କିତା ଦାସ, ବାମପଦା ପ୍ରଡୁସର ଗ୍ରୁପର ସଭାପତି ଅନିତା ସିଂ,

ସମ୍ପାଦକ ମିନତୀ ମାରାଣ୍ଡି ଓ ଏଲଏସପି ଫୁଲମଣି ସୋରେନ ଯୋଗ ଦେଇ ଜଉକଣ୍ଢେଇର ପ୍ରଚାର ପ୍ରସାର ପାଇଁ ମତ ବ୍ୟକ୍ତ କରିଥିଲେ। ପ୍ରଡୁସର ଗ୍ରୁପର ୫୦ରୁ ଉର୍ଦ୍ଧ ଜଉକଣ୍ଢେଇ ଶିଳ୍ପୀ ଯୋଗ ଦେଇଥିବା ବେଳେ କୁନାରାମ ସୋରେନ ଧନ୍ୟବାଦ ଦେଇଥିଲେ।

ପ୍ରକାଶ ଥାଉ କି ଚଳିତ ବର୍ଷ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା ଓ ମଇ ୨୨ ରୁ ୨୬ ପର୍ଯ୍ୟନ୍ତ ବାଲେଶ୍ଵରର ମିଶନ ପଡ଼ିଆରେ ୫ ଦିନ ଧରି ଅପର୍ତ୍ତୀ-ଗୁରେଇ ଜଉକଣ୍ଢେଇ ବାହାଘର ଉତ୍ସବ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.