ଜୁନାଗଡ: ଗଣଦୁଷ୍କର୍ମ ଘଟଣାକୁ ନେଇ ପୁଲିସର ତନାଘନା

ଜଣେ ଗିରଫ, ୩ ଜଣ ଗଣଦୁଷ୍କର୍ମକାରି ଫେରାର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ନାଟକ ଦେଖି ଆସିଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗାଁରେ ନାଟକ ପରିବେଷଣ ହେଉଥିବାରୁ ସଂପୃକ୍ତା ଯୁବତୀ ସନ୍ଧ୍ୟା ୭ଟାରେ ନାଟକ ଦେଖିବାକୁ ଯାଉଥିଲେ। ଯୁବତୀ ଜଣକ ଏକାକୀ ଯାଉଥିବା ଦେଖି ତୁଳସୀରାମ ବିଶ୍ବାଳ ଓ ଅନ୍ୟ ୩ ଜଣ ତାଙ୍କୁ ସେଠାରୁ ଟେକି ନେଇ ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଏକ ନଳକୂଅ ନିକଟରେ ଗଣଦୁଷ୍କର୍ମ କାରୀମାନେ ଛାଡି ଚାଲି ଯାଇଥିଲେ। ସକାଳୁ ପୀଡିତା ଘରକୁ ଆସିବାର ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରି ପୀଡିତାଙ୍କୁ ଠାବ କରିଥିଲେ। ତେବେ ଯୁବତୀ ଲୋକଲଜ୍ଜା ପାଇଁ ଏସଂପର୍କରେ କାହାକୁ କିଛି କହି ନଥିଲେ। କିନ୍ତୁ ଯୁବତୀଙ୍କ ରକ୍ତସ୍ରାବ ନ କମିବାରୁ ଗତ ୧ତାରିଖରେ ଜୁନାଗଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ଡାକ୍ତର ପରୀକ୍ଷାବେଳେ ଗଣଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଜୁନାଗଡ଼ ଥାନାକୁ ଯାଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଜୁନାଗଡ ପୁଲିସ ପକ୍ଷରୁ କେଶ ନମ୍ବର -୦୨୬୫ ତା. ୧/୪/୦୨୫ ଦଫା ୧୩୭(୨). ୬୪(୧).୩(୫)ମାମଲାରେ ରୁଜୁ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ତୁଳସୀରାମ ବିଶ୍ବାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ିଦେବା ପାଇଁ ରାଜନୈତିକ ଚାପ ପକାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ତେବେ ଏହି ଘଟଣାରେ ଜୁନାଗଡ଼ ପୁଲିସର ତଦନ୍ତ କେଉଁ ଆଡେ ଗତି କରୁଛି ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.