ସମସ୍ୟା ଘେରରେ ବାଘନକି ଗାଁ 

ସରକାରୀ ଯୋଜନା ଏଠି ବାଟବଣା: ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାଣି ସବୁ ସୁବିଧାରୁ ବଞ୍ଚିତ ଆଦିବାସୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ମାଳମାଳ ଯୋଜନା ସତ୍ବେ ବାଘନକି ଗାଁରେ ସରକାରୀ ଯୋଜନା ବାଟବଣା। ଆଜିବି ଏହି ଗାଁରେ ପହଞ୍ଚି ପାରିନାହିଁ ମୌଳିକ ସୁବିଧା। ନା ମିଳିଛି ପକା ରାସ୍ତା ନା ମିଳିଛି ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟ,ଶିକ୍ଷା, ବିଜୁଳି ପାଲଟିଛି ସାତ ସପନ। ଏମିତି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ବାଘନକି ଗାଁ। ଏହି ଗାଁରେ ପାଖାପାଖି ୩୦ଘର ଆଦିବାସୀ ଜନସମ୍ପ୍ରଦାୟ ଲୋକେ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଏହି ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ରାସ୍ତା ଓ ବିଜୁଳି, ଭଲି ଅନେକ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଗାଁ ଚାରି ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଗାଁରେ ବିଜୁଳି ସଂଯୋଗ ହୋଇନଥିବା ଯୋଗୁଁ  ବନ୍ୟଜନ୍ତୁଙ୍କ ଭୟରେ ଲୋକେ ସନ୍ଦ୍ୟା ହେଲେ କବାଟ ଢାଙ୍କିଥାନ୍ତି।  ଗାଁରେ ପିଇବା ପାଣି ପାଇଁ ସୋଲାର ମାଧ୍ୟମରେ ପାଣି ଯୋଗାଇ ଦିଆଯାଇଛି ସତ କିନ୍ତୁ ତାହା ବି ଠିକ ଭାବରେ ଚାଲୁନାହିଁ। ଫଳରେ ବାଧ୍ୟ ହୋଇ ଗାଁ ଲୋକେ ସ୍ଥାନୀୟ ନାଳର ଗୋଳିଆ ପାଣି ପିଉଛନ୍ତି। ଗାଁରେ ସ୍କୁଲ ବା ଅଙ୍ଗନବାଡି କେନ୍ଦ୍ର ନାହିଁ ଏମାନଙ୍କୁ ସ୍କୁଲ ଯିବାକୁ ହେଲେ ବଣପାହାଡ଼ ଘେରା ରାସ୍ତା ଦେଇ ୪କି.ମି ଆମପଦର ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡିଥାଏ। ତେବେ ବଣପାହାଡ଼ ରାସ୍ତା ଯୋଗୁଁ ଅନେକ ପିଲା ଭୟରେ ସ୍କୁଲ ଯାଆନ୍ତି ନାହିଁ। ଗାଁରେ ସ୍କୁଲ,ବିଜୁଳି ଓ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ, ବ୍ଳକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମ ବାସି ମତପ୍ରକାଶ କରିଛନ୍ତି। ତେବେ ଏହି ଗାଁ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଗୁହାରି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.