ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମରେ ଜୟ ଲାନ୍ଥେଶ୍ୱର ନାଟ୍ୟ କଳା ପରିଷଦ ଆହ୍ୱାନ କ୍ରମେ ବ୍ଲକ ଅଞ୍ଚଳର କଳାକାରଙ୍କୁ ନେଇ ବ୍ଲକସ୍ତରୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି | ଆଗାମୀ ଦିନରେ ବ୍ଲକ କଳା ସାଂସ୍କୃତିକ କମିଟି ଗଠନ ହେବାକୁ ଥିବା ଯୋଗୁଁ ଏଥିରେ ବ୍ଲକର ସମସ୍ତ କଳାକାରଙ୍କ ସହଭାଗିତା ନେଇ ସଭାରେ ଆହ୍ୱାନ ଦିଆଯାଇଥିଲା | ସଭା ପ୍ରାରମ୍ଭରେ ବ୍ଲକ କଳା ସାଂସ୍କୃତିକ ସଙ୍ଘର ଉପସଭାପତି ପରେଶ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ସଙ୍ଘକୁ ସଶକ୍ତ କରି ଗଢି ତୋଳିବା ନେଇ ମତ ରଖିଥିଲେ | ସଂଚାର କଳାକାର କ୍ଷମାସାଗର ବାଗ ସ୍ଵାଗତ ଭାଷଣ ଦେଇ କଳାକୁ ବଞ୍ଚେଇ ରଖିବା ପାଇଁ ସବୁ ସ୍ତରରେ ଚେଷ୍ଟା ହେବା ଆବଶ୍ୟକ ବୋଲି କହିଥିଲେ | ନାଟ୍ୟ କଳାକାର ଘାସିରାମ ଖମାରୀ ସଭାରେ ଅଧ୍ୟକ୍ଷତା କରି କଳାକାରଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା, ସମସ୍ୟା ନିରାକରଣ, ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ |ଶେଷରେ ପରିଷଦ ସମ୍ପାଦକ ସଦାନନ୍ଦ ମିର୍ଦ୍ଧା ନୂଆଁଖାଇ ଭେଟଘାଟ ଆୟୋଜନ ନେଇ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ | ସୁରେନ୍ଦ୍ର ବେହେରା, ରଥ ବକୁଳ, ତୀର୍ଥ ବଗର୍ତ୍ତି, ଯୋଗେନ୍ଦ୍ର ପଧାନ, ତ୍ରିନାଥ କମ୍ପ, ବାଞ୍ଛାନିଧି ବୁଡେକ, କୃଷ୍ଣ ବଗର୍ତ୍ତି, ନେପାଲ ମାଝି, ଭାଗେଶ୍ୱର ରାଜପଲିଆ, ଚିତ୍ରସେନ ଭୋଇ, ପଦ୍ମଲୋଚନ ମଲ୍ଲିକ, ଶ୍ୟାମ ମିର୍ଦ୍ଧା, ସତ୍ୟବାନ ମିର୍ଦ୍ଧା ପ୍ରମୁଖଙ୍କ ସମେତ ବହୁ କଳାକାର ଉପସ୍ଥିତ ରହିଥିଲେ | ପରିଷଦ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |