ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଶ୍ରୀ ସଦାଶିବ ପରିସର, ପୁରୀ ଏବଂ ଧ୍ରୁବଜ୍ୟୋତି ଗବେଷଣା ପ୍ରତିଷ୍ଠାନଙ୍କ ସଂଯୁକ୍ତ ତତ୍ତ୍ଵାବଧାନରେ ଜୟଦେବ ଅଡିଟୋରିୟମ୍ରେ “ଭାରତୀୟ ଜ୍ଞାନ ପରମ୍ପରାରେ ରୋଗ ବିଚାର” ବିଷୟକ ଦ୍ୱିଦିନୀୟ ଆନ୍ତର୍ଜାତୀୟ ସେମିନାର ଭବ୍ୟ ଓ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ନୂଆଦିଲ୍ଲୀର ବେଦ-ବେଦାଙ୍ଗ ପୀଠାଧ୍ୟକ୍ଷ ଏବଂ ଉତ୍ତରାଖଣ୍ଡ ସଂସ୍କୃତ ୟୁନିଭର୍ସିଟିର ପୂର୍ବତନ କୁଳପତି ପ୍ରଫେସର ଦେବୀ ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଭାରତୀୟ ଜ୍ଞାନ ପରମ୍ପରାର ବୈଜ୍ଞାନିକ ଭିତ୍ତି ଓ ଆଧୁନିକ ପରିପ୍ରେକ୍ଷୀରେ ଏହାର ପ୍ରାସଙ୍ଗିକତା ବିଷୟରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଭାଜପା ଜିଲ୍ଲା ସଭାପତି ଡା. ଦେବେନ୍ଦ୍ରନାଥ ତରାଇ ଏବଂ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମଧ୍ୟ ଯୋଗଦେଇ ଭାରତୀୟ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ପ୍ରଚାରର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ଦୁଇଦିନ ଧରି ଦେଶ-ବିଦେଶରୁ ଆସିଥିବା ପ୍ରସିଦ୍ଧ ଗବେଷକ, ଅଧ୍ୟାପକ ଓ ପଣ୍ଡିତମାନେ ବେଦ, ବେଦାଙ୍ଗ, ପୁରାଣ, ଉପନିଷଦ ଓ ଜ୍ୟୋତିଷ ଆଦି ଶାସ୍ତ୍ରରେ ରୋଗ ବିଚାର ସମ୍ବନ୍ଧୀୟ ତାଙ୍କର ଗବେଷଣା ପତ୍ର ପ୍ରସ୍ତୁତ କରିଥିଲେ। ଶାସ୍ତ୍ରୀୟ ଚର୍ଚ୍ଚା, ପ୍ରଶ୍ନୋତ୍ତର ଓ ମନ୍ଥନ ମାଧ୍ୟମରେ ଅନେକ ନୂତନ ଦୃଷ୍ଟିକୋଣ ଉଦ୍ଭାସିତ ହୋଇଥିଲା। ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ବିଦ୍ୱାନ ଡା. ସୀତାକାନ୍ତ କରଙ୍କୁ “ଦୈବଜ୍ଞ ପ୍ରତିଭା ସମ୍ମାନ” ପ୍ରଦାନ। ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନ, ଗଭୀର ଅଧ୍ୟୟନ ଓ ସମାଜମୁଖୀ ସେବା ପାଇଁ ଏହି ସମ୍ମାନ ଦିଆଯାଇଥିଲା। ସମ୍ମାନ ଗ୍ରହଣ ପରେ ଡା. କର ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ସମ୍ମାନ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ତାଙ୍କର ମାତାପିତାଙ୍କ ଆଶୀର୍ବାଦ ଓ ଗୁରୁଜନଙ୍କ କୃପାର ଫଳ। ସେ ଏହି ସମ୍ମାନକୁ ନିଜ ମାତାପିତା ଓ ସମସ୍ତ ଗୁରୁଜନଙ୍କ ଚରଣେ ସମର୍ପିତ କରିଥିବା କଥା ଭାବବିହ୍ୱଳ ଭାବରେ ପ୍ରକାଶ କରିଥିଲେ। ଡ. କର କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ବୋର୍ଡା ଗ୍ରାମର ବସନ୍ତ କର ଓ ବାସନ୍ତୀ କର ଙ୍କ ତୃତୀୟ ପୁତ୍ର ଅଟନ୍ତି।





