ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି। ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା। ଅଗଣା ଚାଳରେ ବସା ବାନ୍ଧି ଥିବା ଘର ଚଟିଆ ଗୁଡ଼ିକ ମଧ୍ୟ କିଚିରି ମିଚିରି ଶବ୍ଦ କରି ଘୁରି ବୁଲୁଥିଲେ ଅଗଣା ସାରା। କିନ୍ତୁ ମଣିଷ ଚାଳ ଘର ଭାଙ୍ଗି ନିଜ ପାଇଁ ଛାତ ଘର ତୋଳିବା ପରେ ଘର ଚଟିଆ ମାନେ ବାସ ହରା ହୋଇପଡ଼ିଲେ। କ୍ରମାଗତ ଭାବେ ଲୋପ ପାଇଲା ଘର ଚଟିଆଙ୍କ ବଂଶ। ଏହା ସହିତ ମୋବାଇଲ୍ ଟାୱାର୍ ଗୁଡ଼ିକର ବିକିରଣର କୁପ୍ରଭାବ ମଧ୍ୟ ପଡିଛି ଘର ଚଟିଆଙ୍କ ଜୀବନ ଶୈଳୀ ଉପରେ। ବର୍ତ୍ତମାନ ଗାଆଁ ଗହଳିରେ ଖୁବ୍ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛନ୍ତି ଘର ଚଟିଆ। ବିଶେଷ କରି ବିଭିନ୍ନ ବିଦ୍ୟାଳୟ, କୋଠା ଘରର ଛାତ ତଳେ ବାୟୁ ଚଳାଚଳ ପାଇଁ ଥିବା ରାସ୍ତାରେ ଘର ଚଟିଆ ମାନେ ନିଜର ବସା ବାନ୍ଧି ରହୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଘର ଏବଂ ବିଦ୍ୟାଳୟ ସଫେଇ କରିବା ଆଳରେ ଘର ମାଲିକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଚଟିଆ ବସା ଗୁଡ଼ିକୁ ବାହାର କରି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି। ସେହିପରି ଘରେ ରହୁଥିବା ଘରା ଚଟିଆ ଗୁଡ଼ିକ ବେଳେ ବେଳେ ବିରାଡି ଦ୍ୱାରା ଶିକାର ହେବା ସହିତ ବହୁ ସମୟରେ ଘରର ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥାନ୍ତି। ଅନ୍ୟପକ୍ଷରେ କିଛି ସହୃଦୟ ବ୍ୟକ୍ତି ନିଜ ଘର ଆଗରେ ବାଉଁଶ ଟୋକେଇ, ମାଟି ହାଣ୍ଡିରେ ଘର ଚଟିଆ ବସା ତିଆରି କରି ଘର ଚଟିଆ ଗୁଡ଼ିକୁ ଆଶ୍ରୟ ଦେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଲି ପ୍ରତୀୟମାନ ହେଉଛି। ପ୍ରତିବର୍ଷ ମାର୍ଚ୍ଚ କୋଡିଏ ତାରିଖରେ କାଗଜ ପତ୍ରରେ ପାଳନ କରାଯାଉଛି ଘର ଚଟିଆ ଦିବସ। କିନ୍ତୁ ଘର ଚଟିଆଙ୍କ ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ। ତେଣୁ ଘରା ଚଟିଆ ସୁରକ୍ଷା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଗ୍ରାମାଞ୍ଚଳର ପ୍ରକୃତି ପ୍ରେମୀ ମାନଙ୍କୁ ଘର ଚଟିଆର ସୁରକ୍ଷା ପାଇଁ ସ୍ଵତନ୍ତ୍ର ରୂପେ ତାଲିମ ପ୍ରଦାନ କରାଯିବା ସହିତ ପ୍ରୋତ୍ସାହିତ କରିବା ଉଚିତ୍। ସେହିପରି ବିଦ୍ୟାଳୟରେ ଥିବା ବଗିଚା ଗୁଡ଼ିକରେ ଘର ଚଟିଆଙ୍କ ପାଇଁ ସ୍ଵତନ୍ତ୍ର ଘର ପ୍ରସ୍ତୁତ କରାଯାଇପାରିଲେ ବିଦ୍ୟାଳୟ ସ୍ତରରୁ ମଧ୍ୟ ଘର ଚଟିଆ ସୁରକ୍ଷା ଅଭିଯାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.