ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଜଳେଶ୍ୱରସ୍ଥିତ ବାଣିଦା ଗ୍ରାମରେ ବିଶିଷ୍ଟ ଗବେଷକ ଡକ୍ଟର ନଗେନ୍ଦ୍ରନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଗବେଷଣାତ୍ମକ ଗ୍ରନ୍ଥ ‘ଲୋଧା ସମାଜ ଓ ସାହିତ୍ୟ’ ଗବେଷକଙ୍କ ବଡ଼ଭାଇ ଭୂପତି ଚରଣ ମହାପାତ୍ରଙ୍କ ଦ୍ୱାରା ପାଠକାର୍ପିତ ହୋଇଯାଇଛି।ଅନୁଷ୍ଠାନର ଉପସଭାପତି ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସଂଗଠନ ସଂପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଗବେଷକ ଡକ୍ଟର ମହାପାତ୍ରଙ୍କ ଉଚ୍ଚକୋଟୀର ଗବେଷଣା ଓ ପ୍ରକାଶିତ ଉପାଦେୟ ପୁସ୍ତକଗୁଡ଼ିକ ସଂପର୍କରେ ଆଲୋଚନା କରିବା ସହ ଲୋଧା ସଂପ୍ରଦାୟ ସମ୍ବନ୍ଧରେ ତାଙ୍କର ଗବେଷଣା ପୁସ୍ତକ ଓଡ଼ିଆ ବାଣୀଭଣ୍ଡାର ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ବୋଲି ମତପୋଷଣ କରିଥିଲେ। ବକ୍ତା ଭାବରେ ଯୋଗ ଦେଇ ଯୁବ ଗବେଷକ ଡକ୍ଟର ସାରଙ୍ଗଧର ତ୍ରିପାଠୀ, କବୀ କଲ୍ୟାଣୀ ନନ୍ଦ ଓ ଦୀପକ ବୋଷ ପୁସ୍ତକ ସଂପର୍କରେ ଆଲୋଚନା ପ୍ରସଙ୍ଗରେ କହିଲେ ଯେ ଡକ୍ଟର ମହାପାତ୍ର ବହୁ ଶ୍ରମ ଓ ସାହସର ସହିତ ‘ଅପରାଧପ୍ରବଣ’ ବୋଲି ଆଖ୍ୟା ଦିଆ ଯାଉଥିବା ଲୋଧା ସଂପ୍ରଦାୟଙ୍କ ସହିତ ସାକ୍ଷାତ୍ କରି, ସେମାନଙ୍କ ସହିତ ଅନେକ ସମୟ ବିତାଇ ସେମାନଙ୍କର ସାମାଜିକ, ଶୈକ୍ଷିକ, ଆର୍ଥନୀତିକ ଓ ଆଧ୍ୟାତ୍ମିକ ଦିଗ ଉପରେ ଗବେଷଣା କରି ଯେଉଁ ଅମୂଲ୍ୟ ଗ୍ରନ୍ଥଟିଏ ପ୍ରକାଶ କରି ପାରିଛନ୍ତି, ସେଥିପାଇଁ ସେ ପ୍ରଶଂସାର ପାତ୍ର।
ଲେଖକ ଡକ୍ଟର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଲୋଧାମାନଙ୍କ ସଂପର୍କରେ ସେ ଗବେଷଣା କରିବାକୁ ମନସ୍ଥ କରିବା ସମୟରେ ତାଙ୍କର ଶୁଭାକାଂକ୍ଷୀମାନେ ତାଙ୍କୁ ଏଥିରୁ କ୍ଷାନ୍ତ ହେବାକୁ ପରାମର୍ଶ ଦେଇଥିଲେ। ଲୋଧାମାନେ ଅପରାଧପ୍ରବଣ ହୋଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେମାନେ ଦର୍ଶାଇଥିଲେ। ମାତ୍ର ସେ ସମସ୍ତଙ୍କ କଥାକୁ ଭ୍ରୂକ୍ଷେପ ନ କରି ମନରେ ସାହସ ସଞ୍ଚୟ କରି ଏ ଗବେଷଣାରେ ଆଗେଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ସଭା ପ୍ରାରମ୍ଭରେ ପ୍ରିୟଙ୍କା ଦାସ ଓ କଲ୍ୟାଣୀ ନନ୍ଦ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ ଶିବଶଙ୍କର ଦାସ ଓ ପୁନମ ଦାସ ଯନ୍ତ୍ରାଂଶରେ ସହଯୋଗ କରିଥିଲେ। ଶିଶୁ ନୃତ୍ୟାଙ୍ଗନା ଦିବ୍ୟାଂଶି ଦାସ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଗବେଷକଙ୍କ ପତ୍ନୀ ସବିତା ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗବେଷକ ଡ. ମହାପାତ୍ର ତିରିଶ ଖଣ୍ଡରୁ ଊର୍ଦ୍ଧ୍ୱ ପୋଥି ସଂପାଦକ ଡ. ତ୍ରିପାଠୀଙ୍କୁ ହସ୍ତାନ୍ତର କରିଥିଲେ ଯାହା ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯିବ। ଏଠାରେ ପ୍ରକାଶ ଥାଉ କି ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବେ ପୁରାତନ ପୋଥି ସଂଗ୍ରହ ଓ ସଂରକ୍ଷଣର କାର୍ଯ୍ୟକ୍ରମ ହାତକୁ ନେଇଛି ଓ ବିଶ୍ୱବିଦ୍ୟାଳୟକୁ ଏ କାର୍ଯ୍ୟରେ ସହଯୋଗ କରିବାକୁ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ନିକଟରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଶେଷରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ଓ ପିନାକୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





