ଶିକ୍ଷକତା ବୃତ୍ତିରୁ ଅବସର ନେଲେ ଓଡିଶାର ସୁଖ୍ୟାତ ଗାଳ୍ପିକ ଅଞ୍ଜନ ଚାନ୍ଦ : ବିଦାୟ ସଭାରେ ଲୋକାର୍ପିତ ହେଲା ଗଳ୍ପ ସଂକଳନ ‘ଗୋଟିଏ ଜଳଯାତ୍ରାର କାହାଣୀ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଜଣେ ସୁପରିଚିତ ଗାଳ୍ପିକ ଅଞ୍ଜନ ଚାନ୍ଦ ସମ୍ପ୍ରତି ନିଜର ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ସେ ବାଲେଶ୍ୱର ଜିଲ୍ଲାର ବରୁଣସିଂ ସ୍ଥିତ ନୀଳଗିରି ରୋଡ଼ ହାଇସ୍କୁଲରେ ବରିଷ୍ଠ ସଂସ୍କୃତ ଶିକ୍ଷକ ଭାବେ ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ, ବରୁଣସିଂ ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଚାନ୍ଦଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗାଳ୍ପିକ ଶ୍ରୀ ଚାନ୍ଦଙ୍କ ଷଷ୍ଠ ଗଳ୍ପ ସଂକଳନ ‘ଗୋଟିଏ ଜଳଯାତ୍ରାର କାହାଣୀ’ ଉନ୍ମୋଚିତ ହୋଇଥିଲା। ସମ୍ବର୍ଦ୍ଧନା ସଭାର ଏହା ଥିଲା ଅନ୍ୟତମ ଆକର୍ଷଣ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ପ୍ରଶାନ୍ତ ଦାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ସେ କହିଥିଲେ, “ଶିକ୍ଷକତା ସହିତ ନିରନ୍ତର ଲେଖନୀ ଚାଳନା କରି ଶ୍ରୀ ଚାନ୍ଦ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ସୁପରିଚିତ ଗାଳ୍ପିକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।” ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ପ୍ରଭା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମାର୍କଣ୍ଡ ଚରଣ ସେଠୀ, ବାଲେଶ୍ୱର ଓଷ୍ଟାର ପୂର୍ବତନ ସଭାପତି ବାଦଲ ଚନ୍ଦ୍ର ପାତ୍ର, ବର୍ତ୍ତମାନର ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ବିଜୟ କୁମାର ପାତ୍ର, ପ୍ରସନ୍ନ କୁମାର ମିଶ୍ର, ଗୋପବନ୍ଧୁ ଦାସ, ବାସୁଦେବ ପାଣିଗ୍ରାହୀ, ସରପଞ୍ଚ ଝିଲିଶ୍ରୀ ମହାଳିକ, ରଘୁନାଥ ପଣ୍ଡା, ଶଶିକାନ୍ତ ପରିଡ଼ା, ଚିତ୍ରଲେଖା ମହାପାତ୍ର, ଆଶିଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଚାନ୍ଦଙ୍କ ଶିକ୍ଷକ ଜୀବନ ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସୋନାଲିଶିଖା ପାଣିଗ୍ରାହୀଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ସୁକାନ୍ତି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ଚାନ୍ଦ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ହେବା ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.