ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗୋପାଳଗାଁର ବୁଦ୍ଧବିହାର କଲୋନୀରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଏପ୍ରିଲ ମାସ ୧୯ ତାରିଖ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ଗତ ୨୧ ତାରିଖରେ ଉଦଯାପିତ ହୋଇ ଯାଇଛି। ଅକ୍ଷୟ ତୃତୀୟା ଦିନ ପ୍ରାୟ ଦୁଇହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ୨୧ ତାରିଖ ଦିନ ୧୦ ଘଟିକାରେ ନାମଯଜ୍ଞ ସମାପ୍ତ ପରେ ଘଟ ବିସର୍ଜନ କରାଯାଇଥିଲା। ଏଇଦିନ ସନ୍ଧ୍ୟା ୭ଟାରେ ଏକ ସାଂସ୍କୃତିକ କାର୍ଯ୍ୟ ଆରମ୍ଭ କରାଯାଇ ଜୁନିଅର୍ ଗ୍ରୁପ୍ ରେ ପ୍ରଥମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ଯାଏ ଓ ସିନିୟର ଗ୍ରୁପରେ ସପ୍ତମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତାଙ୍କୁ ପୁରସ୍କୃତ କରା ଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ ଅଷ୍ଟ ପ୍ରହରୀ ନାମଯଜ୍ଞ କମିଟିର ସଭାପତି ଦେବେନ୍ଦ୍ର କୁମାର ରାଉଳ, ସମ୍ପାଦକ ଭାସ୍କର ଚନ୍ଦ୍ର ବାରିକ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତଥା କମିଟିର ସଭ୍ୟ ସର୍ବେଶ୍ୱର ମହାନ୍ତି, ସମାଜସେବୀ ଆଡ଼ଭୋକେଟ ଶାନ୍ତନୁ କୁମାର ଦାସ ଅଷ୍ଟପ୍ରହରୀର ଆଧ୍ୟାତ୍ମିକ ଦିଗ ଉପରେ ବିଶଦ ଆଲୋକପାତ କରି କଲୋନୀରେ ନାମଯଜ୍ଞ କରିବାର ଶୁଭ ଉଦ୍ଦେଶ୍ୟ ସମ୍ପର୍କରେ ବଖାଣିଥିଲେ। ଶେଷରେ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ପରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ଶ୍ୱେତାଲିସା ଶୁଭଦର୍ଶିନୀଙ୍କୁ ‘ବୁଦ୍ଧବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ’ ଭାବେ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ବିଚାରକ ଭାବେ ଡ. ଦିଲ୍ଲୀପ କୁମାର ଦାସ, ସୁସାହିତ୍ୟିକା ଦେବଯାନୀ ଦାସ, କଣ୍ଠଶିଳ୍ପୀ ଶ୍ୱେତାଲିସା ଶୁଭଦର୍ଶିନୀ ଯୋଗ ଦେଇଥିଲେ। ସମଗ୍ର ମଞ୍ଚକୁ ପରିଚାଳନା କରିଥିଲେ ଶିଶୁ ସାହିତ୍ୟିକ, ଗୀତିକାର, ନାଟ୍ୟକାର ପୀତାମ୍ବର ଦାସ। ବୁଦ୍ଧ ବିହାରର ବହୁ ମହିଳାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ଜନସାଧାରଣ ଏଥିରେ ସହଯୋଗ କରିଥିଲେ।





