ଦିବ୍ୟାଙ୍ଗ ନାତୁଣୀକୁ ଦୁଷ୍କର୍ମ ଅଭିଯୋଗରେ ୭୦ ବର୍ଷୀୟ ବୃଦ୍ଧ ଗିରଫ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ/ କଣ୍ଟାବାଞ୍ଜି (ଅମରେଶ ମାଝୀ): ଜଣେ ୭୦ ବର୍ଷୀୟ ବୃଦ୍ଧ ନିଜର ଦିବ୍ୟାଙ୍ଗ ନାତୁଣୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଭଳି ଏକ ଅମାନବୀୟ ଘଟଣା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ତୁରେକେଲା ଥାନା ପଖନମୁଣ୍ଡା ଗ୍ରାମର ପିତ ମାଝୀ (୭୦) ନାମକ ଜଣେ ବୃଦ୍ଧଙ୍କୁ ତାଙ୍କର ସମ୍ପର୍କୀୟ ୨୭ ବର୍ଷୀୟା ନାତୁଣୀ ସେବା ଶୁଶ୍ରୂଷା କରି ଆସୁଥିଲେ। ଯୁବତୀ ଜଣକ ମାନସିକ ଅନଗ୍ରସର ଓ ଭିନ୍ନକ୍ଷମ ହୋଇଥିବାର ସୁଯୋଗ ନେଇ ପିତ ମାଝୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥାନାରେ ହୋଇଥିଲା। ଏଥିସହ ଏହି ବିଷୟରେ କାହାକୁ କିଛି ନ କହିବା ପାଇଁ ସେ ପୀଡ଼ିତାଙ୍କୁ ବାରମ୍ବାର ଭୟଭୀତ ଓ ଧମକ ଚମକ୍ କରି ଆସୁଥିଲେ। ଗତ କିଛିଦିନ ହେବ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହାପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବାରୁ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହି ଲଜ୍ୟାଜନକ ଘଟଣା ଜଣାପଡ଼ିବା ପରେ ପୀଡ଼ିତାଙ୍କ ପକ୍ଷରୁ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ତୁରେକେଲା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ ପିତ ମାଝୀଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା କରାଇ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.