‘ମାସ୍’ର ନିଆରା ଅଭିଯାନ: ୨୪ ଜଣ ଶ୍ରମଜୀବୀଙ୍କୁ ‘ସବୁ କାମକୁ ସମ୍ମାନ’ରେ କରାଗଲା ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମାଜ ଗଠନରେ ସବୁ ବର୍ଗର ଶ୍ରମଜୀବୀଙ୍କ ଭୂମିକା ସମାନ, କିନ୍ତୁ ନୀରବ ସାଧକମାନଙ୍କୁ ପ୍ରାୟତଃ ଯଥୋଚିତ ସମ୍ମାନ ମିଳେନାହିଁ। ଏହି ବାର୍ତ୍ତା ନେଇ ମଇ ଦିବସ ଅବସରରେ ‘ମାନବ ଅଧିକାର ସୁରକ୍ଷା ସଂସଦ’ ବା ‘ମାସ୍’ ପକ୍ଷରୁ ‘ସବୁ କାମକୁ ସମ୍ମାନ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ୨୪ ଜଣ ବିଭିନ୍ନ ବର୍ଗର ଶ୍ରମଜୀବୀଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ସଭାପତି କବି ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଉପାଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ଭଗବାନ ଦାସ ଖଣ୍ଡେଲୱାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, “ଧର୍ମପଦ ହେଉ କି ଶବରୀ, ସମସ୍ତେ ନିଜ କର୍ମ ପାଇଁ ଅନନ୍ୟ। କିନ୍ତୁ ସେମାନଙ୍କୁ ପ୍ରକୃତ ସମ୍ମାନ ମିଳୁଛି କି? ସମାଜର ପ୍ରକୃତ ନିର୍ମାତାମାନଙ୍କୁ ଖୋଜି ସମ୍ମାନ ଦେବା ହିଁ ଏହି ଅଭିଯାନର ଲକ୍ଷ୍ୟ।”ସମ୍ବର୍ଦ୍ଧିତ ହୋଇଥିବା ଶ୍ରମଜୀବୀଙ୍କ ମଧ୍ୟରେ ଥିଲେ ସ୍ୱଚ୍ଛତା କର୍ମଚାରୀ ଦମୟନ୍ତୀ ମାଝୀ, ସଫେଇ କର୍ମୀ ବୃନ୍ଦାବନ ବେହେରା, ଘରୋଇ ସ୍ୱାସ୍ଥ୍ୟ ସେବିକା ରଙ୍ଗଲତା ମହାଳିକ, ସମ୍ବାଦପତ୍ର ବିକ୍ରେତା ଶ୍ରୀକାନ୍ତ କୁଅଁର, କାଠ ମିସ୍ତ୍ରୀ ହରେକୃଷ୍ଣ ରାଣ, ବାଇକ ମେକାନିକ ତପନ ସାହୁ, ଚା’ ପରିବେଷଣକାରୀ ଡମ୍ବରୁଧର ସାହୁ, ମନୋହାରୀ ପାନଦୋକାନୀ ନରେନ୍ଦ୍ର ବେହେରା, ଚର୍ମକାର ଡି ଚିନ୍ନାରାଓ, ପରିବା ବ୍ୟବସାୟୀ ଜୟକୃଷ୍ଣ ସାହୁ, ଆଦିବାସୀ ସମାଜସେବୀକା କବିତା ସିଂ, ରିକ୍ସା ଚାଳକ ଅନାମ ପୋଥାଳ, ଠେଲାରିକ୍ସା ଚାଳକ ଆନନ୍ଦ ମହାଳିକ, ଅଟୋଚାଳକ ରାମଚନ୍ଦ୍ର ମାଝୀ, ରାଜମିସ୍ତ୍ରୀ ଗଗନ ପାତ୍ର, ବିଦ୍ୟୁତ ସହାୟକ ପ୍ରଦୀପ ବେହେରା, ରଜକ ଅରୁଣ ସେଠି, ଭଣ୍ଡାରୀ ଚକ୍ରଧର ବାରିକ, ସାଇକେଲ ମରାମତି ସହାୟକ ସେକ ରାମଜାନୀ ଏବଂ ଟେଲର ମାଷ୍ଟର୍ ସେକ ମୋଇନ। ଦମ୍ପତି ଭାବେ ପଥପାର୍ଶ୍ୱ ଜଳଖିଆ ଦୋକାନୀ ପର୍ଶୁରାମ ଓ ଶକୁନ୍ତଳା ସାହୁ ଏବଂ ଶ୍ରମଜୀବୀ ଦମ୍ପତି ଭାବେ ଶ୍ରୀଧର ଓ ସୁମତି ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ‘ମାସ’ର ସମ୍ପାଦକ ଦେବାଶିଷ ପଣ୍ଡା, କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ବରିଷ୍ଠ ସଦସ୍ୟ ବିଜୟୀ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯାଦବେଶ ମିଶ୍ର, ପ୍ରତିମା ପଣ୍ଡା, ସିଦ୍ଧେଶ୍ୱର ବିନ୍ଧାଣୀ, ଅର୍ଚନା ନନ୍ଦୀ, ଆଡ଼ଭୋକେଟ ଜ୍ଞାନ ରଞ୍ଜନ ମିଶ୍ର, ମାଧବାନନ୍ଦ ବେହେରା, ଆଶ୍ରିତା ତରାଇ, ବିଜୟ ଆଚାର୍ଯ୍ୟ, ପ୍ରଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ହରିପଦ ଭୂୟାଁ, ମଞ୍ଜୁଲତା ବଳ, ପ୍ରଦ୍ୟୁମ୍ନ ନାୟକ, ତରୁପ୍ରଭା ଦାସ, ମିନତି ସେଠି, ଚିତ୍ତ ରଞ୍ଜନ ଦାସ, ଗୁରୁଦତ୍ତ ମିଶ୍ର, ବିଦ୍ୟାଧର ନାୟକ, ଦେବାଶିଷ ସିଂହ, ପ୍ରବୀର କମିଳା, ଲଳିତ ମୋହନ ଦାସ, ଶୁଚିସ୍ମିତା କର ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନାରେ ସହଯୋଗ କରିଥିଲେ। ରଶ୍ମିତା ପ୍ରାମାଣିକଙ୍କ ଜଗନ୍ନାଥ ଭଜନ ପରିବେଷଣ କାର୍ଯ୍ୟକ୍ରମକୁ ଭାବବିହ୍ୱଳ କରିଥିଲେ। ‘ମାସ୍’ ପକ୍ଷରୁ କୁହାଯାଇଛି ଯେ ଏହା ଏକ ନିରନ୍ତର ଅଭିଯାନ। ସମାଜର ପ୍ରତ୍ୟେକ ସ୍ତରର ଶ୍ରମଜୀବୀଙ୍କୁ ଖୋଜି ସେମାନଙ୍କ କାମକୁ ସମ୍ମାନ ଦେବା ହିଁ ଏହାର ମୂଳ ଉଦ୍ଦେଶ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.