ସ୍ମୃତିରେ କଳାହାଣ୍ଡି

ସାମ୍ପ୍ରତିକ କାଳରେ ଇତିହାସ ଗବେଷଣା କ୍ଷେତ୍ର ଏକ ଭିନ୍ନ ମୋଡ ନେଇଛି। ପୂର୍ବେ ଇତିହାସ ଗବେଷଣା ମୁଖ୍ୟତଃ ବ୍ୟକ୍ତି ଓ ରାଜତନ୍ତ୍ର କୈନ୍ଦ୍ରିକ ହୋଇ ରହିଥିଲା। କିନ୍ତୁ କ୍ରମେ ସାମାଜିକ ଇତିହାସ ଓ ସ୍ଥାନୀୟ ଇତିହାସ ର ଗୁରୁତ୍ବ ଉପଲବ୍ଧି କରଯାଉଛି। କାରଣ ସମାଜରେ ବିଭିନ୍ନ ବର୍ଗର ସହାବସ୍ଥାନ, ମୂଲ୍ୟବୋଧ, ସଂଘର୍ଷ, ଓ ଜୀବନ ଯାତ୍ରା ହେଉଛି ଏ ମନୁଷ୍ୟ ଜାତିର ପ୍ରକୃତ ଜୀବନ ଗାଥା। ଏହା ପାରମ୍ପରିକ ଇତିହାସ ଗବେଷଣା, ରାଜବଂଶ ମାନଙ୍କର ଲମ୍ବା ତାଲିକା, କତିପୟ ରାଜ ପୁରୁଷ ମାନଙ୍କର ବିଜୟ ଯାତ୍ରା କିମ୍ବା ସେମାଙ୍କର ନାମ ବ୍ୟବହାର ପୂର୍ବକ ଅପପ୍ରଚାରର ଗୌରବ ଗାଥାରୁ ମିଳିପାରେ ନାହିଁ। ଏହା ଦ୍ବାରା ହେଇପାରେ କିଛି ରାଜ ପୁରୁଷ ତଥା କିଛି ରାଜବଂଶର ଗୌରବ ବୃଦ୍ଧି ସମ୍ଭବ ପର ହୋଇଥାଏ କିନ୍ତୁ ଚିରସ୍ଥାୟୀ ହୋଇ ରହି ନ ଥାଏ। ଏହି ପରିପ୍ରେକ୍ଷୀରେ ସମୟର କାଳଚକ୍ରରେ ଅବଦମିତ ଅବସ୍ଥାରେ ଥିବା ପାରମ୍ପରିକ ଇତିହାସ ଅଧ୍ୟୟନ ପାଇଁ ଯଥେଷ୍ଟ ଖୋରାକ ମିଳି ପାରୁନଥିବା କଳାହାଣ୍ଡି ଭଳି ଅଞ୍ଚଳର ଜନ ଜୀବନକୁ ବୁଝିବା ପାଇଁ ସାମାଜିକ ଇତିହାସର ମହତ୍ଵକୁ ଗୁରୁତ୍ବ ଦେବାକୁ ହେବ। ଇତିହାସ ଅଧ୍ୟୟନ ଓ ଆକଳନ ପାଇଁ ବିଭିନ୍ନ ପ୍ରତ୍ନତାତ୍ଵିକ ଉପାଦାନ ସହିତ ମୁଦ୍ରା, ମୃଣ୍ମୟ ପାତ୍ର, ଅନ୍ୟ ଭୌତିକ ଉପାଦାନ ଓ ଲିଖିତ ତତ୍ଵ ସହାୟକ ହୋଇଥାଏ କିନ୍ତୁ ଏସବୁର ଅଭାବରେ ଲୋକ କାବ୍ୟ, ପୂରାଣ କଥା, ସ୍ଥାନୀୟ କିମ୍ବଦନ୍ତୀ, ପ୍ରଭୃତି ଯଦିଓ ଇତିହାସ ର ଅଂଶବିଶେଷ ନୁହଁ, ଏସବୁ ଇତିହାସ ସଂରଚନ କ୍ଷେତ୍ରରେ ଦିଗଦର୍ଶନ ଦେଇଥାଏ।


ପ୍ରାପ୍ତ ଉପାଦାନ ଗୁଡିକରୁ ଜଣାଯାଏ ଯେ କଳାହାଣ୍ଡିର ସଂସ୍କୃତି କ୍ରମ ବିବର୍ତ୍ତନ ପ୍ରକ୍ରିୟାରେ ପ୍ରବାହମାନ । ପ୍ରାଚୀନ ପ୍ରସ୍ତର ଯୁଗର କଳାହାଣ୍ଡିର ଗୁମ୍ଫାଚିତ୍ର ସଭ୍ୟତାର ଆଦ୍ୟ ନିଦର୍ଶନର ସଙ୍କେତ ପ୍ରଦାନ କରୁଛି। ଏକ ବିସ୍ତାରିତ ଅଞ୍ଚଳ ରେ ପ୍ରାଚୀନ ପ୍ରସ୍ଥର ଯୁଗ, ଲଘୁ ପାଷାଣ ଯୁଗ , ନୂତନ ପ୍ରସ୍ତର ଯୁଗ, ତାମ୍ର ସଂସ୍କୃତି , ଲୌହ ଯୁଗ ର ଅବଶେଷ ଗୁଡିକର ସନ୍ଧାନ ମିଳୁଛି। ଲୌହ ଧାତୁର ବ୍ୟବହାର ଦ୍ବାରା କୃଷି ଓ ସାମାଜିକ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା। ଏହା ଫଳରେ ନୂତନ ଜ୍ଞାନ କୌଶଳ ର ପ୍ରୟୋଗ ସହିତ ଗ୍ରାମୀଣ ଅର୍ଥନୀତିରେ ସମୃଦ୍ଧି ଆସିଥିବା କଥା ଅନେକ ଐତିହାସିକ ମତ ବ୍ୟକ୍ତ କରନ୍ତି। ଏହି ଅର୍ଥନୈତିକ ପ୍ରଗତି କ୍ରମେ ନଗର ସଭ୍ୟତା ଗଠନ ର ମୂଳଦୁଆ ପକାଇଥିଲା। ଏହା ଫଳରେ ନଦୀ ଉପତ୍ୟକା ମାନଙ୍କରେ ଜନପଦ ମାନ ଗଢି ଉଠିଥିଲା। ନୂତନ ପ୍ରକାର ର ଆବିଷ୍କାର ଓ ଉଦ୍ଭାବନ ଭବିଷ୍ୟତ ବଂଶଧରଙ୍କ ପାଇଁ ଆଲୋକ ପ୍ରଦାନ କାରୀ ମାର୍ଗଦର୍ଶକ ସଦୃଶ ହୋଇଥିଲା। ଛୋଟ ଛୋଟ ପ୍ରୟୋଗରୁ ବଡ ବଡ ସିଦ୍ଧି ପ୍ରାପ୍ତି ହୋଇଥିଲା। ପ୍ରାଚୀନ କାଳ ଓ ମଧ୍ୟ ଯୁଗ ସମୟରେ କଳାହାଣ୍ଡି କଳାହାଣ୍ଡି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା, ଯଥା ତୈତଳିକ ଜନପଦ, ଆଟବିକ, ଆନ୍ଧ୍ର ଜନପଦ, ବିଦ୍ୟାଧର ରାଜ୍ୟ, କାନ୍ତର, ମହାକାନ୍ତାର, ତ୍ରିକଲିଙ୍ଗ, କମଳ ମଣ୍ଡଳ ଇତ୍ୟାଦି। ବିଷ୍ଣୁ ଗୁପ୍ତ ଚାଣକ୍ୟଙ୍କ ସମୟରେ ଏହି ଅଞ୍ଚଳ ଇନ୍ଦ୍ରବନ ନାମରେ ପରିଚିତ ଥିଲା ଓ ଏ ଅଞ୍ଚଳ ବିଷୟ ରେ ଚାଣକ୍ୟ ତାଙ୍କ ପ୍ରସିଦ୍ଧ ଗ୍ରନ୍ଥ ଅର୍ଥଶାସ୍ତ୍ରରେ ଇନ୍ଦ୍ରବନ ଅଞ୍ଚଳ ରେ ପ୍ରାପ୍ତ ହେଉଥିବା ରତ୍ନ ପଥର ସମ୍ପୁର୍ଣ ଭାରତବର୍ଷ ରେ ବିଖ୍ୟାତ ଥିବା କଥା ଉଲ୍ଲେଖ କରିଛନ୍ତି। ତେଲ ଓ ଇନ୍ଦ୍ରାବତୀ ନଦୀର ମଧ୍ୟଭାଗରେ ଇନ୍ଦ୍ରବନ ଥିବା କଥା ଗବେଷକ ମାନଙ୍କ ଦ୍ବାରା ଚିହ୍ନଟ ହୋଇଛି। ବିଭିନ୍ନ କାଳରେ ଏହି ଅଞ୍ଚଳରେ ଅନେକ ନରପତି ଶାସନ କରିଛନ୍ତି ଯଥା ବ୍ୟାଘ୍ର ରାଜ, ପର୍ବତଦ୍ଵାରକ, ପୂର୍ବ ଗଙ୍ଗ ବଂଶ, ସୋମବଂଶ, କାଲଛୁରୀ, ଛିନ୍ଦକ ନାଗ, ନାଗ, ପ୍ରଭୁତି। ଏକାଦଶ, ଦ୍ଵାଦଶ ଶତାବ୍ଦୀ ରେ ଏହି ଅଞ୍ଚଳରେ ପ୍ରଭାବ ବିସ୍ଥାର କରିବା ଉଦ୍ଦେଶ୍ୟରେ ତଥା ତ୍ରିକଲିଙ୍ଗାଧିପତି ଉପାଧି ଧାରଣ କରିବା ପାଇଁ ସୋମ, ଗଙ୍ଗ, କାଲଛୁରୀ, ଓ ଛିନ୍ଦକ ନାଗ ମାନଙ୍କ ମଧ୍ୟ ରେ ସଘର୍ଷ ଲାଗି ରହିଥିଲା। ଏହି ଦୀର୍ଘ କାଳର ଯୁଦ୍ଧ ଓ ଅଶାନ୍ତ ପରିବେଶରେ କଳାହାଣ୍ଡି ଅଞ୍ଚଳ ଯୁଦ୍ଧ କ୍ଷେତ୍ରରେ ପରିଣତ ହେବା କଥା ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଦୀର୍ଘ ସଂଘର୍ଷର ପରିସମାପ୍ତି ପରେ ଶେଷରେ ଏହି ଅଞ୍ଚଳ ଗଙ୍ଗବଂଶର ଅଧୀନକୁ ଆସିଥିବାର ଉଲ୍ଲେଖ ଟି ବବ କ୍ୟୁରିଙ୍କ ଲିଖିତ ପୁସ୍ତକ ଦି ପୋଲିଟିକ୍ସ ଅଫ ହୁନଗର୍ସ ଇନ ଇଣ୍ଡିଆରୁ ମିଲିଅଛି ; କିନ୍ତୁ ରାଜଧାନୀରୁ ଦୂରରେ ରହିବା ସହିତ ପରବର୍ତ୍ତୀ ଗଙ୍ଗ ରାଜା ମାନଙ୍କର ଦୁର୍ବଳତାରୁ ‘କାରୁଣ୍ଡ’ ଭାବରେ ପରିଚିତ କଳାହାଣ୍ଡି ଅଞ୍ଚଳରେ କାରୁଣ୍ଡ ନାଗବଂଶୀୟ ରାଜା ମାନେ କ୍ଷମତାକୁ ଆସିଥିଲେ।

ପ୍ରାକ୍ତନ କଳାହାଣ୍ଡି ରାଜ୍ୟର ପୁରାତନ ରାଜଧାନୀ ଜେନାବଳୀ ପାଟଣା (ଜୁନାଗଡ) ରେ ଶାସନ କରୁଥିବା ଗଙ୍ଗବଂଶର ଶେଷ ସାମନ୍ତ ରାଜା ଜଗନ୍ନାଥ ଦେବଙ୍କ ଏକମାତ୍ର କନ୍ୟା ସୁରେଖା ଦେବୀଙ୍କୁ ବିବାହ କରି ଛୋଟନାଗପୁରରୁ ଆଗତ ନାଗବଂଶୀୟ ରଘୁନାଥ ସାଏ ଦେଓ ଘରଜ୍ଵାଇଁ ଭାବେ କ୍ଷମତାର ବଳୟ ଭିତରକୁ ଆସିଥିବାର ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି। ସମୟକ୍ରମେ ତାଙ୍କ ଶଶୁର ତଥା କାରୁଣ୍ଡ ଅଞ୍ଚଳର ଶେଷ ଗଙ୍ଗବଂଶୀ ରାଜା ଜଗନ୍ନାଥ ଦେବଙ୍କୁ କ୍ଷମତାଚ୍ୟୁତ କରି ସେ କଳାହାଣ୍ଡି ତଥା ପ୍ରାକ୍ତନ କାରୁଣ୍ଡ ଅଞ୍ଚଳ ରେ ନାଗବଂଶ ପ୍ରତିଷ୍ଠା କରିଥିବା କଥା ଅନେକ ଐତିହାସିକ ତଥ୍ୟରୁ ପ୍ରମାଣ ମିଳେ। ଏହି ରାଜା ବଂଶ ୩୧ ଟି ପିଢି ଯାଏ ଶାସନ କରିଥିଲେ। ଏତକ ହେଉଛି କଳାହାଣ୍ଡିର ରାଜ ଇତିହାସ କଥା। କେବଳ ପ୍ରାକ ଐତିହାସିକ, ନୂତନ ପ୍ରସ୍ତର, ଲୌହ ଯୁଗୀୟ ଅବଶେଷର ସନ୍ଧାନ ଅଗଣିତ ସ୍ଥାନ ରେ ମିଳିବା ସହିତ ଅସୁର ଗଡ, ଜୁନାଗଡ, ବଜ୍ର ଗଡ, ରାଜପଦର, ତେରେସିଂହା, ବୁଢୀଗଡ, ଉରଲୁକୂପା ଗଡ, ଓ ଭୀମକେଲା ପ୍ରଭୃତି ଅଞ୍ଚଳ ରେ ବିକଶିତ ନଗର ସଭ୍ୟତା, ଓ ଜନପଦ ମାନଙ୍କରୁ ପ୍ରାପ୍ତ ହେଉଥିବା ପ୍ରସ୍ତର ଓ ଧାତୁ ନିର୍ମିତ ସାମଗ୍ରୀ ମୁଦ୍ରା, ଉପାସନା ସ୍ଥଳ, ପ୍ରଯୁକ୍ତି ବିଦ୍ୟା, ସ୍ଥାପତ୍ୟ, ଜଳ ସଂରକ୍ଷଣ ବ୍ୟବସ୍ଥା, ପଥର ଗୁଟିକା ଓ ସ୍ଥାନେ ସ୍ଥାନେ ପ୍ରାପ୍ତ ଲିପି ଓ ତାମ୍ର ପତ୍ରକୁ ନେଇ ଇତିହାସ ରଚନା ପାଇଁ ଯତ୍ କିଞ୍ଚିତ ଉପାଦାନ ମିଳୁଛି କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କୌଣସି ରାଜବଂଶ ବା ରାଜ ପୁରୁଷଙ୍କୁ ଗୌରବାନ୍ଵିତ କରିବା ଭଳି ଦୃଢ ଲିଖିତ ତଥ୍ୟ ନଥାଇ ମଧ୍ୟ କିଛି କିମ୍ବଦନ୍ତୀ ଓ ନିର୍ଦ୍ଧିଷ୍ଟ ଭାବେ ଅନ୍ୟ ଉପାଦାନ ମାନଙ୍କ ଆଧାରରେ ପରବର୍ତ୍ତୀ କାଳରେ ଇତିହାସ ରଚନା କରାଯାଇଛି।

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା

ଜୁନାଗଡ, କଳାହାଣ୍ଡି
ମୋ: ୯୪୩୭୭୦୦୦୨୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.