ଭୁବନେଶ୍ବର,୧୪/୩ : ଦୁନିଆକୁ ମହାମାରୀର ରୂପ ନେଇ ଆସିଥିବା କରୋନା ଭାଇରସର ମୁକାବିଲା କରିବାପାଇଁ ଭାରତ ପୁରା ସଜାଗ ରହିଛି । ଜନ ସାଧାରଣଙ୍କୁ ଭିତତ୍ରସ୍ଥ ନହେବା ସହ ଗୁଜବ ଠାରୁ ଦୁରେଇ ରହିବାକୁ ସଚେତନ କରାଯାଉଛି । ଓଡିଶା ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସ୍କୁଲ, କଲେଜ ସହ ସିନେମା ହଲ ବନ୍ଦ କରିଛନ୍ତି । ଏପରିକି ଆସନ୍ତାକାଲି ଠାରୁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦଶ ଦିଆଯାଇଛି ।
ଆଜି ଏମଏସଏମଇ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, କରୋନା ମୁକାବିଲା ପାଇଁ ତୃଣମୂଳ ସ୍ଥଳରୁ ଉଦ୍ୟମ ଆରମ୍ଭ ହୋଇଛି । ସରପଞ୍ଚଙ୍କ ସମେତ ଅନ୍ୟ କିଛି ଅଧିକାରୀ ଓ ପ୍ରତିନିଧି ପଞ୍ଚାୟତ ସ୍ତରରେ ନଜର ରଖିବେ । ବିଦେଶ ଫେରନ୍ତା କିମ୍ବା କରୋନା ପ୍ରଭାବିତ ଅଂଚଳରୁ ଫେରିଥିବା ବ୍ୟକ୍ତି ବାବଦରେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେବେ । ଯାହା ଫଳରେ ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ ହୋଇ ପାରିବ ଓ ଖବର ରଖିହେବ । ଏହା ସହ ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବିନ୍ଦରରେ ସମସ୍ତ ଯାତ୍ରୀଙ୍କ ଡାଟା ସଂଗ୍ରହ କରାଯିବ । ବିଦେଶ କିମ୍ବା ଆନ୍ତରାଜ୍ୟ ବିମାନ ଯାତ୍ରା କରିଥିବା ଯାତ୍ରୀଙ୍କ ସମସ୍ତ ତଥ୍ୟ ଓ ଠିକଣା ସଂଗ୍ରହ ବାଧ୍ୟତା ମୂଳକ । ଆସନ୍ତା ସୋମବାର ଠାରୁ ବିମାନବନ୍ଦରରେ ଆରମ୍ଭ କରାଯିବ ଏହି ପ୍ରକ୍ରିୟା । ସ୍ଥାନୀୟ ନଗର ସଂଘ କର୍ମକର୍ତ୍ତାଙ୍କୁ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଖବର ଦେବାକୁ ଅନୁରୋଧ କଲେ ସରକାର । ଟେକନିକାଲ ଆଡଭାଇଜରି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ । ଏଥିରେ ଡାକ୍ତର, ବୈଜ୍ଞାନିକ ରହିବେ ଓ କୋରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ପ୍ରତି ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ଜିଲ୍ଲାର ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ଯଥେଷ୍ଟ ପରିମାଣ ଆନୁସଂଗିକ ବ୍ୟବସ୍ଥା ସହିତ ସ୍ବଛତା ଓ ପରିମଳତା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ୧୪୧ ଜଣ କରୋନା ସନ୍ଦିଗ୍ଧ ରୋଗୀ ଅବଜରଭେସନରେ ଅଛନ୍ତି । ହୋମ୍ ଆସୋଲେସନ ଏହି ରୋଗର ସବୁଠାରୁ ବଡ ପ୍ରତିକାର । ଏହା ଦ୍ବାରା ରୋଗ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ଜାତୀୟ ସ୍ତରରେ ଏହାକୁ ବଡ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଆବଶ୍ୟକ ପଡିଲେ, ଷ୍ଟେଟ୍ ଡିଜାଷ୍ଟର ଫଣ୍ଡରୁ ଟଙ୍କା ଖର୍ଚ୍ଚ କରାଯାଇ ପାରିବ । ଏହା ବାଦ ମାସ୍କ, ସାନିଟାଇଜର ଓ ହ୍ୟାଣ୍ଡ ଗ୍ଲୋବ୍ସ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ସାମିଲ ହୋଇଛି । ଫଳରେ ଏହାର କଳା ବଜାରୀ ସୂଚନା ମିଳିଲେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।
_________________________________________