ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେସିଙ୍ଗା ଏନଏସିର ଜଣେ ୧୫ ବର୍ଷିୟ ବାଳକଙ୍କ ଅକାଳ ମୃତ୍ୟୁ ହୋଇଛି। ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇପଡିଛି। ପ୍ରାପ୍ତ ସୂଚନା ଅନୁସାରେ ଓ୍ବାର୍ଡ ନଂ ୭ର ଅର୍ପିତ ପଟ୍ଟନାୟକ (୧୫) ଶୁକ୍ରବାର ରାତ୍ରି ଭୋଜନ ପରେ ସାଇକେଲରେ ରାଉଣ୍ଡ ମାରିବା ପାଇଁ ଜାତୀୟ ରାଜପଥ ୨୬କୁ ବାହାରି ଥିଲେ। ତେବେ ଲୋକେଶ ଟିଭିଏସ ସୋରୁମ୍ ସାମ୍ନାରେ ହୋଇଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଅର୍ପିତ କଚାଡି ହୋଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଅର୍ପିତ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଅର୍ପିତ ଜଣେ ମେଧାବୀ ଛାତ୍ର ଭାବରେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସେ ୯୦ ପ୍ରତିଶତ ମାର୍କ ରଖି କେସିଙ୍ଗା ବିଦ୍ୟାପୀଠର ଗୈାରବ ବଢ଼ାଇଥିଲେ। ଅର୍ପିତଙ୍କ ମୃତ୍ୟୁରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବି ମୂରଲୀଧର ଆଚାରୀ, ପିଇଟି ନବୀନ ନାଏକ, ଅନ୍ତ, ଯୁଗଳ ଛତ୍ରିଆ, ବିକ୍ରମ ସାହୁଙ୍କ ସମେତ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।