କବି ଡ.ସୁରେଶ ନାୟକ ପାଇବେ ମହୁରି ସମ୍ମାନ-୨୦୧୯

ଭୁବନେଶ୍ୱର,୨୫/୧୧: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତ ବର୍ଷର ‘ମହୁରି ସମ୍ମାନ’ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଡ. ସୁରେଶ ନାୟକ । ଓଡ଼ିଶା ବାହାରେ ରହି ସାହିତ୍ୟ ସାଧନା ଓ ସାହିତ୍ୟ ପତ୍ରିକା ‘ସମୟର ଆକାଂକ୍ଷା’ର ସଂପାଦନା ଜାରି ରଖିଥିବା ଡ. ନାୟକ ଓଡ଼ିଆ ସାହିତ୍ୟର ଜଣେ ଚର୍ଚ୍ଚିତ କବି । ୧୯୬୮ ମସିହା ମେ’ ୧୦ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁର ଲୋଧାଚୁଆଠାରେ ଜନ୍ମିତ ଡ. ନାୟକ ଉଦ୍ଭିଦ ବିଜ୍ଞାନରେ ଶିକ୍ଷାଲାଭ ସହ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି । କଲେଜ ସମୟରୁ କବିତା ରଚନା କରିବା ସହ ବିଭିନ୍ନ ସମୟରେ ସାହିତ୍ୟ ପତ୍ରିକାର ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର କବିତା ସଂକଳନ ‘ବିଭକ୍ତ ସୂର୍ଯ୍ୟୋଦୟ’, ‘ନିଜସହ କିଛିକାଳ’, ‘ଛାୟାସୁଖ’, ‘ଅନୁଚ୍ଚାରିତ’ ଆଦି ପ୍ରକାଶ ପାଇ ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଓଡ଼ିଶା ବାହାରେ ଦୀର୍ଘ ବର୍ଷର ଅବସ୍ଥାନ ସତ୍ତ୍ଵେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅମାପ ଭଲପାଇବା ତାଙ୍କୁ ଜଣେ ମାନବବାଦୀ କବି ଭାବେ ପରିଚୟ ଦେଇଛି । ସାଧାରଣ ଜନଜୀବନର କଥା କହୁଥିବା ଡ. ନାୟକ କବିତାରେ ଅତ୍ୟନ୍ତ ସ୍ପଷ୍ଟବାଦୀ । ନିଜେ ଭୋଗୁଥିବା ଦୁଃଖସୁଖ, ହସକାନ୍ଦ ସମେତ ଆଖପାଖରେ ଘଟୁଥିବା ଅନେକ ଘଟଣା ତାଙ୍କ କବିତାର ବିଷୟବସ୍ତୁ ପାଲଟିଥାଏ ।

ସଂପ୍ରତି କବି ଡ. ନାୟକ ସାହିତ୍ୟ ସାଧନା ସହିତ ଭାରତୀୟ ଆକ୍ୱା କଲଚରର ଜଣେ ପ୍ରତିଷ୍ଠିତ ଶିଳ୍ପପତି ଭାବେ ଦେଶ ବିଦେଶରେ ପରିଚିତ । ତାଙ୍କର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ତାମିଲନାଡ଼ୁ ଓ ପୁଦୁଚେରି ଉପକଣ୍ଠରେ ଅବସ୍ଥିତ । ପ୍ରତିବର୍ଷ ‘ମହୁରି’ରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବାବେଳେ ଚଳିତ ବର୍ଷ ଡ. ନାୟକଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ମହୁରି ମହୋତ୍ସବ-୨୦୧୯ରେ ଭୁବନେଶ୍ୱରଠାରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି । ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର୍ ଆଦିକନ୍ଦ ସାହୁ ଓ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.