ଜାତୀୟ କ୍ରୀଡ଼ା ଦିବସ ଓ ମେଜର୍ ଧ୍ୟାନଚନ୍ଦ

✒️ଜୟନ୍ତ କୁମାର ବେହେରା

ପ୍ରାଚୀନ କାଳରୁ କ୍ରୀଡ଼ା ମଣିଷର ସୁସ୍ଥତା ଓ ଚିତ୍ତ ବିନୋଦନର ଏକ ବଳିଷ୍ଠ ମାଧ୍ୟମ । ଭାରତରେ ଆମେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ପାରମ୍ପରିକ କ୍ରୀଡ଼ା ସହ କେତେକ ଏକକ ପ୍ରଜାତିର କ୍ରୀଡ଼ା ଦେଖିବାକୁ ପାଇଥାଉଁ । ଏହା ମଣିଷର ଶାରିରୀକ ଓ ମାନସିକ ଶକ୍ତି ବୃଦ୍ଧି କରୁଥିବା ସହ ସମୟ, ପରିବେଶ ଓ ପରିସ୍ଥିତିକୁ ନେଇ ଏହା ଚିତ୍ତ ବିନୋଦନର ମାଧ୍ୟମ ହେବା ସହ କଳା, କୃତି ଓ ଦକ୍ଷତା ବିକାଶ ସହ ପ୍ରଦର୍ଶନ କଳାର ଏକ ଉତ୍ତମ ପରିପ୍ରକାଶକାରୀ ମାଧ୍ୟମ ।

କ୍ରୀଡ଼ା ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ସ୍ତର, ବ୍ୟକ୍ତିଗତରୁ ସରକାରୀ, ପାରିବାରିକ ଓ ସାମାଜିକରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସୋପାନ ଦେଇ ପ୍ରୋତ୍ସାହିତ । ଏହାର ଉପଯୋଗିତା ଓ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରିଥାନ୍ତି । ଏହା ଭାରତର ଜାତୀୟ କ୍ରୀଡ଼ା ହକି ତାରକା ଦୀପ୍ତିମନ୍ତ କ୍ରୀଡ଼ାବିତ ମେଜର୍ ଧ୍ୟାନନ୍ଦଚଙ୍କ ଜନ୍ମ ଦିବସ । ମେଜର ଧ୍ୟାନଚନ୍ଦ ବିଶ୍ଵ ହକି ଜଗତର ଏକ ଜଜ୍ଜ୍ୱଲ୍ୟମାନ ତାରକା । ସେ ନିଜ ନିପୁଣ କ୍ରୀଡ଼ା ଦକ୍ଷତାକୁ ନେଇ ଭାରତ ଇତିହାସକୁ ସ୍ବର୍ଣ୍ଣିମ କରିଛନ୍ତି । ତାଙ୍କ ବଳିଦାନ ଓ ତ୍ୟାଗ କ୍ରୀଡ଼ା ଜଗତିକୁ ରୁଦ୍ଧିମନ୍ତ କରିଥିବାରୁ ତାଙ୍କ ଜନ୍ମତିଥିକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ ।

ହକି ଇତିହାସର ବହୁଚର୍ଚ୍ଚିତ ନାୟକ ମେଜର୍ ଧ୍ୟାନଚନ୍ଦ ସିଂହ ଓରଫ୍ ଧ୍ୟାନଚନ୍ଦ । ୨୯ ଅଗଷ୍ଟ ୧୯୦୬ ମସିହାରେ ଆଲ୍ଲାହାବାଦଠାରେ ଜନ୍ମଗ୍ରହଣ କରି ୧୬ବର୍ଷ ବୟସରେ ସେ ସେନାବାହିନୀରେ ଯୋଗ ଦେଇଥିଲେ । ସେବାରେ ଥାଇ ମଧ୍ୟ ହକି ପ୍ରତି ଥିବା ତାଙ୍କ ଦୁର୍ବଳତା ତାଙ୍କୁ ହକି ଖେଳିବାକୁ ପ୍ରୋତ୍ସାହିତ କରିବାସହ ନିୟମିତ ଅଭ୍ୟାସ ଆରମ୍ଭ କରିଥିଲେ । ସେ ନିଜର ଉତ୍ତମ ଖେଳ ପ୍ରଦର୍ଶନ କରିଥିବାରୁ ତାଙ୍କ କୋଚ ଗୁପ୍ତା ତାଙ୍କୁ ‘ଚନ୍ଦ’ ଉପାଧି ପ୍ରଦାନ କରିଥିଲେ । ସେହି ସମୟରୁ ସେ ଧ୍ୟାନ ସିଂହରୁ ଧ୍ୟାନଚନ୍ଦକୁ ପରିବର୍ତ୍ତିତ ହୋଇଥିଲେ ଓ ସାରା ବିଶ୍ଵରେ ଧ୍ୟାନଚନ୍ଦ ନାମରେ ଆଦୃତ ଓ ବିଖ୍ୟାତ ହେଲେ । ସେ ବିଶେଷଭାବେ ନିଜ ପିତା ସମେଶ୍ଵର ଦତ୍ତ ସିଂହ ଯିଏକି ସେନାବାହିନୀର ସୁବେଦାର ପଦବୀରେ ଥାଇ ମଧ୍ଯ ହକି ଖେଳୁଥିଲେ, ତାଙ୍କଦ୍ବାରା ସେ ବେଶ୍ ପ୍ରଭାବିତ ହୋଇ ପିତାଙ୍କ ପଥ ଅନୁସରଣ କରିଥିଲେ । ପ୍ରଥମେ ପ୍ରଥମେ କୁସ୍ତିକୁ ଭଲପାଉଥିବା ଧ୍ୟାନଚନ୍ଦ ପିତାଙ୍କ ପରାମର୍ଶରେ ହକି ଖେଳିଥିଲେ ଏବଂ ସେହି ଦିନଠାରୁ ସେ ଆଉ ଫଛକୁ ଫେରି ଚାହିଁନାହାନ୍ତି । ଧ୍ୟାନଚନ୍ଦଙ୍କ ଅସଲ ପ୍ରତିଭାକୁ ଆବିଷ୍କାର କରିଥିଲେ ସୁବେଦାର ମେଜର ଭୋଲେ ତିୱାରୀ । ଧ୍ୟାନଚନ୍ଦଙ୍କ କ୍ରୀଡ଼ା ଜୀବନରେ ତାଙ୍କ ଭୂମିକା ଓ ଅବଦାନ ଅତୁଳନୀୟ । ସେ ଭାରତ ତଥା ସାରା ବିଶ୍ଵକୁ ଦାନ କରିଥିଲେ ଏକ ସର୍ବୋକୃଷ୍ଟ ହକି ତାରକା ।

ଧ୍ୟାନଚନ୍ଦ ୧୯୨୮ ମସିହାରେ ପ୍ରଥମଥର ପାଇଁ ଆମଷ୍ଟର୍‌ଡାମ୍ ଅଲମ୍ପିକ୍‌ରେ ଯୋଗଦେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଭାରତୀୟ ହକି ଦଳକୁ କ୍ରମାଗତ ଭାବେ ତିନୋଟି ଅଲମ୍ପିକ୍‌ରେ ସ୍ଵର୍ଣ୍ଣ ପଦକ ଜିତାଇବାରେ ସମର୍ଥ ହୋଇଥିଲେ । ହକି କ୍ରୀଡ଼ାରେ ତାଙ୍କ ପାରଦର୍ଶିତା, ନିପୂଣତା ଓ ଯାଦୁକରୀ ପ୍ରଦର୍ଶନ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଆତ୍ମବିଭୋର କରିବା ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟ କରିଥିଲା । ଆମଷ୍ଟରଡମ୍ ଅଲମ୍ପିକ- ୧୯୨୮, ଲସ୍ଏଞ୍ଜେଲ୍‌ସ ଅଲମ୍ପିକ-୧୯୩୨ ଓ ବର୍ଲିନ ଅଲମ୍ପିକ-୧୯୩୬ ଭାରତ ହକିରେ ସର୍ବୋକୃଷ୍ଟ ପ୍ରଦର୍ଶନ କରି କ୍ରମାଗତ ସ୍ୱର୍ଣ୍ଣ ପଦକର ଅଧିକାରୀ ହେବାରେ ମେଜର ଧ୍ୟାନଚନ୍ଦଙ୍କ କ୍ରୀଡ଼ା ନୈପୁଣ୍ୟ ଗୁରୁତ୍ଵ ବହନ କରେ । ବିଶେଷଭାବେ ଏସବୁର ଶ୍ରେୟ ଧ୍ୟାନଚନ୍ଦଙ୍କୁ ଦିଆଯାଏ ।

ମେଜର ଧ୍ୟାନଚନ୍ଦଙ୍କ କ୍ରୀଡ଼ା ପାରଦର୍ଶିତାକୁ ଅନୁଧ୍ୟାନ କଲେ ୧୯୨୮ ମସିହା ଆମଷ୍ଟରଡମ୍ ଅଲମ୍ପିକ୍ ଫାଇନାଲ ମ୍ୟାଚ୍‌ରେ ହୋଇଥିବା ୩ଟି ଗୋଲ ମଧ୍ୟରେ ୨ଟି ଗୋଲ ଧ୍ୟାନଚନ୍ଦ ଦେଇଥିଲେ । ସେହିଭଳି ୧୯୩୨ ମସିହା ଅଲମ୍ପିକ ଅଗଷ୍ଟ ୧୧ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଦିଆଯାଇଥିବା ୨୪-୧ ଗୋଲରୁ ମଧ୍ୟ ଧ୍ୟାନଚନ୍ଦ ୮ଟି ଗୋଲ ଦେଇଥିଲେ । ୧୯୩୬ ମସିହା ବର୍ଲିନ ଅଲମ୍ପିକ୍ ଫାଇନାଲରେ ଭାରତ ଜର୍ମାନୀକୁ ୮-୧ ଗୋଲରେ ପରାସ୍ତ କରି ବିଶ୍ଵବିଜୟୀ ହେବାରେ ମଧ୍ଯ ଧ୍ୟାନଚନ୍ଦ ୩ଟି ଗୋଲ ଦେଇଥିଲେ । ଏହି ମହାନ କ୍ରୀଡାବିତଙ୍କ ପରଲୋକ ଡିସେମ୍ବର ୩ ତାରିଖ ୧୯୭୯ ମସିହାରେ ହୋଇଥିଲା । ଏହି ମହାନ କ୍ରୀଡ଼ାବିତଙ୍କ ସ୍ମରଣାର୍ଥେ ତାଙ୍କ ଜନ୍ମ ଦିବସକୁ ଭାରତ ସରକାର ଜାତୀୟ କ୍ରୀଡ଼ା ଦିବସ ରୂପେ ଘୋଷଣା କରିଛନ୍ତି ।

ଜାତୀୟ କ୍ରୀଡ଼ା ଦିବସର ଉଦ୍ଦେଶ୍ୟ ହେଉଛି ଭାତୃଭାବ, ଶୃଙ୍ଖଳା, ସଦ୍‌ଭାବ, ସଂହତି ପ୍ରତିଷ୍ଠା କରିବା ସହ କ୍ରୀଡ଼ାରେ ହୀନମନ୍ୟତା ତ୍ୟାଗ କରି ଏକ ଉତ୍ତମ ବୁଝାମଣା ସହ କ୍ରୀଡ଼ା ନିପୁଣତା ପ୍ରକାଶ କରିବା । ମେଜର ଧ୍ୟାନଚନ୍ଦକୁ ଆଜିର ଏହି ଜାତୀୟ କ୍ରୀଡ଼ା ଦିବସରେ ଶତ ନମନ ପୂର୍ବକ ତାଙ୍କ ଜୀବନ ଆଗାମୀ ପିଢ଼ିର କ୍ରୀଡ଼ାପ୍ରେମୀ ଓ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ, ଏତିକି କାମନା ।

ସାଂସ୍କୃତିକ ସଂଗଠକ ତଥା ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ସିନିଅର୍ ଫେଲୋସିପ୍ ପ୍ରାପ୍ତ
ମୋ: ୮୮୯୫୩୮୧୦୦୬

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.