ଦେଶର ଏକ ଅପନ୍ତରା ଗ୍ରାମ; ଯେଉଁଠି ବାସ କରୁଛନ୍ତି କେବଳ ଗୋଟିଏ ପରିବାର

ଓଡ଼ିଆ ବାର୍ତ୍ତା/ ଦିଶପୁର: ଭାରତ ହେଉଛି ବିବିଧତାର ଦେଶ। ଆପଣମାନେ ଆମ ଭାରତରେ ପ୍ରତ୍ୟେକ ରାଜ୍ୟରେ କିଛି ନା କିଛି ଅନନ୍ୟ ଦେଖିବାକୁ ପାଇବେ। ଯାହାଦ୍ଵାରା ଆମ ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିଥିବେ ଏବଂ ଅନ୍ୟ କିଛି ସ୍ଥାନରେ ଜନଶୂନ୍ୟ ଅଞ୍ଚଳ । ଏସବୁ ସତ୍ତ୍ୱେ ମଧ୍ୟ ଆମ ଦେଶ ଅତ୍ୟନ୍ତ ସ୍ବତନ୍ତ୍ର । ଆମ  ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ଗାଁ କୁ ରାସ୍ତା ନ ଥିବା ସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ନାହିଁ। ସେଠାରେ କେବଳ ଗୋଟିଏ ପରିବାର ବସବାସ କରୁଛନ୍ତି। ସେହି ଗାଁର ନାମ ହେଉଛି, ବର୍ଦ୍ଧନାରା ନମ୍ବର-୨। ଆସାମର ନଳବାଡି ଜିଲ୍ଲାରେ ରହିଛି ବର୍ଦ୍ଧନାରା ନମ୍ବର-୨ ଗ୍ରାମ । ବିଂଶ ଶତାବ୍ଦୀରେ ଏହା ଏକ ସ୍ୱଚ୍ଛଳ ଗ୍ରାମଭାବେ ପରିଚିତ ଥିଲା । ତେବେ ବର୍ତ୍ତମାନ ଏହି ଗ୍ରାମରେ କେବଳ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବାସ କରୁଥିବା ଜଣାପଡିଛି । ଗୃହକର୍ତ୍ତା ବିମଳ ଡେକା, ପତ୍ନୀ ଅନିମା ଏବଂ ତିନି ସନ୍ତାନ ନରେନ, ଦୀପାଳି ଓ ସୁଇଟିଙ୍କୁ ନେଇ ଏହି ପରିବାର ଗଢିଉଠିଛି । ଆବଶ୍ୟକ ସୁବିଧା ସୁଯୋଗ ଅଭାବ ଯୋଗୁଁ ଲୋକେ ଗ୍ରାମ ଛାଡି ଅନ୍ୟତ୍ର ପଳାଇଥିବା ବିମଳ କହିଛନ୍ତି । ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାବେଳେ ପିଇବା ପାଣି ପାଇଁ ତାଙ୍କୁ ୨ କିମି ଦୂରକୁ ଯିବାକୁ ପଡୁଛି । ପିଲାଙ୍କ ପାଠପଢା କଥା ନ କହିଲେ ଭଲ ବୋଲି ବିମଳ କହିଛନ୍ତି । ମାଟି କାଦୁଅ ରାସ୍ତାରେ ୩ କିମି ଯିବାପରେ ପିଚୁ ରାସ୍ତା ତିଆରି ହୋଇଛି । ସେହି ରାସ୍ତାରେ ସ୍କୁଲ କଲେଜ ଯିବାକୁ ପଡିଥାଏ । ବର୍ଷାଦିନେ ପିଚୁ ରାସ୍ତା ପର୍ଯ୍ୟନ୍ତ ଯିବାକୁ ଏହି ପରିବାରକୁ ଦେଶୀ ଡଙ୍ଗା ବ୍ୟବହାର କରିବାକୁ ପଡିଥାଏ । ନରେନ ଓ ଦୀପାଳି ଗ୍ରାଜୁଏଟ୍ ହୋଇସାରିଥିବାବେଳେ ସୁଇଟି ବର୍ତ୍ତମାନ ଦଶମ ଶ୍ରେଣୀରେ ପଢୁଛି । ଗ୍ରାମରେ ବିଜୁଳି ନଥିବାରୁ ପିଲାମାନେ କିରାସିନି ଲ୍ୟାମ୍ପ ଲଗାଇ ପାଠ ପଢିଥାନ୍ତି । ଉକ୍ତ ଗ୍ରାମର ବିକାଶ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ କୌଣସି ଉଦ୍ୟମ କରୁନଥିବା ବିମଳ ଅଭିଯୋଗ କରିଛନ୍ତି । ୧୬୨ ହେକ୍ଟର ଜମି ଉପରେ ଅବସ୍ଥିତ ଏହି ଗ୍ରାମ ବିଗତ କିଛିବର୍ଷ ପୂର୍ବେ ବେଶ ଚଳଚଞ୍ଚଳ ଥିଲା । ଯଦି ସରକାର ପକ୍କା ସଡକ ନିର୍ମାଣ କରିବା ସହ ବାସପଯୋଗୀ ଭିତ୍ତିଭୂମି ପ୍ରସ୍ତୁତ କରିବେ, ତେବେ ଏହି ଗ୍ରାମ ପୁଣି ପୂର୍ବ ଚମକ ଫେରିପାଇବ ବୋଲି ବିମଳ କହିଛନ୍ତି । କିଛି ବର୍ଷ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦଘାଟନ କରିଥିଲେ। ହେଲେ ଏବେ ସେହି ରାସ୍ତା ଭାଙ୍ଗିଗଲାଣି। ଯାହା ଗାଁର ମୁଖ୍ୟ ସହରକୁ ସଂଯୋଗ କରୁଥିଲା। ୨୦୧୧ ଜନଗଣନା ସମୟରେ ଗାଁ ରେ ମାତ୍ର ୧୬ ଜଣ ଲୋକ ରହିଥିଲେ। ବେଳକୁବେଳ ତାହା କମ୍‌ ହେବାରେ ଲାଗିଲା । ନଗର ନିଗମ ଓ ଗାଁ ପଞ୍ଚାୟତ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗାଁର ଏପରି ଅବସ୍ଥା ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.