ସ୍ପଷ୍ଟ ବାଦି ଜନନେତା ଦାମ ରାଉତ

ଅଫେରା ରାଇଜକୁ ଦାମ ରାଉତ ଚାଲିଯିବା ସହ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସ୍ପଷ୍ଟ ବାଦି ଜନନେତା ଭାବେ ସୁପରିଚିତ ଡ଼ ଦାମୋଦର ରାଉତ ଥିଲେ ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ। ସେ ଏକ ପୋଖତ ରାଜନେତା ଥିବା ସହ  ନବ ଓଡ଼ିଶା ନିର୍ମାଣର ଜଣେ କର୍ଣ୍ଣଧାର ଥିଲେ। ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ସ୍ବର୍ଗତ ରାଉତ ରାଜନୀତିରେ ଦୀର୍ଘ ସମୟଧରି ରହି ଆସିଥିଲେ। ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ସମୟରେ କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ଭଳି ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳି ଥିଲେ ଦାମ ବାବୁ। ତେବେ ୨୦୧୭ ମସିହାରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ଏବଂ ଗତ ଜାନୁଆରୀ ମାସରେ ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ଥିଲା। ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଜନନେତା ଡାକ୍ତର ଦାମୋଦର ରାଉତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ବର୍ଗତ ରାଉତ ଜଣେ ଦକ୍ଷ ରାଜନେତା ସହ ସଂଚାର ଖବରକାଗଜର ପ୍ରତିଷ୍ଠାତା ଥିଲେ। ସେ ଏହି ଖବରକାଗଜର ସଂପାଦକ ମଧ୍ୟ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୦୬ ମସିହାରେ ମୁଁ ଓ ଦେବଗିରି ମଠର ଟ୍ରଷ୍ଟ କାହ୍ନୁଚରଣ ଧଙ୍ଗଡାମାଝୀ ସେହି ସମୟର ମନ୍ତ୍ରୀ ବଳଭଦ୍ର ମାଝିଙ୍କ ସହ ଦାମ ବାବୁଙ୍କ ଚେମ୍ବରରେ ଯାଇ ପହଞ୍ଚିଲୁ। ଆମେ ତାଙ୍କୁ ଦେବଗିରି ମହୋତ୍ସବରେ ଯୋଗ ଦେବାକୁ ଅନୁରୋଧ କଲୁ। ବିନା ବାକ୍ୟ ବ୍ୟୟରେ ସେ ଯିବା ପାଇଁ ସ୍ବୀକୃତି ଦେଇ ଦେବଗିରିର ଇତିହାସ ଓ ପୌରାଣିକ ତଥ୍ୟ ବିଷୟରେ ଜାଣିବାକୁ ଚାହିଁଲେ। ମୁଁ ବିସ୍ତୃତ ଭାବେ ତାଙ୍କୁ ବୁଝାଇବାରେ ଲାଗିଲି। ମନ୍ତ୍ରୀ ବଳଭଦ୍ର ମାଝୀ ମୋତେ ମଝିରେ ଅଟକାଇ କହିଲେ ‘ସାର୍ (ଦାମ ବାବୁ) କେ କାଏଁ କଥା ଅଜଣା ଅଛେ ଯେ ତୁଇ ଉର୍ଲି ନେଉଚୁ।’ ମୁଁ ଟିକେ ଚୁପ୍ ରହିଲି। ଦାମ ବାବୁ ବଳଭଦ୍ରଙ୍କୁ ମୋ ବିଷୟରେ ପଚାରିଲେ। ବଳଭଦ୍ର ମାଝୀ କହିଲେ – ଇଏ ଜଣେ ସାମ୍ବାଦିକ। ଦାମ ବାବୁ ମୋ ଆଡ଼କୁ ଚାହିଁ କହିଲେ – ‘ଭବିଷ୍ୟତରେ ତୁ ଜଣେ ଭଲ ସଂପାଦକ ହେବୁ। ଆଗ ଯା’ ପାନ ୧୦ ଖଣ୍ଡ ନେଇ କି ଆସ। ସାମ୍ବାଦିକମାନେ ସମସ୍ତଙ୍କୁ ଚନ୍ଦାଇ ଥାନ୍ତି। ମୁଁ କିନ୍ତୁ ସାମ୍ବାଦିକ ମାନଙ୍କ ଠାରୁ ଖାଏ, ଦିଏ ନାହିଁ।’ ମୁଁ ବାହାରକୁ ଯାଇ ପାନ ନେଇ ଆସିଲି। ୨୦୦୬ ଫେବୃଆରୀରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଦାମୋଦର ରାଉତ ଓ ମନ୍ତ୍ରୀ ବଳଭଦ୍ର ମାଝୀ ଦେବଗିରି ମହୋତ୍ସବକୁ ଆସି ଯୋଗଦେଲେ। ଦେବଗିରି ଗୁମ୍ଫାରେ ମହାଦେବଙ୍କୁ ଦର୍ଶନ କରି ମଞ୍ଚକୁ ଯିବା ପୂର୍ବରୁ ତାଙ୍କ ହାତକୁ ବଢାଇଦେଲି ଗୋଟେ ଗ୍ଲାସ ଲେମ୍ବୁପାଣି। ସେ ପିଇବା ପରେ ଆଉ ଗୋଟିଏ ଗ୍ଲାସ ମାଗି କହିଲେ -କଳାହାଣ୍ଡିଆ ପାଣିରେ ବୋଧେ ଅମୃତ କଳସରୁ ବିନ୍ଦୁ ଟିଏ ଖସି ପଡ଼ିଛି। ଏହାପରେ ସେ ମଞ୍ଚରେ କହିଲେ – ‘ଦେବତାଙ୍କ ନିବାସ ହୋଇଥିବାରୁ ଏହି ସ୍ଥାନର ନାଁ ଦେବଗିରି। ଭଗବାନ ରାମ ବନବାସ ସମୟରେ ଏଠାକୁ ଆସିଥିଲେ। ଦେବଗିରି ପାହାଡ଼ ଗ୍ରାନାଇଟ ପାହାଡ଼, କେବେ ବି ଏହାର କ୍ଷତି ହେବାକୁ ଦେବନାହିଁ।’ ମହୋତ୍ସବ ମଞ୍ଚରେ ସାଧୁ ଶେଷଦେବ ଦାସଙ୍କୁ ଦେବଗିରି ସମ୍ମାନରେ ସମ୍ମାନିତ କରି ଦାମ ବାବୁ ତାଙ୍କୁ ପ୍ରଣାମ କଲେ।  ଏଥିରୁ ସାଧୁ ସନ୍ୟାସୀଙ୍କ ପ୍ରତି ତାଙ୍କର ମହାନ ଭାବ ଜଳ ଜଳ ହୋଇ ଦିଶୁଥିଲା। ସେହି ସମୟରେ ମୁଁ ଦେବଗିରି ମଠର ମହାସଚିବ ଥିଲି ବର୍ତ୍ତମାନ ମଧ୍ୟ ଏହି ଦାଇତ୍ବରେ ରହିଛି। ଏହାରି ଭିତରେ ଦେବଗିରି ମଠର ବହୁ ଉନ୍ନତି ସାଧିତ ହୋଇଛି। ପ୍ରତିବର୍ଷ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହୋତ୍ସବ ଆୟୋଜିତ ହେଉଛି। ଅନେକ ନେତା ମନ୍ତ୍ରୀ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି କିନ୍ତୁ ଦାମ ବାବୁଙ୍କ ପରି ଗଭୀର ପାଣ୍ଡିତ୍ୟ ପୂର୍ଣ୍ଣ ବକ୍ତା ଆଉ କେବେ ଦେଖିନାହିଁ ଦେବଗିରି ମଞ୍ଚ। ଏହାପରେ ଯେତେବେଳେ ବି ଭୁବନେଶ୍ଵର ଯାଏ ଦାମ ଦାଦାଙ୍କ ସହ ସାକ୍ଷାତ ହୁଏ। ୨୦୧୪ ରେ ତାଙ୍କର ସଂଚାର ଖବରକାଗଜର ସାମ୍ବାଦିକ ଭାବେ ଯୋଗଦେଲି। ସଂଚାର ଦୈନିକ ଖବରକାଗଜର ସମସ୍ତ ଷ୍ଟାଫଙ୍କ ସହ ମୋର ଉତ୍ତମ ସଂପର୍କ ଥିଲା। ଦାମ ବାବୁଙ୍କ ମାର୍ଗଦର୍ଶନରେ ୨୦୧୭ ରେ ମୁଁ ଓଡ଼ିଆ ବାର୍ତ୍ତା ଆରମ୍ଭ କଲି। ଦାମ ବାବୁ ଓଡ଼ିଆ ବାର୍ତ୍ତା ନାଁ ଶୁଣି ବହୁତ ଖୁସି ହୋଇ ଯାଇଥିଲେ। ସେ ବୁଲେଇ ବଙ୍କେଇ କହିବା ଠାରୁ ସିଧା ସିଧା କହିବାକୁ ଭଲ ପାଉଥିଲେ। ଉପରେ କଠୋର ଜଣା ପଡୁଥିଲେ ମଧ୍ୟ ଭିତରେ ଥିଲେ ଜଣେ କୋମଳ ହୃଦୟର ମଣିଷ। ତାଙ୍କ ସହ ଆମ ପରିବାରର ଉତ୍ତମ ସଂପର୍କ ଥିଲା। ଦାମ ଦାଦାଙ୍କ ରୋକ୍ ଠୋକ୍ କଥା ଆଉ ଶୁଣିବାକୁ ମିଳିବ ନାହିଁ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.