ଟୋଲବ୍ରାହ୍ମଣୀରେ ମହିମା ମେଳା ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟୀର ଆଶ୍ରମରେ ୬୬ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ମହୋତ୍ସବ-୨୦୨୪ ଶନିବାର ଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତର ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଏଥିରେ ଯୋଗ ଦେଇଛନ୍ତି। ମହିମା ଅଲେଖ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନ ପବନ। ବ୍ରହ୍ମ ଅବଧୂତ ଭଗବାନ ବାବା ଯାଜ୍ଞିକ ଥିବାବେଳେ ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ସନ୍ତୋଷ ବାବା, ସାଧୁ ପ୍ରଭାକର ବାବାଙ୍କ ସହ ଅନ୍ୟାନ୍ୟ ସାଧୁମାନେ ସହଯୋଗ କରୁଛନ୍ତି। ଶନିବାର ସକାଳୁ କଳସ ଯାତ୍ରା ସହ ଏହି ମେଳା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟ କ୍ରମେ ଧୂନୀ ସ୍ଥାପନ, ଅଖଣ୍ଡ ବତୀ ପ୍ରଜ୍ବଳନ, ଆଠ ଭଜନ, ପ୍ରବଚନ, ଝାଡ ବତୀ ପ୍ରଜ୍ଜ୍ୱଳନ, ଶବର ଓ ସିଂ ପରିବାରର ମୈତ୍ରୀ ମିଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ବଲାଙ୍ଗୀର ଜିଲ୍ଲା ରଏନମାଲର ମିକ୍ଚର ରାମାୟଣ ପରିବେଷିତ ହୋଇଛି। ଆବାହକ ଓ ଯଜ୍ଞ କର୍ତ୍ତା ବୈଦ୍ୟରାଜ ପବିତ୍ର ଶବରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଥା ଗ୍ରାମବାସୀ ମାନଙ୍କ ସହଯୋଗରେ ଚାଲିଛି ଏହି ମହିମା ମେଳା ମହୋତ୍ସବ। ସୋମବାର ବ୍ରହ୍ମ ମୁହୂର୍ତ୍ତରେ ପଣାପାଣି ଅର୍ପଣ, ବାଲ୍ୟ ଭୋଜନ, ପୂର୍ଣ୍ଣାହୁତି ସହ ମହିମା ମେଳା ସମାପନ ହେବ ବୋଲି ସିଦ୍ଧ ରତ୍ନକୁଟୀର ଆଶ୍ରମ ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.