ଆଦି ସଂସ୍କୃତିର ପବିତ୍ର ବୃକ୍ଷ ମହୁଲ

ଆଦି ସଂସ୍କୃତିର ଧାରାରେ ମହୁଲ ଗଛର ବିଶେଷ ଗୁରୁତ୍ଵ ରହିଛି। ଡଙ୍ଗର ପର୍ବତ, ନଦ ନଦୀ, ଗଛ ବୃକ୍ଷ ସହ ପ୍ରକୃତି ପୂଜନ ଏହି ସଂସ୍କୃତିର ମହନୀୟତାକୁ ପ୍ରତିପାଦନ କରିଥାଏ। ବିଭିନ୍ନ ବୃକ୍ଷ ମଧ୍ୟରୁ ଆଦିମ ସଭ୍ୟତାର ମନୁଷ୍ୟ ଆମ୍ବ, ମହୁଲ, ଚାର, ଡିମ୍ବିରି, କେନ୍ଦୁ ଆଦି ଗଛ ଦ୍ବାରା ଅଧିକ ଉପକୃତ ହେଉଥିଲା ତେଣୁ ସେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହିସବୁ ବୃକ୍ଷର ଆଦ୍ୟ ଫଳକୁ ସମର୍ପଣ କରି ଭକ୍ଷଣ କରୁଥିଲା। ତେଣୁ କେଉଁ ଏକ ଆବାହମାନ କାଳରୁ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ଆମ୍ ନୂଆ, ମହୁଲ୍ ନୂଆ, ଡୁମେର୍ ନୂଆ, କେନ୍ଦୁ ନୂଆ ଆଦି ପାଳିତ ହୋଇ ଆସୁଛି। ମହୁଲ ଗଛ ଆଦି ସଂସ୍କୃତିର ଏକ ମହାନ ବୃକ୍ଷ। ଆଦି ବିଚାର ଧାରାରେ ଏହା ସୃଷ୍ଟି ସର୍ଜନା ସମୟରୁ ରହି ଆସିଛି। ଏହା ଏକ ପବିତ୍ର ବୃକ୍ଷ। ପଶ୍ଚିମ ଓଡ଼ିଶାର କନ୍ଧ, ଡମ୍ବ, ଗଉଡ ଆଦି ସଂପ୍ରଦାୟ ସହ ଅନେକ ଜାତି ବିବାହ ସଂସ୍କାର ସମୟରେ ମହୁଲ ଡାଲ୍ (ଶାଖା)କୁ ଆଣି ବେଦୀରେ ସ୍ଥାପନ କରିଥାନ୍ତି। ମହୁଲ ଫୁଲକୁ ସୁଖାଇ ଅନେକ ଦିନ ପର୍ଯ୍ୟନ୍ତ ରଖାଯାଉଥିଲା। ଏହା ଏକ ଉତ୍ତମ ଖାଦ୍ୟ ଭାବେ ପରିଗଣିତ ହେଉଥିଲା। ମହୁଲରୁ ମଦ ପ୍ରସ୍ତୁତ କରି ପାନ କରୁଥିଲେ ଆଦି ସଭ୍ୟତାର ମାନବ।
ଆୟୁର୍ବେଦ ଅନୁସାରେ ମହୁଲ ଏକ ଶକ୍ତି ବର୍ଦ୍ଧକ ଔଷଧ। ଏହା ମନୁଷ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ସେବନ କରିବାଦ୍ୱାରା ଶରୀରର ଥକ୍କାପଣ, ଦୁର୍ବଳତା ଏବଂ ଯୌନ ରୋଗରୁ ମୁକ୍ତି ମିଳିଥାଏ। ମହୁଲ ଗଛର ପ୍ରତ୍ୟକ ଅଂଶ କାମରେ ଲାଗିଥାଏ। ଏହାକୁ ଉପଯୋଗ କରି ଦାନ୍ତବିନ୍ଧା, ଅର୍ଶ, ତ୍ବଚା ସମ୍ବନ୍ଧିୟ ରୋଗ, କାଶ ରୋଗ, କଫ, ଗଣ୍ଠି ବାତ, ଚର୍ମ ରୋଗ ଆଦି ଭଲ କରାଯାଇ ପାରିଥାଏ। ୧୦୦ ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ ମହୁଲ ଗଛ। ମହୁଲ ଗଛ ଏକ ଉପକାରୀ ଓ ପବିତ୍ର ଗଛ ହୋଇଥିବାରୁ ଏହାକୁ କଟାଯାଏ ନାହିଁ। ପୂର୍ବ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଣ ପାହାଡ ଘେରା ଅଞ୍ଚଳର ଗିରିଜନ ମାନଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମହୁଲ ଗଛ। ବସନ୍ତ ଋତୁରେ ମହୁଲ ଗଛରେ ଫୁଲ ଆସିଥିବାବେଳେ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ଫଳ ପାଚିଥାଏ। ମହୁଲର ଫଳକୁ ଟୋଲ୍ ବୋଲି ମଧ୍ୟ କୁହାଯାଇଥାଏ। ମହୁଲ ଗଛକୁ ନେଇ ଅନେକ କାହାଣୀ ଓ କିମ୍ବଦନ୍ତୀ ରହିଛି। ଏବେ ଧରାପୃଷ୍ଠରେ ଚାଲିଛି ଋତୁରାଜ ବସନ୍ତର ରାଜୁତି। ବିଭିନ୍ନ ଫୁଲ ପ୍ରକୃତିର ଶୋଭା ବଢ଼ାଇବାରେ ସହାୟକ ହେଉଛନ୍ତି। ଏପରି ସମୟରେ ଗଛରୁ ଝରି ପଡୁଛି ମହୁଲ ଫୁଲ। ଏହାର ବାସ୍ନାରେ ମହକି ଯାଉଛି ବଣପାହାଡ। ବର୍ତ୍ତମାନ ମହୁଳଫୁଲ ସଂଗ୍ରହ କରିବା ନେଇ ବଣପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜନଜାତିର ଲୋକଙ୍କ ମନରେ ଦେଖାଦେଇଛି ଅପୂର୍ବ ଉନ୍ନାଦନା। କାହିଁ କେଉଁ କାଳରୁ ଆଦିବାସୀମାନେ ଜଙ୍ଗଲରୁ ଝୁଣା, ମହୁଲ, ଶାଳପତ୍ର, କାଠ, ଶାଳମଞ୍ଜି, କେନ୍ଦୁ, ଚାରମଞ୍ଜି, ଲିମ୍ବ, ବାହାଡା, ଅଁଳା, ହରିଡା ପ୍ରଭୃତି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରିଆସୁଛନ୍ତି। ତେବେ ଏମାନେ ମହୁଲର ଉଚିତ୍ ମୁଲ୍ୟ ପାଉନଥିବା ଅଭିଯୋଗ ହେଉଛି। ତେଣୁ ସରକାର ଏଦିଗରେ ଧ୍ୟାନ ଦେଇ ମହୁଲ ମଣ୍ଡି ସ୍ଥାପନ କଲେ ମହୁଲ ସଂଗ୍ରହକାରିମାନେ ଉପକୃତ ହୋଇପାରନ୍ତେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.