ଅଟିଜିମ୍

Omkar Vasthu
Omkar Vasthu

ଡଃ ଗୋପାଳକୃଷ୍ଣ ନନ୍ଦ

ଅକ୍ଷମତା ମାନବ ଜୀବନର ଏକ ଅଂଶବିଶେଷ। ମଣିଷ ଯେତେ ସ୍ୱାସ୍ଥ୍ୟବନ୍, ବୁଦ୍ଧିମାନ୍ ଏବଂ କୌଶଳ ପରାୟଣ ହେଉ ପଛେ, ସମସ୍ତଙ୍କ ପାଖରେ ଅକ୍ଷମତା ବିଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ। ସୁସ୍ଥ ବ୍ୟକ୍ତି ପାଖରେ ରାଗ, କ୍ରୋଧ, ଭୟ, ବିତୃଷ୍ଣା, ଆବେଗ ପ୍ରଭୃତି ମଧ୍ୟ ଦେଖାଦେଇଥାଏ। ଅକ୍ଷମତା ଭିନ୍ନକ୍ଷମ ଶିଶୁ ବା ବ୍ୟକ୍ତିମାନଙ୍କ ପାଖରେ ବିଶେଷ ଭାବରେ ଦେଖିବାକୁ ମିଳେ। ଲକ୍ଷଣ ଏବଂ କାରଣଗତ ହେତୁ ଭିନ୍ନକ୍ଷମ/ ଅକ୍ଷମତାକୁ ଏକୋଇଶ ପ୍ରକାରର ଶ୍ରେଣୀଭୁକ୍ତ କରାଯାଇପାରେ, ବିଶେଷ ଭାବରେ: ଦୃଷ୍ଟିଗତ ସମସ୍ୟା, ଶାରୀରିକ, ବୁଦ୍ଧିଗତ ଓ ବିକାଶାତ୍ମକ, ସ୍ନାୟବିକ, ରକ୍ତଗତ ଅକ୍ଷମତା ଇତ୍ୟାଦି। ଅନ୍ୟ ଭାବରେ କହିବାକୁ ଗଲେ, ଏହି ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରୁ କିଏ କିଏ ଦୃଷ୍ଟି ବାଧିତ, ଦୃଷ୍ଟିହୀନତା, ଶ୍ରବଣ ବାଧିତ, ବାକ୍/ ଶ୍ରବଣ ବାଧିତ, ଚଳିତ ଶକ୍ତି ରହିତ, ବାମନ, ବୌଦ୍ଧିକ ଅନଗ୍ରସର, କୁଷ୍ଠରୋଗରୁ ଆରୋଗ୍ୟ ବ୍ୟକ୍ତି, ମାଂସପେଶୀ ଅନିୟମତା, ସ୍ନାୟୁ ଜନିତ ସମସ୍ୟା, ରକ୍ତ ଶିକୁଳା ଭଳି ଅସୁବିଧାରେ ପଡ଼ିଥା’ନ୍ତି।

Pearl dental clinic
Near Ashish Medical Store, Bhawanipatna

ଅଟିଜିମ୍, ବୁଦ୍ଧିଗତ ତଥା ବିକାଶାତ୍ମକ ଅକ୍ଷମତାର ଅନ୍ତର୍ଭୁକ୍ତ। ଅଟିଜିମ୍କୁ ସ୍ୱପରାୟଣତା/ ସ୍ୱଲୀନତା/ ଆତ୍ମବିମୋହ କୁହାଯାଇପାରେ। ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି, ମାତ୍ର ମସ୍ତିଷ୍କର (ସ୍ନାୟୁ- ନିରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ। ମସ୍ତିଷ୍କର ସ୍ନାୟବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ। ସମାଜର ବା ସମବୟସ୍କ ପିଲା ବା ପରିବାରବର୍ଗ ଲୋକଙ୍କ ପାଖରେ ମଧ୍ୟ ନିଜର ଭାବକୁ ଠିକ୍ ଭାବରେ ଉପସ୍ଥାପନ କରିପାରନ୍ତି ନାହିଁ। ଶିଶୁ ଅଢ଼େଇରୁ ତିନିବର୍ଷ ହେଲା ବେଳକୁ ଅଟିଜିମ୍ର କେତେକ ଲକ୍ଷଣ ତା’ଠାରେ ବାରି ହୋଇଯାଏ। ପିତାମାତା, ପିରବାର ଲୋକ, ଆତ୍ମୀୟ ସ୍ୱଜନ ତଥା ସାଇପଡୋଶୀ ଠିକ୍ ଭାବରେ ପର୍ଯ୍ୟବେକ୍ଷଣ କଲେ, ଅଟିଜିମ୍ର ଲକ୍ଷଣମାନ ଜଣାପଡ଼ିଥାଏ। ଅଟିଜିମ୍ ଆକ୍ରାନ୍ତ ପିଲାଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ପ୍ରତିଶତ ପିଲାଙ୍କ ପାଖରେ ବୁଦ୍ଧିଗତ ଅସ୍ୱାଭାବିକତା ଦେଖାଯାଉଥିବା ବେଳେ ଅନ୍ୟ ପିଲାମାନଙ୍କ ପାଖରେ ଅତି ବୁଦ୍ଧିମାନ ବା ସାଧାରଣ ବୁଦ୍ଧି ସମ୍ପନ୍ନ ଲକ୍ଷଣମାନ ଦେଖିବାକୁ ମିଳିଥାଏ। ଏହି ପିଲାମାନେ ବିଭିନ୍ନ ପ୍ରତିଭାର ଅଧିକାରୀ ବୋଲି ଗବେଷଣାରୁ ଜଣାଯାଏ।

Udyog Nursery
Udyogi Nursery

କାରଣ କ’ଣ ହୋଇପାରେ?

ବଂଶଗତ ବା ଶାରୀରିକ କାରଣ ହେତୁ ପ୍ରାୟତଃ ଅଟିଜିମ୍ ହୁଏ । ସାମାଜିକ ଓ ମାନସିକ ସମସ୍ୟାମାନ ଅନ୍ୟ ଆନୁସଙ୍ଗିକ କାରଣ ହୋଇପାରେ। ଶିଶୁ ଜନ୍ମ ନେଲାବେଳେ କେତେକ ବିଶେଷ ଅସୁବିଧା, ଯଥା- ପ୍ରଚୁର ରକ୍ତସ୍ରାବ, ରୋଗ ପ୍ରତିରୋଧକ ଶକ୍ତିର ଅଭାବ, ଜୈବିକ ଅସ୍ୱାଭାବିକତା (ବାୟୋଲୋଜିକାଲ୍ ପ୍ରବଲେମ୍ସ), ବ୍ରେନ୍ ଆବ୍ନର୍ମାଲିଟି, ରେଟିକୁଲାର ଆକ୍ଟିଭେସନ୍ ସିଷ୍ଟମରେ କ୍ଷୁଦ୍ରାଣୁ (ଲିଜନ୍) ଥିଲେ ଅଟିଜିମ୍ ହେବାର ସମ୍ଭାବନା ଥାଏ। ମସ୍ତିଷ୍କର ଲିମ୍ବିକ୍ ସିଷ୍ଟମ୍ର ଆମିଡ୍କାଲା, ହିପୋକେମ୍ପସ୍ ଭଳି ସ୍ଥାନରେ କ୍ଷତ ହୋଇଥିଲେ ବା ସ୍ନାୟୁଗତ ସମସ୍ୟା (ନୁ୍ୟରୋଲୋଜିକାଲ୍ ସମସ୍ୟା) ଥିଲେ ଅଟିଜିମ୍ ଦେଖାଦେଇପାରେ। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ବହୁ କାରଣମାନ ରହିଛି।

ଅଟିଷ୍ଟିକ୍ ପିଲାଙ୍କୁ ଚିହ୍ନିବା କିପରି:

• ଅଟିଷ୍ଟିକ୍ ଆକ୍ରାନ୍ତ ପିଲା ସାଧାରଣତଃ ସିଧାସଳଖ ମୁହଁକୁ ଚାହିଁ କଥା ହେବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି ।

•ମୁହଁକୁ ବୁଲେଇ ବଙ୍କାଇ ଅସ୍ୱାଭାବିକ ସ୍ୱରରେ କଥା କହିଥା’ନ୍ତି।

• ସେମାନଙ୍କ ଭାବଭଙ୍ଗୀ, ଚାଲିଚଳଣ ସାଧାରଣ ବୟସ୍କ ପିଲାଙ୍କଠାରୁ ଟିକିଏ ଅଲଗା ଥାଏ।

• ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି, ନିଜକୁ ବା ଅନ୍ୟକୁ ବାଡ଼େଇବା ବା ସେହିଭଳି, କାମୁଡିବା, ଏଣେତେଣେ ବୁଲିବା, ନିଜକୁ ଆଘାତ ଦେବା, ଜୋରରେ ଚିକ୍ରାର କରିଥା’ନ୍ତି।

•ମନକୁ ମନ ହସେ, ଖେଳେ, ବିଭିନ୍ନ ସ୍ୱର ଭଙ୍ଗୀରେ ଉଚ୍ଚାରଣ ବେଳେବେଳେ କରିଥାଏ।

• କଥା କହିବା ଶୈଳୀରେ ବିଭିନ୍ନତା ବା ଅସ୍ୱାଭାବିକତା ପରିଲକ୍ଷିତ ହୁଏ।

• ସର୍ବଦା ନିଜ ଦୁନିଆରେ ରହିବାକୁ ଭଲ ପାଏ।

• କେତେକ କଥା କହିବାକୁ ଆଦୌ ପସନ୍ଦ କରନ୍ତି ନାହିଁ ବା ବିଳମ୍ବରେ କଥା କହନ୍ତି।

• ବେଳେବେଳେ କ୍ରୋଧରେ କର୍କଶ ବା ଟାଣ କଥା କହିପକାନ୍ତି।

•ଏକା ପ୍ରକାର କାମକୁ ବାରମ୍ବାର ମଧ୍ୟ କରିଥାଆନ୍ତି।

ଆହୁରି ଅନେକ କାରଣ ମଧ୍ୟ ହୋଇପାରେ, ଯଥା- ଅଟିଷ୍ଟିକ୍ ଅସ୍ୱାଭାବିକତା (ଆସ୍ପର୍ ସିଣ୍ଡ୍ରମ୍), ରେଟ୍ ସିଣ୍ଡ୍ରମ ଇତ୍ୟାଦି।

ପ୍ରତିକାର:

ଅଟିଜିମ୍ ଶିଶୁମାନଙ୍କ ପାଇଁ ଏକ ସାମୟିକ ଅକ୍ଷମତା ବୋଲି ବିବେଚନା କରାଯାଇପାରେ, ଯଦିଓ କେତେକ କ୍ଷେତ୍ରରେ ବିଶେଷ ସକ୍ଷମତା ମଧ୍ୟ ପରିଲକ୍ଷିତ ହୁଏ। କେତେକ ବିଷୟ ପ୍ରତି ଧ୍ୟାନଦେଲେ କିଛିଟା ସୁଧାର ହେବାର ସମ୍ଭାବନା ଥାଏ। ବିଶେଷକରି – ପିଲାଟି ସହିତ ଧୈର୍ଯ୍ୟର ସହିତ କଥାହେବା, ତା’ କଥାକୁ ବୁଝିବା। ଅନ୍ୟମାନଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଶିଶୁଟିକୁ ପ୍ରୋତ୍ସାହିତ କରିବା, ଶିଶୁଟି ଅନ୍ୟମାନଙ୍କ ସହିତ ମିଳିମିଶି ଚଳିବା ପାଇଁ ପରିବେଶ ତିଆରି କରିବା ଓ ପ୍ରୋତ୍ସାହିତ କରିବା ଏବଂ ମନସ୍ତତ୍ତ୍ୱବିତ୍, ମନରୋଗ ଡାକ୍ତର, ବାକ୍ଚିକିତ୍ସା ବିଶେଷଜ୍ଞ ଏବଂ ସୁଦକ୍ଷ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଚିକିତ୍ସା ଯଥାଶୀଘ୍ର କରାଇନେଲେ ଭଲ।

କେତେକ ସ୍ୱତନ୍ତ୍ର ଚିକିତ୍ସା:

• ପ୍ରୟୋଗାତ୍ମକ ବ୍ୟବହାରିକ ସଂପରୀକ୍ଷଣ (ଆପ୍ଲାଏଡ୍ ବିହେଭିଅରାଲ୍ ଆନାଲିସିସ୍)।

•ବ୍ୟବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା (ବିହେଭିଅର୍ ମୋଡିଫିକେସନ୍)।

• ଅଟିଜିମ୍ ଶିଶୁଙ୍କୁ ଚିକିତ୍ସା ଏବଂ ଶିକ୍ଷା (ଟେକ୍ ମେଥଡ- ଟି୍ରଟ୍ମେଣ୍ଟ ଆଣ୍ଡ ଏଡୁକେସନ୍ ଅଫ୍ ଅଟିଷ୍ଟିକ୍ ଆଣ୍ଡ ରିଲେଟେଡ୍ କମୁ୍ୟନିକେସନ୍ ହ୍ୟାଣ୍ଡିକ୍ୟାପ୍ଡ ଚିଲଡ୍ରେନ୍)।

• ଦୈନନ୍ଦିନ ଜୀବନ ଚିକିତ୍ସା/ ଜୀବନ ଚର୍ଯ୍ୟା (ଡେଲି ଲାଇଫ୍ ଥେରାପି)।

• କଥୋପକଥନ (କମୁ୍ୟନିକେସନ୍ ଥେରାପି)।

ଅଟିଷ୍ଟିକ୍ ଆକ୍ରାନ୍ତ ଶିଶୁ ଅତି ସବଳ ନହେଲେ ମଧ୍ୟ ଦୁର୍ବଳ ହୁଏନାହିଁ। ତେଣୁ ଏମାନଙ୍କର ଚିକିତ୍ସାର ଆବଶ୍ୟକତା ପଡେ। ଯଥା: କଥୋପ କ, ଶାରିରୀକ ବ୍ୟୟାମ , ବ୍ୟବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା, ଖେଳ ମାଧ୍ୟମରେ କିଛି ମାତ୍ରାରେ ସୁଧାର ଆସିପାରେ। ଏମାନଙ୍କୁ ବୁଝିବା ଏବଂ ବୁଝାଇବା ତଥା ଶିକ୍ଷା ଦେବାପାଇଁ ଅସୀମ ଧୈର୍ଯ୍ୟ, ସ୍ନେହ ଆଦର ଆବଶ୍ୟକ। ସ୍ୱତନ୍ତ୍ର ତାଲିମ ପ୍ରାପ୍ତଜନିତ ଶିକ୍ଷକ/ ବ୍ୟକ୍ତି/ ଅଭିଜ୍ଞ ଡାକ୍ତରୀ ଜ୍ଞାନ ସମ୍ପନ୍ନ ବ୍ୟକ୍ତିଦ୍ୱାରା ଚିକିତ୍ସା କଲେ, ଉପକାର ମିଳିବାର ସମ୍ଭାବନା ଅଧିକ। ବିହେଭିଅରାଲ୍ କଗ୍ନିଟିଭ୍, ଏଡୁକେସନାଲ୍ ଇଣ୍ଟରଭେନ୍ସନ ଥ୍ରୁ ସ୍ପେସାଲ୍ ଏଡୁକେଟରସ୍ଙ୍କ ଦ୍ୱାରା କରାଯାଇପାରିଲେ ଅଟିଷ୍ଟିକ୍ ପିଲାଟିର ଉନ୍ନତି ହେବାର ଆଶା ରହିଛି। ଏଥିପାଇଁ ବାପା, ମାଆ, ପରିବାରର ଲୋକ, ସାହିପଡ଼ୋଶୀ ପିଲାଟିର ସମବୟସ୍କ ଅନ୍ୟ ସାଧାରଣ ଶିଶୁ ତଥା ସମାଜର ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଅଟିଜିମ୍ ପିଲାମାନଙ୍କର ବ୍ୟବହାରିକ ତଥା ପ୍ରଜ୍ଞା ପ୍ରକାଶ ପାଇଁ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା, ପସନ୍ଦ ଏବଂ ଗ୍ରହଣୀୟ ଶିକ୍ଷା ପଦ୍ଧତି, ଦକ୍ଷ ଶିକ୍ଷକଙ୍କ ଦ୍ୱାରା ପ୍ରଦାନ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ଆମକୁ ମନେ ରଖିବାକୁ ହେବ ଯେ ସଠିକ୍ ଧାରାରେ ହିଁ ଯିବା ଦରକାର। ସେମାନଙ୍କ ପାଇଁ ସମାଜରେ ସମୟ ଓ ସ୍ଥାନ ବାହାର କରିବା ଜରୁରୀ। ଅଟିଜିମ୍ ଏକ ବିକାଶ ବାଧକ ପ୍ରକ୍ରିୟା। ଖାଲି ଦେଢ଼ବର୍ଷରୁ ୩ବର୍ଷ ପିଲା ନୁହଁନ୍ତି କେତେକ କ୍ଷେତ୍ରରେ ୮-୯ ବର୍ଷରେ ମଧ୍ୟ ଅଟିଜିମ୍ ପରିଲକ୍ଷିତ ହୁଏ। ଅଟିଜିମ୍ ଗୋଟିଏ ସାମାଜିକ କଥୋପକଥନ ଅନିମିୟତା। ଆଜି ବହୁବିଧ ସୁବିଧା ଏବଂ ବ୍ୟବସ୍ଥାମାନ ଉପଲବ୍ଧ ହେଲାଣି। ଅଟିଷ୍ଟିକ୍ ପିଲାଙ୍କୁ ଭଲ କରିବାରେ ଚାରିଜଣଙ୍କର ପ୍ରମୁଖ ଭୂମିକା ରହିଛି। ଯଥା: ପିତା, ମାତା, ଶିଶୁ ମନୋଚିକିତ୍ସକ ଓ ଦକ୍ଷ ତାଲିମ ପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ। ପିଲାଟି ଏକ ମୁହୂର୍ତ୍ତରେ କ’ଣ କରୁଛି ତାଙ୍କୁ ବିଚାରକୁ ନେଇ ଆନୁସଙ୍ଗିକ ସୁବିଧା ଯୋଗାଇବା ଦରକାର। ଅଟିଜିମ୍ ଏକ ରୋଗ ଅସୁସ୍ଥତା ଅଂଶଭୁକ୍ତ ବୋଲି ଭାବିବା ଠିକ୍ ହେବନି, ବରଂ ଏହା ଏକ ଭିନ୍ନ ଧରଣର ବ୍ୟବହାର ବୋଲି ଧରି ସୁଧାର ଆଣିବାକୁ ଚେଷ୍ଟିତ ହେଲେ, ଅଟିଷ୍ଟିକ୍ ଶିଶୁଟି ସୁସମାଜର ମୁଖ୍ୟ ସ୍ରୋତକୁ ଫେରିବାର ସମ୍ଭାବନା ରହିଛି। ପ୍ରତିବର୍ଷ ଅପ୍ରେଲ ୨ ତାରିଖକୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଉଛି।

ଶିଶୁମାନେ ହେଉଛନ୍ତି, ଦେଶର ଭବିଷ୍ୟତ। ଶିଶୁ ହସିଲେ ଜଗତ ହସେ। ଅଟିଷ୍ଟିକ୍ ଅକ୍ଷମତାସମ୍ପନ୍ନ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷ, ପରିବାର ଲୋକ, ସରକାର ତଥା ସ୍ୱତନ୍ତ୍ର ଶିକ୍ଷା ତାଲିମପ୍ରାପ୍ତ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସମସ୍ୟା ଆଡକୁ ସାମାନ୍ୟ ଦୃଷ୍ଟିଦେଲେ, ଅଟିଜିମ୍ ପିଲାମାନଙ୍କର ମେଧାର ବିକାଶ ଘଟିବ, ସମାଜର ବିକାଶରେ ସେମାନେ ମଧ୍ୟ ଅଂଶୀଦାର ହୋଇପାରିବେ।

ପ୍ରାକ୍ତନ ମନୋବିଜ୍ଞାନ ଅଧ୍ୟାପକ
ମାର୍ଫତ୍ : ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୩୦୫୩୦୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.