ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ବ୍ଲକ ଅନ୍ତର୍ଗତ ଘଣ୍ଟମାଳ ପଞ୍ଚାୟତ ପରିସରରେ ଆଜି ନର୍ଲା ବ୍ଲକ ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦଙ୍କ ନେତୃତ୍ଵରେ ପଞ୍ଚାୟତ ପରିବେଶ ଦିବସ ପାଳିତ ହୋଇଯାଇଛି। ସମ୍ବାଦ ଜିଲ୍ଲା ପ୍ରତିନିଧିଙ୍କ ସଭାପତିତ୍ବରେ ପଞ୍ଚାୟତ ପରିବେଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଉପସ୍ଥିତ ରହି ପଲିଥିନକୁ କିପରି ବନ୍ଦ କରାଯାଇ ପାରିବ ଏବଂ ପରିବେଶ ସୁରକ୍ଷା କିପରି କରାଯାଇ ପାରିବ ସେନେଇ ଆଲୋକପାତ କରିବା ସହ ପରିବେଶ ଠିକ୍ ରହିଲେ ସ୍ବାସ୍ଥ୍ୟ ଠିକ୍ ରହିବ ବୋଲି ଉପସ୍ଥିତ ଜନ ସାଧାରଣଙ୍କୁ ବୁଝାଇଥିଲେ। ସମ୍ମାନୀତ ଅତିଥି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମଧ୍ୟ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ସୁଜିତ ମିଶ୍ର ଉପସ୍ଥିତ ରହି ପରିବେଶ ସୁରକ୍ଷା, ବୃକ୍ଷର ସୁରକ୍ଷା ଏବଂ ବିଶେଷ କରି ଶାଳ ଗଛ, ପିଆଶାଳ ଗଛ, ଶାଗୁଆନ ଗଛ ଓ ବାଉଁଶ ଗଛର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ ଏବଂ ପଲିଥିନ୍ ବ୍ୟବହାରକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଉପସ୍ଥିତ ଜନ ସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ସମ୍ବାଦର ଜିଲ୍ଲା ପ୍ରତିନିଧି ମଧ୍ୟ ପଲିଥିନ୍ ବନ୍ଦ ଏବଂ ପରିବେଶ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତପୁର ବନପାଲ ଜ୍ୟୋସ୍ନା ବେହେରା, ଘଣ୍ଟମାଳ ସରପଂଚ ଦେବେନ୍ଦ୍ର ସାଙ୍କ ସମେତ ଅଞ୍ଚଳର ଶିକ୍ଷିତ ଯୁବକ, ବୁଦ୍ଧିଜୀବୀ ଓ ମହିଳାମାନେ ଉପସ୍ଥିତ ରହିଥିଲେ। ଶାନ୍ତପୁରର ପୂର୍ବତନ ସମିତି ସଭ୍ୟ ତଥା ଯୁବ ସମାଜସେବୀ ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ନର୍ଲା ସମ୍ବାଦ ପ୍ରତିନିଧି ଶ୍ରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।