ସୋନପୁରରେ ମା’ ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ ମହାଗୌରି ବେଶ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଦଶ ମହାବିଦ୍ୟା ପୂଜା ଚାଲୁ ରହିଥିବା ବେଳେ ଗୁରୁବାର ଆଶ୍ୱିନ ଶୁକ୍ଳ ପକ୍ଷର ଅଷ୍ଟମି ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲାଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଜୟଦୁର୍ଗା ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞରରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ଆଜି ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସେପଟେ ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ଆଜି ମା’ ଦୁର୍ଗା ଭକ୍ତଙ୍କୁ ମହାଗୌରି ରୂପରେ ଦର୍ଶନ ଦେଇଛନ୍ତି। ମା ଦୁର୍ଗାଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ମାତା ମହାଗୌରୀଙ୍କ ଜନ୍ମ ରାଜା ହିମାଳୟଙ୍କ ପୁତ୍ରୀ ଭାବରେ ହୁଏ।ତାଙ୍କର ବୟସ ଯେତେବେଳେ ମାତ୍ର ୮ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ପୂର୍ବଜନ୍ମ ବିଷୟରେ ଜ୍ଞାତ ହୋଇ ପାରିଥିଲେ। ଫଳ ସ୍ୱରୂପ ସେ ପୁଣିଥରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଦେବ ଦେବ ମହାଦେବ ଶିବ ଶଙ୍କର ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଯେତେବେଳେ ତାଙ୍କ ସମ୍ମୁଖରେ ଆସି ବିରାଜମାନ ହୋଇ ତାଙ୍କ ଉପରକୁ କମଣ୍ଡଳର ଜଳ ସିଞ୍ଚନ କରନ୍ତି। ମା’ଙ୍କର ଏକ ଦିବ୍ୟ ଚେହେରା ପୁନଃ ଫେରିପାଇ ଏକ ଉଜ୍ଜ୍ୱଳମୟ ଦୀପ୍ତିକାନ୍ତି ଶୋଭା ତାଙ୍କ ପ୍ରକାଶ ପାଇଥିଲା। ତପସ୍ୟା ଦ୍ୱାରା ତାଙ୍କର ଶରୀରଟି କ୍ଷୀଣଭଙ୍ଗୁର ହୋଇ ସମ୍ପୂର୍ଣ୍ଣ ଯେଉଁ କଳାବର୍ଣ୍ଣ ହୋଇପଡିଥିଲେ ତାହା ଭଗବାନଙ୍କ କରୁଣା ପାଇ ପୁନଃ ଗୌରବର୍ଣ୍ଣ ଧାରଣ କରିଥିଲା। ସେଥିପାଇଁ ମା’ ସେହିଦିନ ଠାରୁ ‘ମହାଗୌରୀ’ ନାମରେ ଖ୍ୟାତ ହେବା କଥା ପୌରାଣିକ କଥାରୁ ଜଣାଯାଏ। ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ, ଦୟାମୟୀ, କୃପାମୟୀ ମାତା ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ମା’ଙ୍କୁ ଏହି ରୂପରେ ପୂଜା କରିବାଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ। ମହାଗୌରୀ ଆଦିଶକ୍ତି ଅଟନ୍ତି। ସହରର ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ନବରାତ୍ରୀ ପୂଜା ଧୁମଧାମ ରେ ଚାଲିଛି। ସହର ସାରା ଲାଇଟରେ ଝଲୁସୁ ଥିବା ବେଳେ ସହର ସୁନ୍ଦର ଦେଖା ଯାଉଛି।