ଆଜି ଡ. ଏପିଜେ ଅବ୍ଦୁଲ୍ କଲାମଙ୍କ ଶ୍ରାଦ୍ଧବାର୍ଷିକୀ
ପ୍ରତ୍ୟେକ ଯୁଗର ଜଣେଜଣେ ନାୟକ ଓ ଆଦର୍ଶ ଥାଆନ୍ତି । ତେବେ ମହାନାୟକ ସିଏ; ଯିଏ ପ୍ରତ୍ୟେକ ଦେଶ ଓ କାଳର ଆଦର୍ଶମାନଙ୍କ ମଧ୍ୟରେ ଅଗ୍ରଣୀ ପ୍ରମାଣିତ ହୋଇଥାଆନ୍ତି; ଯାହାଙ୍କ ଶାଳୀନତା, ସୌମ୍ୟତା, ବିଶ୍ୱଦୃଷ୍ଟି ଅନନ୍ତ ସମୟ ପାଇଁ ଉଦାହରଣ ହୋଇଯାଏ । ଆଜିର ଯୁଗରେ ଘୃଣା ଓ ଦ୍ୱେଷ ପୌରୁଷର ମୂଲ୍ୟବୋଧ ହୋଇ ପ୍ରେମ ଓ ସହିଷ୍ଣୁତାରୁ ଅଧିକ ମାନ୍ୟତା ପାଉଥିବା ସମୟରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଅବୁଲ୍ ପକିର୍ ଜୈନୁଲାବ୍ଦୀନ୍ ଅବ୍ଦୁଲ୍ କଲାମଙ୍କ ବ୍ୟକ୍ତିତ୍ୱ ସେହିସବୁ ନୈତିକ ମୂଲ୍ୟବୋଧରେ ପରିପୂର୍ଣ୍ଣ ଥିଲା, ଯାହାକି ଭାରତୀୟ ଜନମାନସରେ ଆଦର୍ଶ ଜୀବନର ଏକ ନିର୍ବିବାଦୀୟ ପ୍ରତୀକ ହୋଇ ରହିଆସିଛି । ତାଙ୍କର ଜୀବନ ଚିନ୍ତନଶୀଳ ଓ ଗରିମାମୟ ବିଚାରଧାରାରେ ଅକ୍ଷୁଣ୍ଣ, ଜ୍ୟୋତିର୍ମୟ ହୋଇଯାଇଛି ।
ମହାତ୍ମା ଗାନ୍ଧୀଙ୍କ ପରେ ଅବ୍ଦୁଲ୍ କଲାମ୍ ସେହି ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି, ଯାହାଙ୍କୁ ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ରାଜନୈତିକ ଦଳର ଅପୂର୍ବ ସମର୍ଥନ ମିଳିଛି । ସୂର୍ଯ୍ୟ କିରଣର ବର୍ଣ୍ଣନା ପାଇଁ ଯେପରି କୌଣସି ଉପମା ସମର୍ଥ ନୁହେଁ, ସେହିପରି ତାଙ୍କ ଅଦ୍ୱିତୀୟ ବ୍ୟକ୍ତିତ୍ୱର ମହିମା ବି ଭାଷାରେ ବ୍ୟକ୍ତ କରିବା ସମ୍ଭବ ନୁହେଁ ।
ଚାରିବର୍ଷ ତଳେ ଏହି ମହାନ ବୈଜ୍ଞାନିକଙ୍କ ନିଧନରେ ଦେଶର କୋଣ ଅନୁକୋଣରୁ କୋଟିକୋଟି ଜନତା କାନ୍ଦିଥିଲେ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଯେମିତିକି ଲକ୍ଷଲକ୍ଷ ଲୋକ ସହସା ଅନାଥ ହୋଇଗଲେ, ଆମର ମହାନାୟକ ଆମ ଗହଣରୁ ଚାଲିଗଲେ! ସହସା ବିଶାଳ ଦୀପଟିଏ ଲିଭିଗଲା ଆଉ ଚତୁର୍ଦ୍ଦିଗରେ ଘନ ଅନ୍ଧକାର ଛାଇଗଲା!! ଏହା ଥିଲା ଆମର ରାଷ୍ଟ୍ରୀୟ ଶୋକ ।
୧୫ ଅକ୍ଟୋବର ୧୯୩୧ରେ ତାଙ୍କର ଜନ୍ମ । ତାମିଲନାଡ଼ୁ ରାମେଶ୍ୱରମର ଏକ ଗରିବ ମତ୍ସ୍ୟଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମ୍ କଠୋର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଖ୍ୟାତନାମା ବୈଜ୍ଞାନିକ ହେବାସହ ଏବଂ ଭାରତ ପରି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ହୋଇପାରିଥିଲେ । ଜୀବନକାଳ ମଧ୍ୟରେ ସେ ଦେଶବିଦେଶର ୪୦ଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିଥିଲେ ।
ପ୍ରାରମ୍ଭିକ ଜୀବନରେ ଖବରକାଗଜ ବିକିବା ଭଳି ଛୋଟମୋଟ କାମ କରିଥିବା ଡ. କଲାମ୍ ଥିଲେ ଅଦମ୍ୟ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ । ମିସାଇଲ୍ ପିତାମହ, ଭୌତିକବେତ୍ତା, ଏରୋସ୍ପେସ୍ ଇଞ୍ଜିନିୟର୍ କଲାମଙ୍କୁ ତାଙ୍କ ପୋଖରାନ୍ ଅଭିଯାନରେ ଯୋଗଦାନ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଭାରତରତ୍ନ ଭଳି ଉପାଧି ପାଇଁ ମନେରଖିବା ଅପେକ୍ଷା ସେହି ରୂପରେ ମନେପକାଇବା ଉଚିତ; ଯେଉଁ ରୂପରେ ସାଧାରଣ ଜନତା ତାଙ୍କୁ ଚିହ୍ନିଥାନ୍ତି; ଛାତ୍ରଛାତ୍ରୀଙ୍କ ଗହଣରେ ନିମଗ୍ନ ହୋଇଯାଉଥିବା, ଶିଷ୍ଟ, ସୌମ୍ୟ, ସରଳ, ସ୍ୱପ୍ନଦ୍ରଷ୍ଟା, ବିଜ୍ଞାନ ଓ ଆଧ୍ୟାତ୍ମର ସମନ୍ୱୟ, ବୀଣାବାଦକ, ଗୀତା ଓ କୋରାନ୍ ପ୍ରତି ଆଦର କରୁଥିବା ଜଣେ ଏଭଳି ବ୍ୟକ୍ତି ଭାବରେ ମନେରଖିବା ଉଚିତ; ଯିଏକି ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେଲାବେଳକୁ ମାତ୍ର ଦୁଇଟି ସୁଟକେଶ୍ ନେଇ ରାଷ୍ଟ୍ରପତି ଭବନରୁ ବାହାରିଥିଲେ ।
କଲାମଙ୍କ ଜୀବନରେ କେବଳ ଅଳ୍ପକିଛି ଦରକାରୀ ଜିନିଷ ଥିଲା । ତାଙ୍କର ଏପରି କିଛି ନଥିଲା, ଯାହାକୁ ସଂପତ୍ତି ବୋଲି କୁହାଯାଇପାରିବ । ତାଙ୍କ ପାଖରେ ଥିଲା କେବଳ ୨୫୦୦ ପୁସ୍ତକ, ଏକ ହାତଘଣ୍ଟା, ଛଅଟି ସାଟର୍୍, ଚାରିଟି ପାଇଜାମା, ତିନିଟି ସୁଟ୍ ଆଉ କିଛି ଜୋତା-ମୋଜା । ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ପାଖରେ ଟିଭି, ଫ୍ରିଜ୍, କାର୍, ଏଆର୍ କଣ୍ଟିସନର୍ ଆଦି କିଛି ବି ନଥିଲା ।
ଧନ ପ୍ରତି ମୋହଶୂନ୍ୟତା, ଚିନ୍ତନ ଓ ନୈତିକତା ପାଇଁ ପ୍ରତିବଦ୍ଧତା- ଏହା ତ ଶ୍ରଦେ୍ଧୟ ମୁନିଋଷିମାନଙ୍କର ଆଚରଣ । ଏହି ଅନ୍ତଃକରଣର ଶୁଦ୍ଧତାକୁ ବନ୍ଦନା କରାଯାଇଥାଏ, ଏହା ହିଁ ମାନବର ସର୍ବୋତ୍ତମ ଉପଲବ୍ôଧ ଭାବେ ବିଚାର କରାଯାଇଥାଏ । ନିନ୍ଦା, ଦ୍ୱେଷ ଓ କ୍ରୋଧରୁ କୋଷେ ଦୂରରେ, ଲୋକଙ୍କ ଅନ୍ତଃକରଣର ଊର୍ଜାକୁ ଜାଗ୍ରତ କରିବା ପାଇଁ ବଚନବଦ୍ଧ, ଜନପ୍ରତିନିଧିମାନଙ୍କୁ ସେମାନଙ୍କ ଦାୟିତ୍ୱ ସ୍ମରଣ କରାଉଥିବା କଲାମ୍ ବାସ୍ତବରେ ଜଣେ ସଦ୍ଋଷି, ଜନନାୟକ ତଥା ନେତା ଥିଲେ ।
ସେ ସାଧାରଣ ନାଗରିକମାନଙ୍କ ଚିଠିର ଉତ୍ତର ଦେଇଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ସହ ମିଶିଛନ୍ତି, ଜୀବନସାରା ଛାତ୍ରଛାତ୍ରୀଙ୍କ ସହ ମିଶିଛନ୍ତି । ପ୍ରାୟ ନିର୍ବିବାଦୀୟ ଭାବେ ଚୟନିତ ରାଷ୍ଟ୍ରପତି ଭଳି ଆଦର ଓ ସମ୍ମାନ ଆଜିର କୌଣସି ରାଜନୈତିକ ଦଳର କୌଣସି ନେତାଙ୍କୁ ମିଳିବା ଅକଳ୍ପନୀୟ ।
ଅନେକ ଲୋକ ଭାବନ୍ତି ଯେ କଲାମଙ୍କ ଭଳି ବୈଜ୍ଞାନିକ କାହିଁକି ଆଧ୍ୟାତ୍ମକୁ ଏତେ ଗୁରୁତ୍ୱ ଦେଉଥିଲେ? ସେମାନଙ୍କୁ ଏପରି ପଚରା ଯାଇପାରେ ଯେ, ସେମାନେ ଏହାକୁ କେଉଁ ରୂପରେ ଗ୍ରହଣ କରନ୍ତି? ଜଣେ ବିଜ୍ଞାନର ଚିନ୍ତକ ଆଧ୍ୟାତ୍ମକୁ କ’ଣ ଖାଲି ପୂଜାପାଠ ବା ଯଜ୍ଞବିଧି ଭାବେ ଗ୍ରହଣ କରେ?
କୁହାଯାଏ ଯେ ମୃତ୍ୟୁ ଜୀବନକୁ ରେଖାଙ୍କିତ କରିଥାଏ । କେତେକ ଅଲୌକିକ ଉଦାହରଣରେ ନିୟତିର ଖେଳ ଅନୁପମ ରୂପରେ ପ୍ରତୀକାତ୍ମକ ଭାବେ ପ୍ରଦର୍ଶିତ ହୋଇଥାଏ । ୨୭ ଜୁଲାଇ ୨୦୧୫: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚେତନା ଜାଗ୍ରତରେ ବ୍ରତୀ ଡ. କଲାମ୍ ଆଇଆଇଏମ୍ ଶିଲଂରେ ଭାଷଣ ଦେଉଥିବା ସମୟରେ ଟଳିପଡ଼ିଲେ । ତାଙ୍କ ଅବର୍ତ୍ତମାନରେ ଭାରତବର୍ଷରେ ସୃଷ୍ଟିହେଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ ।
ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ କଲାମଙ୍କୁ କୋଟିକୋଟି ସଲାମ୍!