ଫକୀର ମୋହନଙ୍କୁ ଦଲାଲ କହିବା ପ୍ରସଙ୍ଗରେ ବିରୋଧ କଲେ ଫକୀର ମୋହନ କଲେଜର ପୁରାତନ ଛାତ୍ର ସଂସଦ : ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି

ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରାତନ ଛାତ୍ର ସଂସଦ ଦେଲେ ଚେତାବନୀ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତି ଅଶୋଭନୀୟ ଓ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବାଲେଶ୍ୱରରେ ପ୍ରତିବାଦର ସ୍ଵର ତୀବ୍ର ହୋଇଛି। ଆଜି ଏଇ ପ୍ରସଙ୍ଗରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ଜରୁରୀ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଅଭିଳାଷ ପଣ୍ଡା ନାମକ ଜଣେ ବ୍ୟକ୍ତି ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ପୁରୋଧା ତଥା କଥାସମ୍ରାଟ ଫକୀର ମୋହନଙ୍କୁ ‘ଇଂରେଜଙ୍କ ଦଲାଲ’ ବୋଲି ଆକ୍ଷେପ କରିଥିବା ଭଳି ଏକ ଅତ୍ୟନ୍ତ ଅପରିପକ୍ୱ ତଥା ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସାରସ୍ୱତ ଜଗତ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ସଦସ୍ୟମାନେ ଅଭିଳାଷ ପଣ୍ଡାଙ୍କର ଏଭଳି ଅଜ୍ଞାନତାପୂର୍ଣ୍ଣ ମନ୍ତବ୍ୟକୁ କଠୋର ଭାଷାରେ ନିନ୍ଦା କରିବା ସହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଉକ୍ତ ପ୍ରତିବାଦ ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ ବ୍ୟାସକବି ଫକୀର ମୋହନ ସେନାପତି କେବଳ ଜଣେ ସାହିତ୍ୟିକ ନଥିଲେ, ବରଂ ସେ ଥିଲେ ଓଡ଼ିଆ ଜାତିର ନମସ୍ୟ ଏବଂ ସ୍ୱାଭିମାନର ପ୍ରତୀକ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେତେବେଳେ ପଡ଼ୋଶୀ ଭାଷାଭାଷୀଙ୍କ ଚକ୍ରାନ୍ତ ଓ ପ୍ରଶାସନିକ ଅବହେଳା ଯୋଗୁଁ ଓଡ଼ିଶାରେ ଓଡ଼ିଆ ଭାଷାର ଅସ୍ତିତ୍ୱ ବିପନ୍ନ ହୋଇପଡ଼ିଥିଲା, ସେତେବେଳେ ସେ ନିଜ ଜୀବନକୁ ବାଜି ଲଗାଇ ଭାଷାର ସୁରକ୍ଷା ପାଇଁ ଏକ ଅଭେଦ୍ୟ ରକ୍ଷାକବଚ ସାଜିଥିଲେ। ବାଲେଶ୍ୱର ମାଟିରୁ ପ୍ରେସ ପ୍ରତିଷ୍ଠା କରିବା ଠାରୁ ଆରମ୍ଭ କରି ପତ୍ରପତ୍ରିକା ପ୍ରକାଶନ ଏବଂ କାଳଜୟୀ ସାହିତ୍ୟ ସୃଷ୍ଟି ମାଧ୍ୟମରେ ସେ ଓଡ଼ିଆ ଜାତୀୟତାକୁ ନୂତନ ଦିଶା ଦେଇଥିଲେ। ମାତ୍ର ତାଙ୍କର ଏହି ମହାନ ଉତ୍ସର୍ଗୀକୃତ ଜୀବନୀ ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ଗୌରବୋଜ୍ଜଳ ଅଧ୍ୟାୟ ହୋଇଥିବା ବେଳେ, ଓଡ଼ିଆ ଭାଷା-ସାହିତ୍ୟର ସାଧାରଣ ଜ୍ଞାନ ନଥିବା ଅଭିଳାଷ ପଣ୍ଡାଙ୍କ ଭଳି ବ୍ୟକ୍ତି ‘ଅଳ୍ପ ବିଦ୍ୟା ଭୟଙ୍କରୀ’ ନ୍ୟାୟରେ ଏଭଳି କୁତ୍ସାରଟନା କରିବା ଜାତି ପାଇଁ ବଡ଼ ବିଡ଼ମ୍ବନା। ନିଜର ସଂକୀର୍ଣ୍ଣ ମାନସିକତା ତଥା ଶସ୍ତା ପ୍ରସିଦ୍ଧି ପାଇଁ ଇତିହାସକୁ ବିକୃତ କରି ବ୍ୟାସକବିଙ୍କ ଭଳି ଯୁଗପୁରୁଷଙ୍କ ପ୍ରତି ଏଭଳି ଅପଶବ୍ଦ ପ୍ରୟୋଗ କରିବା ଦ୍ୱାରା ସାରା ଓଡ଼ିଆ ଜାତି ମର୍ମାହତ ହୋଇଛି। ଏହି ସଭାରେ ସଂସଦ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି ସମ୍ପୃକ୍ତ ବ୍ୟକ୍ତି ନିଜର ଏହି କୁତ୍ସିତ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ଏବଂ ଓଡ଼ିଆ ଜାତି କେବେହେଲେ ତାଙ୍କୁ କ୍ଷମା ଦେବ ନାହିଁ। ବ୍ୟାସକବିଙ୍କ ସ୍ମୃତିପୂତ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ତାଙ୍କ ସମ୍ମାନର ସୁରକ୍ଷା ପାଇଁ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିବାଦ ସଭାରେ ସଂସଦର ସମ୍ପାଦକ ଅନୀଲ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଯଥା ଅଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ପୀତାମ୍ବର ଦାସ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ. ରାଧାରଞ୍ଜନ ପଟ୍ଟନାୟକ, ଡ. ସୁଧାଂଶୁ ପରିଡା, ବିନୟ କୁମାର ମହାପାତ୍ର, ଦେବାଶିଷ ଦାସ, ରାଜେନ୍ଦ୍ର କିଶୋର ରାୟ, ଅମୃତାଂଶୁ ପଟ୍ଟନାୟକ, ଶ୍ୟାମ ଜେନା, ଦେବାଶିଷ ପାଣି, ଜୟ କୃଷ୍ଣ ମହାନ୍ତି, ପଦ୍ମଲୋଚନ ଦତ୍ତ, ଓମ ପ୍ରକାଶ ରଣା ଏବଂ ଭାଗ୍ୟଜ୍ୟୋତି ଦେ ପ୍ରମୁଖ ଉପସ୍ଥିତ ରହି ଏହି ଭାଷା-ବିରୋଧୀ ମାନସିକତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ବୈଠକର ଶେଷ ପର୍ଯ୍ୟାୟରେ ସଦସ୍ୟ ବିନୟ କୁମାର ମହାପାତ୍ର ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ସଂସଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.