କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ହଠାତ୍ କାଳ ବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। କଳାହାଣ୍ଡିଆ ମେଘ ଓ ପବନ ସହ ପ୍ରବଳ ବର୍ଷା, ଘଡଘଡି ଓ ବିଜୁଳି ମାରିବାରେ ସମଗ୍ର ଅଞ୍ଚଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୨ ରୁ ୩ ଘଣ୍ଟା ଧରି ଲଗାତାର ସାଇଁ ସାଇଁ ପବନ ସହ ବର୍ଷା ହୋଇଥିବା ବେଳେ ବହୁ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ବ୍ଲକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇପଡ଼ିଛି। କାଳବୈଶାଖୀ ପ୍ରଭାବରେ ଅନେକ ଘରର ଛପର ମଧ୍ୟ ଭାଙ୍ଗି ରୁଜି ଚୁରମାର ହୋଇଥିବା ଦେଖିବାକୁ ମିଳିଛି।  ପାର୍ସାଲି ପଞ୍ଚାୟତ ବଡ ଡେଙ୍ଗନେଲିର ବିଡ଼ିକା କାର୍ତ୍ତିକ, ସାନ କୌଶଲ୍ୟା, ଧନିଆ କୌଶଲ୍ୟା, ଲେଲି କୌଶଲ୍ୟା, ଗୁରୁବାରୁ କୌଶଲ୍ୟା, ଜିତେନ୍ଦ୍ର ବାଗ, ହୀରନ୍ଦଇ ଛାତି ଓ ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁର ବିଧବା ଟିଙ୍ଗୁଳି ମାଣ୍ଡିକା,‌ ଅସହାୟ ଫୁଲସିଂ କୁନାକା ଓ ଧାମୁଣିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର କୃଷ୍ଣ ବାଗ ଓ ବୁଡ଼ୁ କୌଶଲ୍ୟା, ସୁରମା କରକରିଆଙ୍କ ଘରଭାଙ୍ଗି ଯାଇଥିବାରୁ ସେମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ହୋଇଥିବା  ବେଳେ ସଦର ପଞ୍ଚାୟତ ଭୈରବୀ କୋଲନି ରୁନି କାଡ୍ରାକାଙ୍କ ଘର ଭାଙ୍ଗିଯାଇଥିବା ସୂଚନା ରହିଛି। ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗୋରୀଙ୍କୁ ଯୋଗାଯୋଗ କରିବାରୁ ସେ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଜରିପାଳ ଯୋଗାଇ ଦେବା ଓ ଘରବାରୀ ପଟ୍ଟା ଥିଲେ ଆବାସ ଗୃହ ଯୋଗାଇ ଦିଆଯିବା ନେଇ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.