ବାଣପୁର ପାଇକ ବିଦ୍ରୋହ : ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

ଓଡ଼ିଶାର ସ୍ୱାଭିମାନ, ସାହସ ଓ ଆତ୍ମବଳିଦାନର ଇତିହାସରେ ବାଣପୁର ପାଇକ ବିଦ୍ରୋହ ଏକ ଅମର ଅଧ୍ୟାୟ।ଏହା କେବଳ ଏକ ବିଦ୍ରୋହ ନୁହେଁ, ବରଂ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ଓଡ଼ିଆ ଜାତିର ଅଦମ୍ୟ ସଂକଳ୍ପ, ଅସୀମ ସାହସ ଓ ସ୍ୱାଧୀନତା ଆକାଂକ୍ଷାର ଜ୍ୱଳନ୍ତ ପ୍ରତୀକ।୧୮୧୭ ମସିହାରେ ଆରମ୍ଭ ହୋଇଥିବା ପାଇକ ଆନ୍ଦୋଳନର ଅଗ୍ନିଶିଖା ୧୮୩୬ ମସିହାରେ ବାଣପୁରର ପବିତ୍ର ମାଟିରେ ପୁନର୍ବାର ପ୍ରଜ୍ୱଳିତ ହୋଇ ବ୍ରିଟିଶ ସାମ୍ରାଜ୍ୟର ଭିତ୍ତିକୁ କମ୍ପିତ କରିଥିଲା। ଏହି ମହାନ ବିଦ୍ରୋହର ମହାନାୟକ ଥିଲେ ଅରାଙ୍ଗଗଡ଼ର ଦଳବେହେରା, ବୀର ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମରେ।ତାଙ୍କ ପିତାଙ୍କ ନାମ ଶ୍ୟାମସୁନ୍ଦର ପାଟ୍ଟଶାଣୀ। ତାଙ୍କ ହୃଦୟରେ ଜଳୁଥିଲା ଦେଶପ୍ରେମର ଦୀପ୍ତ ଜ୍ୱାଳା ଏବଂ ଆଖିରେ ଥିଲା ସ୍ୱାଧୀନତାର ସ୍ୱପ୍ନ। ତାଙ୍କ ପ୍ରତ୍ୟେକ ଆହ୍ୱାନ ବିଦ୍ରୋହର ବଜ୍ରନିନାଦ ହୋଇ ଜନମାନସକୁ ଉଦ୍ବୁଦ୍ଧ କରୁଥିଲା ଏବଂ ତାଙ୍କ ପ୍ରତ୍ୟେକ ପଦକ୍ଷେପ ସ୍ୱାଧୀନତାର ପଥରେ ଏକ ଅଗ୍ନିଯାତ୍ରାର ରୂପ ନେଉଥିଲା।

୧୮୩୬ ମସିହାରେ ବାଣପୁରରେ ଏକ ବିଶାଳ ପାଇକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ କୃତ୍ତିବାସ ପାଟ୍ଟଶାଣୀ। ତାଙ୍କୁ ସହଯୋଗ କରିଥିଲେ ଘୁମୁସରର ବୀର ଯୋଦ୍ଧା ଲୋଚନ ବିଶୋଇ, ଶିବ ବିଶୋଇ, ପଞ୍ଚାନନ ନାୟକ, ସାଧୁ ଜାନି, ଦୀନା ଜାନି ପ୍ରମୁଖ ସଂଗ୍ରାମୀ। ସେହି ସମ୍ମିଳନୀରେ କୃତ୍ତିବାସ ପାଟ୍ଟଶାଣୀ ପଞ୍ଚାନନ ନାୟକଙ୍କୁ “ଶରଣ ସିଂହ” ନାମ ଦେଇ କରି ରାଜା ଭାବେ ଘୋଷଣା କରିଥିଲେ।ଏହି ସମ୍ମିଳନୀ ଇଂରେଜ ବିରୋଧୀ ସଂଗ୍ରାମକୁ ଏକ ନୂତନ ଦିଗ ଓ ନୂତନ ଶକ୍ତି ପ୍ରଦାନ କରିଥିଲା।

୧୮୩୬ ମସିହା ଜୁନ୍ ମାସରେ କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ୱରେ ବିଦ୍ରୋହର ଶଙ୍ଖନାଦ ହୋଇଥିଲା। ସେତେବେଳେ ବାଣପୁରରେ ଥାନା, ଫାଣ୍ଡି ଓ ଡାକବଙ୍ଗଳା ବ୍ରିଟିଶ ଶାସନର ପ୍ରତୀକ ଭାବେ ଛିଡ଼ା ହୋଇଥିଲା।କୃତ୍ତିବାସଙ୍କ ଆହ୍ୱାନରେ ସହସ୍ରାଧିକ ଦଳବେହେରା, ଦଳେଇ, ନାୟକ ଓ ପାଇକ ଏକତ୍ରିତ ହୋଇ ଇଂରେଜ ଶାସନ ବିରୋଧରେ ସଂଗଠିତ ହେଲେ।ତାଙ୍କ ନିର୍ଦ୍ଦେଶରେ ପାଇକମାନେ ବାଣପୁର ଥାନା ଦଖଲ କରି ସରକାରୀ କାଗଜପତ୍ର ଧ୍ୱଂସ କରିଥିଲେ ଏବଂ ବ୍ରିଟିଶ ପ୍ରଶାସନକୁ ଚରମ ଚ୍ୟାଲେଞ୍ଜ ଦେଇଥିଲେ।

ଏହି ଅଭୂତପୂର୍ବ ଘଟଣା ଇଂରେଜମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।ବିଦ୍ରୋହ ଦମନ ପାଇଁ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଥିଲା।କିନ୍ତୁ ବୀର ପାଇକମାନଙ୍କ ଅଦମ୍ୟ ସାହସ ଆଗରେ ଇଂରେଜ ସେନା ନତମସ୍ତକ ହୋଇଥିଲା।ଯୁଦ୍ଧରେ ଇଂରେଜ ସେନାଧ୍ୟକ୍ଷ ବେଲ ସାହେବ ପରାଜିତ ହୋଇଥିଲେ ଏବଂ ୪ ଜୁନ୍ ୧୮୩୬ରେ ରାଜା ଶରଣ ସିଂହ ବାଣପୁରକୁ ସ୍ୱାଧୀନ ଘୋଷଣା କରିଥିଲେ।

ଯଦିଓ ଏହି ସ୍ୱାଧୀନତା ମାତ୍ର ତିନି ଦିନ ପାଇଁ ରହିଥିଲା, ତଥାପି ଏହା ଓଡ଼ିଆ ଜାତିର ସ୍ୱାଭିମାନ, ସଂଗ୍ରାମ ଓ ପ୍ରତିରୋଧର ଏକ ଅମର ପ୍ରତୀକ ହୋଇ ରହିଛି।ଏହା ପ୍ରମାଣ କରିଥିଲା ଯେ ଜାତିପ୍ରେମ ଓ ସ୍ୱାଧୀନତାର ଆକାଂକ୍ଷା ସାମ୍ରାଜ୍ୟବାଦୀ ଶକ୍ତିଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ବିଦ୍ରୋହ ପରେ କୃତ୍ତିବାସ ପାଟ୍ଟଶାଣୀ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ରହି ସଂଗ୍ରାମର ମଶାଲକୁ ଜୀବନ୍ତ ରଖିଥିଲେ। କିନ୍ତୁ କିଛି କୁଚକ୍ରୀଙ୍କ ବିଶ୍ୱାସଘାତକତା ଫଳରେ ସେ ଇଂରେଜମାନଙ୍କ ହାତରେ ଧରାପଡ଼ିଥିଲେ। ପରେ ତାଙ୍କୁ ଦ୍ୱୀପାନ୍ତରକୁ ପଠାଇ ବନ୍ଦୀ କରାଯାଇଥିଲା। ତଥାପି ତାଙ୍କ ସଂଗ୍ରାମ ଓ ବଳିଦାନର ଗାଥା ଓଡ଼ିଆ ଜାତିର ଚେତନାରେ ଚିରଦିନ ପାଇଁ ଅମର ହୋଇ ରହିଗଲା।

ଆଜି ବାଣପୁର ପାଇକ ବିଦ୍ରୋହ ଆମକୁ ସ୍ମରଣ କରାଏ ଯେ ସ୍ୱାଧୀନତା କେବେ ଭିକ୍ଷାରେ ମିଳେ ନାହିଁ; ଏହା ସଂଗ୍ରାମ, ତ୍ୟାଗ ଓ ବଳିଦାନରେ ଅର୍ଜନ କରିବାକୁ ପଡ଼େ।ବୀର କୃତ୍ତିବାସ ପାଟ୍ଟଶାଣୀ ଓ ତାଙ୍କ ସହଯୋଦ୍ଧାମାନେ କେବଳ ଇତିହାସର ଚରିତ୍ର ନୁହଁନ୍ତି, ସେମାନେ ଓଡ଼ିଆ ଅସ୍ମିତାର ଚିରନ୍ତନ ପ୍ରହରୀ, ସ୍ୱାଭିମାନର ଜାଗ୍ରତ ପ୍ରତୀକ ଏବଂ ସ୍ୱାଧୀନତାର ଅମର ଅଗ୍ନିଶିଖା। ଯେପର୍ଯ୍ୟନ୍ତ ଓଡ଼ିଆ ଜାତି ବଞ୍ଚି ରହିବ, ସେପର୍ଯ୍ୟନ୍ତ ବାଣପୁରର ବିପ୍ଲବୀ ମାଟି ଓ ବୀର କୃତ୍ତିବାସ ପାଟ୍ଟଶାଣୀଙ୍କ ତ୍ୟାଗଗାଥା ପିଢ଼ି ପରେ ପିଢ଼ିକୁ ଦେଶପ୍ରେମ,ସଂଗ୍ରାମ ଓ ସ୍ୱାଭିମାନର ମନ୍ତ୍ର ଶିଖାଇ ଚାଲିଥିବ।

ଲେଖକ: ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ପ୍ରତିଷ୍ଠାତା ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ଗମ୍ଭାରୀମୁଣ୍ଡା, ବାଣପୁର, ଖୋର୍ଦ୍ଧା
ଫୋନ୍ ନମ୍ବର: 6370208428
ଇ-ମେଲ୍: biswabijayeedash63@gmail.com

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.