ଓଡ଼ିଆ ବାର୍ତ୍ତା/ କଟକ: ପେଷାରେ ସେ ଜଣେ ପୋଲିସ କର୍ମଚାରୀ ହେଲେ ନିଶା ତାଙ୍କର ସମାଜସେବା। ସେ ହେଉଛନ୍ତି ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି)ର ସମ୍ପାଦକ ରସାନନ୍ଦ ଦେଉରୀ (ପ୍ରିନ୍ସ ନନ୍ଦ)। କଟକ ଜିଲ୍ଲା ତିଗିରିଆ ବ୍ଲକ କଳିବିର ଗ୍ରାମରେ ତାଙ୍କ ଜନ୍ମ। ନିଜ ସରକାରୀ ଦାଇତ୍ବକୁ ସେ ସୂଚାରୁରୂପେ ସମ୍ପାଦନ କରିବା ସହ ସମାଜସେବା ଓ ସାହିତ୍ୟ ସାଧନା ଦିଗରେ ମନୋନିବେଶ କରିଥାନ୍ତି। ରକ୍ତଦାନ ସହ ଜନ ସଚେତନତା, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମକୁ ସହଯୋଗ କରନ୍ତି। ସମସ୍ତେ ତାଙ୍କୁ ବୋତଲର ମଣିଷ ବୋଲି ଡାକନ୍ତି କାରଣ ପ୍ଲାଷ୍ଟିକ ବୋତଲକୁ ସେ ଗଛରେ ବାନ୍ଧି ସେଥିରେ ପାଣି ରଖନ୍ତି, ଯାହାଦ୍ୱାରାକି ସମସ୍ତ ପକ୍ଷୀ ଏହି ବୋତଲରୁ ପାଣି ପିଇବେ ଆଉ ଜୀବନ ବଞ୍ଚେଇ ପାରିବେ। ପ୍ରତିବର୍ଷ ୧୦୦୦ ରୁ ଉର୍ଦ୍ଧ୍ବ ବୋତଲ ବିଭିନ୍ନ ଗଛ ଡାଳରେ ବାନ୍ଧିବା, ପାଣି ପାତ୍ର ବ୍ୟବସ୍ଥା ସହ ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ଆଦି କାର୍ଯ୍ୟ କରିଥାନ୍ତି।





