ବାଲେଶ୍ଵରରେ ଅନୁଷ୍ଠିତ ହେଲା ଡ. ଜ୍ୟୋତିସ୍କର ମହାପାତ୍ର ଫାଉଣ୍ଡେସନର ଦ୍ଵିତୀୟ ସ୍ମାରକୀ ବକ୍ତୃତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଡ. ଜ୍ୟୋତିସ୍କର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଷ୍ଟେସନ୍ କ୍ଲବ୍‌ଠାରେ ଦ୍ଵିତୀୟ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ‘ଯୁଦ୍ଧ ଓ ଶାନ୍ତି: ଭାରତ ସମ୍ମୁଖରେ ଆହ୍ବାନ ଓ ସୁଯୋଗ’ ଶୀର୍ଷକ ବିଷୟ ଉପରେ ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର୍ ନେତାଜୀ ଅଭିନନ୍ଦନ କହିଥିଲେ ଯେ, ପୂର୍ବରୁ ଅନ୍ତର୍ଜାତୀୟ ସମ୍ପର୍କ ଯୁଦ୍ଧ ଓ ଶାନ୍ତିକୁ ନେଇ ଆରମ୍ଭ ହୋଇଥିଲା। ହେଲେ ବର୍ତମାନ ବିଶ୍ଵ ରାଜନୀତିକୁ ପୁଞ୍ଜିପତିମାନେ ନିୟନ୍ତ୍ରଣ କରୁଛନ୍ତି ଏବଂ ସେମାନଙ୍କ ହିସାବରେ ସରକାର ଚାଲୁଛି। ବିଶ୍ଵ ବଜାର ନିୟନ୍ତ୍ରଣ ପାଇଁ ଯୁଦ୍ଧ କରାଯାଉଛି। ଆମେରିକା-ଇରାନ ଯୁଦ୍ଧର କୌଣସି ଯଥାର୍ଥତା ନାହିଁ, ତଥାପି ଯୁଦ୍ଧ ଜାରି ରହିଛି ବୋଲି ସେ ମତ ଦେଇଥିଲେ।

ସେ ଆହୁରି କହିଥିଲେ, ବର୍ତମାନ କୌଣସି ନୀତି ବା ନିୟମ ନାହିଁ। ଏଭଳି ସ୍ଥିତିରେ ଭାରତ କାହା ସହିତ ଛିଡ଼ା ହେବ, ତାହା ଏକ ବଡ଼ ଆହ୍ବାନ। କିଛି ରାଷ୍ଟ୍ର ଯୁଦ୍ଧ ଦ୍ୱାରା ଅର୍ଥନୀତି ଆଗକୁ ବଢ଼ିବ ବୋଲି ଭାବି ଆଗେଇ ଚାଲିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁଠି ନାହିଁ, ସବୁଠି କେବଳ ଲାଭକୁ ପ୍ରାଧାନ୍ୟ ଦିଆଯାଉଛି। ଶକ୍ତିଶାଳୀ ରାଷ୍ଟ୍ର ଅନ୍ୟ ଦେଶ ଉପରେ ଆକ୍ରମଣ କରୁଛନ୍ତି। ମିଳିତ ଜାତିସଂଘ ଏବେ ‘କାଗଜ ବାଘ’ ପାଲଟିଛି ଏବଂ କେହି ଏହାକୁ ମାନୁ ନାହାନ୍ତି ବୋଲି ପ୍ରଫେସର ଅଭିନନ୍ଦନ କ୍ଷୋଭ ପ୍ରକାଶ କରିଥିଲେ। ଭବିଷ୍ୟତ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ୨୦୪୭ର ବିକଶିତ ଭାରତ ପାଇଁ ଆଗାମୀ ଯୁଦ୍ଧ ଡାଟା ବା ତଥ୍ୟକୁ ନେଇ ହେବ। ସ୍ୱପ୍ନ ପୂରଣ ପାଇଁ ଗବେଷଣା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ, ନଚେତ୍ ଭାରତ ପଛରେ ପଡ଼ିଯିବ।

ବାଲେଶ୍ବର ଓକିଲ ସଂଘର ସଭାପତି ଆଇନଜୀବୀ ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ପକ୍ଷରୁ ପ୍ରଫେସର୍ ନେତାଜୀ ଅଭିନନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ପ୍ରଶାନ୍ତ ଦାସ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କବି ଶ୍ରୀଦେବ ଓ ସନ୍ତୋଷ ଅଗସ୍ତି ପ୍ରମୁଖ ଡ. ଜ୍ୟୋତିସ୍କର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମକୁ ଗୋପାମୁଦ୍ରା ମହାପାତ୍ର ପରିଚାଳନା କରିଥିବା ବେଳେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.