ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ଅବୈଧ ଖଣି ଉତ୍ତୋଳନ ଓ ଲଘୁଜାତ ଖଣିଜ ପଦାର୍ଥର ଅବୈଧ ପରିବହନ ବିରୋଧରେ ଚାଲିଥିବା କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ରାତିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୯ଟି ଗାଡ଼ି ଜବତ କରାଯିବା ସହ ପ୍ରାୟ ୪୦ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର କରାଯାଇଛି। ବାଲେଶ୍ୱର ଖଣି ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲାର ଜୁନିୟର ମାଇନିଂ ଅଫିସର (ଜେଏମଓ)ମାନେ ସ୍ଥାନୀୟ ପୁଲିସର ସହଯୋଗରେ ଏହି ସମନ୍ୱିତ ଚଢ଼ାଉ ଅଭିଯାନ କରିଛନ୍ତି। ବାଲି, ମୋରମ ଓ ଷ୍ଟୋନ୍ ଚିପ୍ସର ଅବୈଧ ଉତ୍ତୋଳନ ଏବଂ ପରିବହନ ହେଉଥିବା ସନ୍ଦେହରେ ବିଭିନ୍ନ ସ୍ଥାନରେ ଏହି ଅଭିଯାନ କରାଯାଇଥିଲା ବୋଲି ପ୍ରକାଶ।
ଏହି ଅଭିଯାନ ସମୟରେ ସିମୁଳିଆ ଥାନା ଅଞ୍ଚଳରୁ ବାଲି ବୋଝେଇ ଦୁଇଟି ହାଇୱା ଟ୍ରକ୍କୁ ଅଟକ ରଖାଯାଇ ପୁଲିସ ଜିମାରେ ଦିଆ ଯାଇଥିବା ବେଳେ ବଗୁଡ଼ି ଅଞ୍ଚଳରୁ ବାଲି ବୋଝେଇ ଗୋଟିଏ ହାଇୱା ଜବତ କରାଯାଇଥିଲା। ସେହିପରି ଜଳେଶ୍ୱର ଥାନା ଅଞ୍ଚଳରୁ ଆଉ ଦୁଇଟି ବାଲି ବୋଝେଇ ହାଇୱାକୁ ଅଟକ ରଖା ଯାଇଥିଲା। ଜଳେଶ୍ୱର ତହସିଲ ଅଞ୍ଚଳରେ ମୋରମ ବୋଝେଇ ଚାରିଟି ଟ୍ରାକ୍ଟର ଜବତ କରାଯାଇ ତହସିଲ କାର୍ଯ୍ୟାଳୟରେ ରଖାଯାଇଛି। ସେହିପରି ଜଳେଶ୍ୱର ଅଞ୍ଚଳରୁ ମୋରମ ପରିବହନ କରୁଥିବା ଦୁଇଟି ହାଇୱା ଓ ଗୋଟିଏ ଡମ୍ପରକୁ ମଧ୍ୟ ଅଟକ ରଖା ଯାଇଥିବା ବେଳେ ଖଇରା ଅଞ୍ଚଳରୁ ମୋରମ ବୋଝେଇ ଦୁଇଟି ହାଇୱା ଜବତ କରାଯାଇଛି। ନୀଳଗିରି ଅଞ୍ଚଳରୁ ମୋରମ ବୋଝେଇ ତିନିଟି ହାଇୱା ଏବଂ ଷ୍ଟୋନ୍ ଚିପ୍ସ ବୋଝେଇ ଗୋଟିଏ ହାଇୱା ଜବତ ହୋଇଛି। ସୋର ଥାନା ଅଞ୍ଚଳରୁ ମଧ୍ୟ ମୋରମ ବୋଝେଇ ଗୋଟିଏ ହାଇୱା ଅଟକ ରଖାଯାଇଛି।
ଏକ ପୃଥକ ଅଭିଯାନରେ ବଗୁଡ଼ି ତହସିଲ ଅଧୀନ ଏକ ଅବୈଧ ପଥର ଖଣି ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୪୦ କିଲୋଗ୍ରାମ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ଜବତ ବିସ୍ଫୋରକକୁ ପରବର୍ତ୍ତୀ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୋର ଥାନାକୁ ହସ୍ତାନ୍ତର କରାଯାଇଛି।ଅଧିକାରୀମାନଙ୍କ କହିବାନୁସାରେ, ଜିଲ୍ଲାରେ ଅବୈଧ ଖଣି କାର୍ଯ୍ୟକଳାପ ଏବଂ ଖଣିଜ ପଦାର୍ଥର ଅବୈଧ ପରିବହନ ରୋକିବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଛି। ଜବତ ସମସ୍ତ ଗାଡ଼ିକୁ ସମ୍ପୃକ୍ତ ଥାନା ଓ ତହସିଲ କାର୍ଯ୍ୟାଳୟରେ ରଖା ଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।ଜିଲ୍ଲା ଖଣି ବିଭାଗ ସୂତ୍ରରୁ ପ୍ରକାଶ ଯେ, ଅବୈଧ ଖଣି କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ସରକାରୀ ରାଜସ୍ୱ କ୍ଷତି ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା ଧରପଗଡ ଅଭିଯାନ ଜାରି ରହିବ।





