କୋଡିଙ୍ଗାମାଳିରେ ଖଣି ଖନନ କାହା ସ୍ୱାର୍ଥରେ? କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର??

  • ଖଣି ଖନନ ଓ ପରିବହନ ବନ୍ଦ ପାଇଁ ସାଂସଦଙ୍କୁ ଭେଟିଲେ ଗ୍ରାମବାସୀ

  • ପ୍ରଭାବିତ ଅଂଚଳବାସୀଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି : ସାଂସଦ ସପ୍ତଗିରି ଉଲାକା

ରାୟଗଡ଼,୧୨/୮: କୋରାପୁଟ ଜିଲ୍ଳାର ମାଳଭୂମି ଅଂଚଳ କୋଡିଙ୍ଗାମାଳି ବକ୍ସାଇଟ ଖଣିକୁ ରାଜ୍ୟ ସରକାରଙ୍କ ଖଣି ବିଭାଗର ନିର୍ଦ୍ଦେଶକ୍ରମେ ଓଡିଶା ଖଣି ନିଗମ (ଓ.ଏମ.ସି) ଠାରୁ ଲିଜରେ ନେଇ ୧୫୦ କିଲୋମିଟର ଦୂର କଳାହାଣ୍ଡି ଜିଲ୍ଳା ଲାଂଜିଗଡର ବେଦାନ୍ତ ଆଲୁମିନା ରିଫାଇନେରୀ କମ୍ପାନୀକୁ କଂଚାମାଲ ପରିବହନ ପାଇଁ ଆନ୍ଧ୍ରପ୍ରଦେଶର ମାଇନିଂ ଠିକାଦାରୀ ସଂସ୍ଥା ମୈତ୍ରୀ ଇନଫ୍ର୍ରା ଦ୍ୱାରା ଖଣି ଖନନ କରାଯାଇ ପରିବହନ କରାଯାଉଛି । ଖଣି ଖନନ ଫଳରେ ଖଣିର ଧୂଳି ଓଡି ଆସି ଲୋକଙ୍କ ଖାଇବା ଖାଦ୍ୟରେ ଓ ପାନୀୟ ଜଳ ମଧ୍ୟ ସଂପୂର୍ଣ୍ଣ ରଙ୍ଗମାଟିରେ ଆସୁଥିବା ହେତୁ ଏହାକୁ ବ୍ୟବହାର କରି ଅଜଣା ରୋଗରେ ଗ୍ରାମବାସୀ ପୀଡିିତ ହେଉଛନ୍ତି । ତେବେ ଓଡିଶା ସରକାର ବେଦାନ୍ତ କମ୍ପାନୀକୁ ଖଣି ଯୋଗାଇବା ତଥା ରାଜସ୍ୱ ଆଦାୟ ଲକ୍ଷରେ ରାୟଗଡ ଓ କୋରାପୁଟ ଜିଲ୍ଳାର ସୀମାନ୍ତରେ ଥିବା ଏହି ଖଣି ଅଂଚଳରେ ବସବାସ କରୁଥିବା ୨୨ଖଣ୍ଡ ଗ୍ରାମର ପ୍ରାୟ ୪୦ହଜାର ଲୋକଙ୍କ ଭାତ ହାଣ୍ଡିରେ ଧୂଳି ଛାଡି ଦେଇ ସୂଦୂର ରାଜଧାନୀ ଭୂବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ୨ଟି ଜିଲ୍ଳାର ସରକାରୀ ବାବୁମାନଙ୍କ ଭୁଲ ୍ରିପୋର୍ଟକୁ ଦେଖି ଚୁପ୍ ବସିଛନ୍ତି । ପୁର୍ନବାର ପଲ୍ଳୀସଭା ଓ ଗ୍ରାମସଭା କରିବା ଓ ଖଣି ଖନନ ଅଂଚଳରେ କାରଖାନା ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ବେକାର ଯୁବକଯୁବତୀମାନେ ନିଯୁକ୍ତି ପାଇପାରିବେ,ଖଣି ପାରିପାଶ୍ୱିର୍କ ଅଂଚଳରେ ସାମାଜିକ ଦାୟିତ୍ୱବୋଧ ଦ୍ୱାରା ରାସ୍ତାଘାଟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିବେଶ ସୁରକ୍ଷା ଦିଗରେ ବିକାଶ କରିବା ଦିଗରେ ଦୃଷ୍ଟି ଦେବା ପରିବର୍ତେ ମୈତ୍ରି ଇନଫ୍ରା ସଂସ୍ଥା ବର୍ତମାନ ଖଣି ଖନନ କରୁଥିବା ଫଳରେ ଏହି ଅଂଚଳରେ ଉପୁଜୁଥିବା ସମସ୍ୟା ସଂପର୍କରେ ଅବଗତ ଥାଇ ମଧ୍ୟ କୈାଣସି ପଦକ୍ଷେପ ନେବା ପରିବର୍ତେ କିଛି ନ ଜାଣିବା ପରି ଅଭିନୟ କରୁଛନ୍ତି ।

ତେଣୁ ୨୨ଖଣ୍ଡ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖଣି ଖନନ ଓ ମାଲ ପରିବହନ ବନ୍ଦ କରିବାକୁ ଦାବି କରି ସୋମବାର ଦିନ ରାୟଗଡ ସହରରେ ରହୁଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି କୋଡିଙ୍ଗାମାଳି ଅଂଚଳର ପ୍ରଦୀପ ବାଗ, ଅଜିତ ବାଗ,ବାବୁଲା ମହାରଣା, ପୁରୁଷୋତମ ବାଗ, ଚନ୍ଦ୍ରଶେଖର ଖରା,ଅର୍ଜୁନ ମିଣିୟାକା, ସମ୍ବୁରୁ ହିକକା, ନାଥ ମିଣିୟାକା, ସୁବାଷ ମାଣ୍ଡାଙ୍ଗି, ଜବାହାରଲାଲ ବାଗଙ୍କ ସମେତ ଶତାଧିକ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସାଂସଦଙ୍କୁ ଗ୍ରାମବାସୀମାନେ ଦେଇଥିବା ଦାବିପତ୍ରରେ ଗତ ୮ବର୍ଷ ତଳେ ଅର୍ଥାତ ୨୦୧୧ ମସିହାରେ ଆଦିତ୍ୟ କମ୍ପାନୀ ତରଫରୁ କଂସାରିଗୁଡା ଠାରେ କାରଖାନା କରିବା ପାଇଁ ଜମି ଅଧିଗ୍ରହଣ କରିବା ସହ କମ୍ପାନୀର ଅଧିକାରୀମାନେ ବିସ୍ତାପିତ ପ୍ରକଳ୍ପ ଅଂଚଳରେ ପଲ୍ଳୀସଭା ଓ ଗ୍ରାମସଭା କରାଇଥିଲେ । ତେବେ ଅନ୍ୟ ଅଂଚଳଗୁଡିକରେ ମଧ୍ୟ ପ୍ରଭାବ ପଡୁଥିବା ଜାଣିବା ପରେ ବିନା ପଲ୍ଳୀସଭା ଓ ଗ୍ରାମସଭା ଆୟୋଜନ କରି କମ୍ପାନୀର ଉନ୍ନୟନ କାର୍ଯ୍ୟ ଦ୍ୱାରା ବିକାଶ ହେବା କଥା କହି ଗ୍ରାମବାସୀମାନଙ୍କ ଦସ୍ତଖତ ନେଇ ରାଜ୍ୟ ସରକାରଙ୍କୁ ଭୁଲ୍ ରିପୋର୍ଟ ପ୍ରଦାନ କରିଥିଲେ ।

ସେହିପରି ଗତ ୨୦୧୬ ମସିହା ମେ’୧୮ତାରିଖରେ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାସଚନ୍ଦ୍ର କୁଲେସିକା ଏବଂ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ପରିଚାଳନାରେ ଚମ୍ପା ଗ୍ରାମ ପଂଚାୟତର ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ),ଲକ୍ଷ୍ମୀପୁର ବ୍ଳକର ଡବ୍ଳ୍ୟୁଇଓ,ତୋୟାପୁଟ ଗ୍ରାମ ପଂଚାୟତର ରାଜସ୍ୱ ନୀରିକ୍ଷକଙ୍କ ସମେତ ଲକ୍ଷ୍ମୀପୁର ବ୍ଳକର ବନ ସଂରକ୍ଷଣ ଅଧୀକାରୀଙ୍କ ଉପସ୍ଥିତିରେ ଝୋଲାଗୁଡା ଏବଂ ରାଉଲିପଦର ଦୁଇ ଗ୍ରାମରେ କୋଡିଙ୍ଗାମାଳି ଉପରକୁ ଯିବା ପାଇଁ ଆଦିତ୍ୟ କମ୍ପାନୀ (ହିଣ୍ଡାଲକୋ) ଦ୍ୱାରା ରାସ୍ତା ନିର୍ମାଣ କରିବା କଥା କହି ଗ୍ରାମବାସୀମାନଙ୍କ ଠାରୁ ଜାଲ ଦସ୍ତଖତ ଏବଂ ଜାଲ ଟିପଚିହ୍ନ ସଂଗ୍ରହ କରି ପଲ୍ଳୀ ସଭା ଏବଂ ଗ୍ରାମ ସଭା ରିପୋର୍ଟ ପ୍ରସ୍ତୁତ କରି ପ୍ରଶାସନଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୭ ମସିହା ଡିସେମ୍ବର ମାସ ଠାରୁ ଖଣି ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଓଡିଶା ଖଣି ନିଗମ (ଓଏମସି) ତରଫରୁ ଆନ୍ଧ୍ର ପ୍ରଦେଶର ମୈତ୍ରୀ ଇନଫ୍ରା ନାମକ ଏକ ମାଇନିଂ ଠିକାଦାରୀ ସଂସ୍ଥାକୁ ନେଇ ବଳପୂର୍ବକ କାର୍ଯ୍ୟାରମ୍ଭ କରିଥିଲା ।

ଖଣି ଖନନକୁ ବିରୋଧ କରି ପ୍ରଭାବିତ ଅଂଚଳବାସୀ ଜିଲ୍ଳା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ । ଏହାର ହସ୍ତକ୍ଷେପ କରି ଓଏମସି’ର ଆଂଚଳିକ ପ୍ରବନ୍ଧକ ହେମନ୍ତ ସିଙ୍ଗି ଏଠାରେ ଆଦିତ୍ୟ କମ୍ପାନୀ କରିବ ଏବଂ ତା’ପାଇଁ ଖଣିର ଆବଶ୍ୟକତା ରହିଛି କହି ଲୋକଙ୍କୁ ଠକି ଚାଲିଥିଲେ । ପ୍ରଶାସନିକ କଳର ସହାୟତାରେ ଓଏମସି ଓ ମୈତ୍ରୀ ସଂସ୍ଥା ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା କେସ କରି ପୋଲିସର ଭୟ ସୃଷ୍ଟି କରିବା ଦ୍ୱାରା ଆଦିବାସୀର ଜଙ୍ଗଲ ଜମି ନୀତିକୁ ଅଣଦେଖା କରି ବଳପୂର୍ବକ ବେନିୟମ ଭାବେ ବିନା ପଲ୍ଳୀସଭା ଓ ଗ୍ରାମସଭାରେ ଖଣି ଖନନ ଓ ମାଲ ପରିବହନ କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ କାର୍ଯ୍ୟ ଜାରି ରଖିଛନ୍ତି । ଅପରପକ୍ଷେ କୋରାପୁଟ ଲୋକସଭା ସାଂସଦ ସପ୍ତଗିିରି ଉଲାକା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଡିଲେ ସଂସଦରେ ମଧ୍ୟ ସ୍ୱର ଉତୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

🔴 ଏଠି ଛୁଇଁଲେ ସେସବୁ ଖବର ଓ ବିଚାର ସୂଚନା ପାଇବେ, ଯାହା ଆପଣଙ୍କୁ ନିହାତି ଦରକାର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.